ଦୁବାଇ: ଚଳିତ ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ଦ୍ବିତୀୟ ମ୍ୟାଚ୍ ରବିବାର ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କେଏଲ୍ ରାହୁଲ୍ଙ୍କ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଇଥିଲା। ଏହି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ଟାଇ ରହିବା ପରେ ଦିଲ୍ଲୀ ବାଜି ମାରିନେଇଥିଲା। ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ। କାଗିସୋ ରବାଦାଙ୍କ ପ୍ରଥମ ବଲ୍ରେ କେଏଲ୍ ରାହୁଲ ୨ ରନ୍ ନେଇଥିଲେ। ଏହାର ପର ବଲ୍ରେ ତାଙ୍କୁ ଅକ୍ଷର ପଟେଲଙ୍କ ହାତରେ କ୍ୟାଚ୍ କରାଇ ନେଇଥିବା ରବାଦା ତୃତୀୟ ବଲ୍ରେ ନିକୋଲାସ୍ ପୂରନ୍ଙ୍କୁ ବୋଲ୍ଡ କରିଦେଇଥିଲେ। ଫଳରେ ପଞ୍ଜାବ ସ୍କୋର୍ ୨ ୱିକେଟ୍ ବିନିମୟରେ ୨ ରନ୍ ହୋଇଥିଲା। ମାମୁଲି ୩ ରନ୍ର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀ ପକ୍ଷରୁ ଋଷଭ ପନ୍ତ୍ ଓ ଶ୍ରେୟସ ଆୟର ବ୍ୟାଟିଂ ପାଇଁ ଓହ୍ଲାଇଥିଲେ। ମହମ୍ମଦ ସାମି ବୋଲିଂ ଭାର ସମ୍ଭାଳିଥିଲେ। ପ୍ରଥମ ବଲ୍ରେ କୌଣସି ରନ୍ ଦେଇନଥିଲା ବେଳେ ଦ୍ବିତୀୟ ବଲ୍ ୱାଇଡ୍ ପକାଇଥିଲେ। ତୃତୀୟ ବଲ୍ରେ ପନ୍ତ୍ ୨ ରନ୍ ନେଇ ଦିଲ୍ଲୀକୁ ବିଜୟ ଭେଟି ଦେଇଥିଲେ। ମାର୍କସ୍ ଷ୍ଟୋଇନିସ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ନିର୍ଧାରିତ ସମୟ ମ୍ୟାଚ୍ରେ ରବିଚନ୍ଦ୍ରନ୍ ଅଶ୍ବିନ୍ ମାତ୍ର ଗୋଟିଏ ଓଭର ବୋଲିଂ କରି ୨ ୱିକେଟ୍ ଦଖଲ କରିଥିଲେ। ହେଲେ ବାମ କାନ୍ଧରେ ଗୁରୁତର ଆଘାତ ପାଇ ସେ ପଡ଼ିଆ ଛାଡ଼ିଥିଲେ। ସେ ଆଉ ବୋଲିଂ କରିପାରିନଥିବାରୁ ପଞ୍ଜାବ ଫାଇଦା ଉଠାଇଥିଲା। ବିଶେଷକରି ମୟଙ୍କ ଅଗ୍ରୱାଲଙ୍କ ମାଡ଼ରେ ଦିଲ୍ଲୀ ଘାଇଲା ହୋଇଯାଇଥିଲା। ମାର୍କସ ଷ୍ଟୋଇନିସ୍ଙ୍କ ବିସ୍ଫୋରକ ଅର୍ଧଶତକ ପରେ ପଞ୍ଜାବ ପକ୍ଷରୁ ମଧ୍ୟ ମୟଙ୍କଙ୍କ ବିସ୍ଫୋରଣ ଦେଖିବାକୁ ମିଳିଥିଲା। ଶେଷ ଓଭରର ଚତୁର୍ଥ ବଲ୍ରେ ସ୍କୋର୍ ବରାବର ହୋଇଯାଇଥିଲା। ତେବେ ପଞ୍ଚମ ବଲ୍ରେ ମୟଙ୍କଙ୍କୁ ଆଉଟ୍ କରି ଷ୍ଟୋଇନିସ୍ ମ୍ୟାଚ୍ରେ ରୋମାଞ୍ଚ ଭରି ଦେଇଥିଲେ। ପୁଣି ଶେଷ ବଲ୍ରେ କ୍ରିସ୍ ଜୋର୍ଡନ୍ଙ୍କୁ ଆଉଟ୍ କରି ମ୍ୟାଚ୍ ଟାଇ କରିଦେଇଥିଲେ। ଦିଲ୍ଲୀର ୧୫୭/୮ ଜବାବରେ ପଞ୍ଜାବ ବି ୧୫୭/୮ କରିଥିଲା।
୧୫୮ ରନ୍ର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବ ପାଇଁ ଅଧିନାୟକ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ୩୦ ରନ୍ ଯୋଡ଼ିଥିଲେ। ହେଲେ ପରବର୍ତୀ ୨୫ ରନ୍ ଭିତରେ ୫ ୱିକେଟ୍ ହରାଇ ଘୋର ସଂକଟରେ ପଡ଼ିଯାଇଥିଲା ପଞ୍ଜାବ। ରାହୁଲଙ୍କୁ ମୋହିତ ଶର୍ମା ଆଉଟ୍ କରିବା ପରେ ଭାରତୀୟ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ ତା’ଙ୍କ ପ୍ରଥମ ଓଭରରେ ହିଁ କରୁଣ ନାୟାର ଓ ନିକୋଲାସ୍ ପୂରନ୍ଙ୍କୁ ପାଭିଲିୟନ୍ ପଠାଇ ପଞ୍ଜାବକୁ ଜବରଦସ୍ତ ଝଟ୍କା ଦେଇଥିଲେ। ଦଳ ୫୫/୫ରେ ସଂଘର୍ଷ କରୁଥିଲା ବେଳେ ବିଗ୍ ହିଟର ଭାବେ ପରିଚିତ ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ଉପରେ ପଞ୍ଜାବର ଭାଗ୍ୟ ନିର୍ଭର କରୁଥିଲା। ହେଲେ କାଗିସୋ ରବାଦା ହିଁ ମ୍ୟାକ୍ସୱେଲ୍କୁ ମାତ୍ର ୧ ରନ୍ରେ ପାଭିଲିୟନ୍ ପଠାଇ ଦିଲ୍ଲୀକୁ ବିଜୟ ବାସ୍ନା ଦେଇଥିଲେ। ପରେ ମୟଙ୍କ ତାଙ୍କ ଉଗ୍ରରୂପ ଦେଖାଇ ମ୍ୟାଚ୍ ଛଡ଼ାଇ ନେବାର ସମ୍ଭାବନା ସୃଷ୍ଟି କରିଥିଲେ। ମାତ୍ର ଶେଷ ଓଭରର ନାଟକ ହିଁ ମ୍ୟାଚ୍ ଟାଇ କରିଦେଇଥିଲା।
ଟସ୍ ଜିତି ପଞ୍ଜାବ ପ୍ରଥମେ ବ୍ୟାଟିଂ ପାଇଁ ଦିଲ୍ଲୀକୁ ଆମନ୍ତ୍ରଣ କରିଥିଲା। ଅଭିଜ୍ଞ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ୍ ଖାତା ଖୋଲିବା ପୂର୍ବରୁ ରନ୍ ଆଉଟ୍ ହୋଇଯିବା ପରେ ପୃଥ୍ବୀ ସ’ ଓ ସିମ୍ରନ୍ ହେଟ୍ମେୟର ମଧ୍ୟ ଚତୁର୍ଥ ଓଭର ସୁଦ୍ଧା ପାଭିଲିୟନ୍ ଫେରିଯାଇଥିଲେ। ଭାରତୀୟ ଆନ୍ତର୍ଜାତିକ ଦ୍ରୁତ ବୋଲର ମହମ୍ମଦ ସାମି ଏହି ଦୁହିଁଙ୍କୁ ଆଉଟ୍ ଦିଲ୍ଲୀକୁ ଯୁଗଳ ଝଟ୍କା ଦେଇଥିଲେ। ତେବେ ମଧ୍ୟକ୍ରମରେ ଅଧିନାୟକ ଶ୍ରେୟସ ଆୟର ଏବଂ ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍ ଚତୁର୍ଥ ୱିକେଟ୍ରେ ୭୩ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଏହାପରେ ୧୦ ରନ୍ ଭିତରେ ଆଉ ୩ ୱିକେଟ୍ ହରାଇ ଦିଲ୍ଲୀ ସଂଘର୍ଷ କରିଥିଲା। ହେଲେ ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ମାର୍କୋସ୍ ଷ୍ଟୋଇନିସ୍ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋର୍କୁ ୧୫୦ ପାରି କରାଇଥିଲେ। ସେ ୨୦ ବଲ୍ରୁ ଅର୍ଧଶତକ ଏବଂ ୨୧ ବଲ ବଲ୍ରୁ ୫୩ ରନ୍ କରି ଶେଷ ଓଭରର ପଞ୍ଚମ ବଲ୍ରେ ରନ୍ ଆଉଟ୍ ହୋଇଯାଇଥିଲେ। ଶେଷରେ ଦିଲ୍ଲୀ ୮ ୱିକେଟ୍ ହରାଇ ୧୫୭ ରନ୍ରେ ପହଞ୍ଚି ଯାଇଥିଲା।