ପୃଥ୍ବୀ ୯୯, ଦିଲ୍ଲୀର ସୁପର ଓଭର ବିଜୟ

ନୂଆଦିଲ୍ଲୀ: ଆଇପିଏଲ୍‌ର ଦ୍ବାଦଶ ସଂସ୍କରଣରେ ଶନିବାର ପ୍ରଥମ ସୁପର୍ ଓଭର ରୋମାଞ୍ଚ ଦେଖିବାକୁ ମିଳିଥିଲା। ଉଭୟ ଦିଲ୍ଲୀ ଏବଂ କୋଲକାତା ୧୮୫ ରନ୍‌ କରି ମ୍ୟାଚ୍‌ ଟାଇ ରଖିବାରୁ ସୁପର୍ ଓଭର ଖେଳାଯାଇଥିଲା। ପ୍ରସିଦ୍ଧ କୃଷ୍ଣଙ୍କ ଓଭରରୁ ଦିଲ୍ଲୀ ୧୦ ରନ୍ (୧, ୪, ଆଉଟ, ୨, ୨, ୧) କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର କାଗିସ‌ୋ ରବାଦାଙ୍କ ଓଭରରୁ କେକେଆର୍ (୪, ୦, ଆଉଟ୍, ୧, ୧, ୧) ମାତ୍ର ୭ ଆଦାୟ କରି ୩ ରନ୍‌ରେ ହାରିଯାଇଥିଲା। ଦିଲ୍ଲୀ ନିଜର ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଥିବାବେଳେ କେକେଆର୍ ପ୍ରଥମ ପରାଜୟ ବରଣ କରିଛି। ପୃଥ୍ବୀ ସ’ (୯୯, ୫୫ ବଲ) ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଦଳ ବିଜୟରୁ ବଞ୍ଚିତ ରହିନଥିଲା। ଶନିବାରର ଦ୍ବିତୀୟ ମ୍ୟାଚ୍‌ରେ ଚମତ୍କାର ପ୍ରତ୍ୟାବର୍ତନ କରିଥିବା କେକେଆର୍ ପାଇଁ ଅଧିନାୟକ ଦୀନେଶ କାର୍ତିକ ଏବଂ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଲଢ଼ୁଆ ଅର୍ଧଶତକ ହାସଲ କରିଥିଲେ ମଧ୍ୟ ଶତକୀୟ ଭାଗୀଦାରି (୯୫ ରନ୍, ୪୮ ବଲ)ରୁ ବଞ୍ଚିତ ରହିଥିଲେ। କେକେଆର୍ ୧୦ମ ଓଭର ଆରମ୍ଭରୁ ୬୧/୫ରେ ସଂଘର୍ଷ କରିଥିଲା। କାର୍ତିକ (୫୦‌, ୩୬ ବଲ, ୫ ଚୌକା, ୨ ଛକା) ଏବଂ ରସେଲ (୬୨, ୨୮ ବଲ, ୪ ଚୌକା, ୬ ଛକା) ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଲଢ଼ୁଆ ସ୍କୋର ପ୍ରଦାନ କରିଥିଲେ। ସୁନୀଲ ନରିନ୍‌ଙ୍କ ଆହତ କାରଣରୁ ପାଳି ଆରମ୍ଭ କରିଥିବା ନିଖିଲ ନାଏକ (୭, ୧୬ ବଲ) ବିଫଳ ହୋଇଥିଲେ। ନୀତିଶ ରାଣା, ରବିନ ଉଥପ୍ପାଙ୍କୁ ହର୍ଷଲ ପଟେଲ୍ ଆଉଟ୍ କରିଥିଲେ। ଶୁଭମନ ଗିଲ ଏବଂ ପୀୟୂଷ ଚାୱଲା ରନ୍‌ ଆଉଟ୍ ହୋଇଥିଲେ। ୧୮୫ ରନ୍‌କୁ ପଶ୍ଚାତଧାବନ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଶିଖର ଧାୱନ (୧୬, ୮ ବଲ, ୨‌ ଚୌକା, ୧ ଛକା)ଙ୍କୁ ସଅଳ ହରାଇଥିଲା। କିନ୍ତୁ ପୃଥ୍ବୀ ସ’ (୯୯, ୫୫ ବଲ, ୧୨ ଚୌକା, ୩ ଛକା) ଏବଂ ଅଧିନାୟକ ଶ୍ରେୟସ ଆୟର (୪୩, ୩୨ ବଲ, ୪ ଚୌକା, ୨ ଛକା) ଦ୍ବିତୀୟ ୱିକେଟ୍ ପାଇଁ ୮୯ ରନ୍ ଯୋଡ଼ିଥିଲେ। ଏହା ପରେ କଲିନ୍ ଇନଗ୍ରାମ, ଋଷବ ପନ୍ତ୍, ହନୁମା ବିହାରୀ ବିଫଳ ହେବାରୁ ଦିଲ୍ଲୀ ଆଗକୁ ବଢ଼ି ପାରିନଥିଲା। ଶେଷ ଓଭରରୁ ୬ ରନ୍ ଆବଶ୍ୟକ ଥିଲେ ମଧ୍ୟ କୁଲଦୀପ ଯାଦବ ମାତ୍ର ୫ ରନ୍ ଦେଇ ବିହାରୀଙ୍କ ୱିକେଟ୍‌ ନେଇ ମ୍ୟାଚ୍‌କୁ ଟାଇ କରିଦେଇଥିଲେ।

ସଂକ୍ଷିପ୍ତ ସ୍କୋର: କୋଲ୍‌କାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୧୮୫/୮ (ଆନ୍ଦ୍ରେ ରସେଲ-୬୨, ଦୀନେଶ କାର୍ତିକ-୫୦, କ୍ରିସ୍ ଲିନ୍-୨୦, ହର୍ଷଲ ପଟେଲ-୨/୪୦, ଲାମିଚାନ୍‌-୧/୨୯, କ୍ରିସ୍‌ ମୋରିସ୍‌-୧/୩୫, ଅମିତ୍ ମିଶ୍ରା-୧/୩୬, କାଗିସୋ ରବାଦା-୧/୪୧)। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୮୫/୩ (ପୃଥ୍ବୀ ସ’-୯୯, ଶ୍ରେୟସ ଆୟର-୪୩, , କୁଲଦୀପ ଯାଦବ-୨/୪୧, ଆନ୍ଦ୍ରେ ରସେଲ-୧/୨୮, ପୀୟୂଷ ଚାୱଲା-୧/୩୬, ଲୋକି ଫର୍ଗୁସନ୍‌-୧/୩୮)।

ସମ୍ବନ୍ଧିତ ଖବର