ଆଇପିଏଲ : ପଂଜାବକୁ ୯ ଓ୍ବିକେଟରେ ହରାଇଲା ଦିଲ୍ଲୀ

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ପଂଜାବକୁ  ୯ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ । ପଂଜାବ ଦ୍ବାରା ରଖାଯାଇଥିବା ୧୧୬ ରନର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ୧୧ତମ ଓଭରରେ ମାତ୍ର ଗୋଟିଏ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଡେଭିଡ ଓ୍ବାର୍ନର ଅପରାଜିତ ୬୦ ରନ କରିଥିବାବେଳେ ପୃଥ୍ବୀ ଶ’ ୪୧ ରନ କରିଥିଲେ ।

ଏହି ମ୍ୟାଚରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ପଂଜାବ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ପକ୍ଷରୁ ଜିତେଶ ଶର୍ମା ସର୍ବାଧିକ ୩୨ ରନ ଓ ମୟଙ୍କ ଅଗ୍ରଓ୍ବାଲ ୨୪ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦଳକୁ ନିରାଶ କରିଥିଲେ । ଗୋଟିଏ ସମୟରେ ଲାଗୁଥିଲା ଯେ ଦଳ ୧୦୦ ମଧ୍ୟ ଛୁଇଁପାରିବ ନାହିଁ । ତେବେ ଦଳ ୨୦ ଓଭରରେ ୧୧୫ ରନ କରି ଅଲଆଉଟ ହୋଇଯାଇଥିଲା । ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ, କୁଳଦୀପ ଯାଦବ, ଅକ୍ଷର ପଟେଲ ଓ ଲଲିତ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ବିଜୟ ସହ ଦିଲ୍ଲୀ ୬ଟି ମ୍ୟାଚରୁ ୩ ବିଜୟ ସହ ୬ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର