ଆଇପିଏଲ୍‌: ସନରାଇଜର୍ସ ହାଇଦ୍ରାବାଦକୁ ୩୯ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ୍‌

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୦ତମ ମ୍ୟାଚରେ ରବିବାର ହାଇଦ୍ରାବାଦକୁ ୩୯ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲସ୍‌ । ଦ୍ୱିତୀୟ ପାଳିରେ ହାଇଦ୍ରାବାଦ ୧୫୬ ରନ୍‌ର ପିଛା କରିି ୧୮.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୧୬ ରନ୍‌ କରିଥିଲା । ଦିଲ୍ଲୀ ପକ୍ଷରୁ କ୍ରିସ୍‌ ମୋରିସ୍‌ ଓ କେମୋ ପଲ୍‌ ୩-୩ ଟି ଓ୍ଵିକେଟ ନେଇଥିବା ବେଳେ ରାବଡା ୪ଟି ଓ୍ଵିକେଟ ନେଇଥିଲେ । ହାଇଦ୍ରାବାଦ ପକ୍ଷରୁ ଡେଭିଡ ଓ୍ଵାରନର ୫୧ ରନ୍‌ ଓ ଜନି ବେୟାରଷ୍ଟୋ ୪୧ ରନ୍‌ କରିଥିଲେ ।

ହାଇଦ୍ରାବାଦ୍‌ ୧୧ ଓଭର ଶେଷ ବେଳକୁ ମାତ୍ର ଗୋଟିଏ ଓ୍ଵିକେଟ ହରାଇ ୭୭ ରନ କରିଥିଲା। ଓପନର ଜନି ବେୟାରଷ୍ଟୋ ୩୧ଟି ବଲ ଖେଳି ୪୧ ରନ୍‌ କରିଥିଲେ। ସେ କିମୋ ପଲଙ୍କ ବଲ କାଗିସୋ ରାବାଡାଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ। ହାଇଦ୍ରାବାଦ୍‌ ୭୨ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇଥିଲା।

ପ୍ରଥମ ଇନିଂସରେ ସନରାଇଜର୍ସ ହାଇଦ୍ରାବାଦକୁ ଦିଲ୍ଲୀ କ୍ୟାପିଟାଲସ୍‌ ପକ୍ଷରୁ ୧୫୬ ରନ୍‌ ଟାର୍ଗେଟ ମିଳିଥିଲା। ସ୍ଥାନୀୟ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଟସ୍‌ ଜିଣି ହାଇଦ୍ରାବାଦ୍‌ ବୋଲିଂ ନିଷ୍ପତ୍ତି ନେବା ପରେ ଦିଲ୍ଲୀ ବ୍ୟାଟିଂ କରିଥିଲା। ଦିଲ୍ଲୀ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୫୫ ରନ୍‌ କରିଛି। ଫଳରେ ହାଇଦ୍ରାବାଦ୍‌କୁ ଏହି ମ୍ୟାଚ ବିଜୟ ପାଇଁ ୧୫୬ ରନ୍‌ ଟାର୍ଗେଟ ମିଳିଥିଲା।

ହାଇଦ୍ରାବାଦ୍‌ ଟିମ୍‌ର ବୋଲର ଖଲିଲ ଅହମଦ ଦିଲ୍ଲୀ ଟିମ୍‌ର ଓପନର ପୃଥ୍ଵୀ ସ (୪ରନ) ଓ ଶିଖର ଧାଓ୍ଵନ (୭ ରନ)ଙ୍କୁ ଆଉଟ କରି ଯୋଡ଼ି ଭାଙ୍ଗି ଦେଇଥିଲେ। ଏହାପରେ ସେ ଋଷଭ ପନ୍ତ (୨୩ ରନ)ଙ୍କୁ ଆଉଟ୍‌ କରିଥିଲେ। ଭୁବନେଶ୍ୱର କୁମାରଙ୍କୁ ୨ଟି ଓ୍ଵିକେଟ ମିଳିଥିଲା। ଶ୍ରେୟସ ଆୟାର ଓ କିମୋ ପଲଙ୍କୁ ଭୁବନେଶ୍ୱର କୁମାର ଆଉଟ୍‌ କରିଥିଲେ। ଅଭିଷେକ ଶର୍ମା ଓ ରସିଦ ଖାନଙ୍କୁ ୧-୧ ଓ୍ଵିକେଟ ମିଳିଥିଲା।

ଦିଲ୍ଲୀ ପାଇଁ କୋଲିନ ମୋନରୋ ୪୦ ରନ କରିଥିଲେ। ସେ ୨୪ଟି ବଲ ଖେଳି ୪ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଶେୟୟ ଆୟାର ୪୦ଟି ବଲ ଖେଳି ୪୫ ରନ କରିଥିଲେ। ଦିଲ୍ଲୀ ନିଜର ସ୍କୋର ୧୧ ରନ୍‌ରେ ପୃଥ୍ଵୀ ଓ ୨୦ ରନ୍‌ରେ ଧାଓ୍ଵନଙ୍କୁ ହରାଇଥିଲା। ସ୍କୋର ୬୯ ରନ୍‌ରେ କୋଲିନ, ୧୨୫ ରନ୍‌ରେ ଶ୍ରେୟସ, ୧୨୭ ରନ୍‌ରେ ଋଷଭ ପନ୍ଥ, ୧୩୩ ରନ୍‌ରେ କ୍ରିସ୍‌ ମୋରିସ ଓ ୧୫୨ ରନ୍‌ରେ କିମୋ ପଲ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର