ନୂଆଦିଲ୍ଲୀ: ସୁପର ଓଭରର ସୁପର ରୋମାଞ୍ଚରେ ବାଜି ମାରି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଚଳିତ ଆଇପିଏଲର ପ୍ରଥମ ସୁପର ଓଭର ମୁକାବିଲାରେ ବିଜୟର ମିଠାମିଠା ସ୍ବାଦ ଚାଖି ରାଜସ୍ଥାନକୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ହରାଇ ଦେଇଛି। ବୁଧବାରର ଏହି ଉତ୍ଥାନ ପତନ ଭରା ମୁକାବିଲାରେ ଦିଲ୍ଲୀ ପ୍ରଥମେ ୧୮୮/୫ କରିଥିଲା। ଏହା ପରେ ରାଜସ୍ଥାନ ୧୮୮/୪ କରିବାରୁ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା। ଏଥିରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୨ ରନ୍ର ଲକ୍ଷ୍ୟ ଦେଇଥିଲା। ଯାହାକୁ ଦିଲ୍ଲୀ ମାତ୍ର ୪ଟି ବଲ୍ରେ ହାସଲ କରି ନେଇ ଷଷ୍ଠ ମ୍ୟାଚ୍ରୁ ପଞ୍ଚମ ବିଜୟ ପାଇଥିଲା। ଅନ୍ୟପକ୍ଷରେ ରାଜସ୍ଥାନ ସପ୍ତମ ମ୍ୟାଚ୍ରୁ ପଞ୍ଚମ ପରାଜୟ ବରଣ କରିଥିଲା।
୧୮୯ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଅଧିନାୟକ ସଞ୍ଜୁ ସାମସନ୍ ଓ ଯୁବ ତାରକା ଯଶସ୍ବୀ ଜୟସ୍ବାଲ (୫୧) ପ୍ରଥମ ୱିକେଟ୍ରେ ୬୧ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ସାମସନ୍ ଭଲ ଖେଳୁଥିଲା ବେଳେ ବ୍ୟକ୍ତିଗତ ଭାବେ ୩୧ ରନ୍ରେ ଥାଇ ଆହତ ଅବସର ହୋଇଥିଲେ। ଜୟସ୍ବାଲ କିନ୍ତୁ ଏକାଗ୍ରତା ନହରାଇ ଉପଯୋଗୀ ଅର୍ଦ୍ଧଶତକ ପୂରଣ କରି ନେଇଥିଲେ। ରିୟାନ ପରାଗ (୮)ଙ୍କୁ କ୍ଲିନ୍ ବୋଲ୍ଡ କରି ପ୍ରତିପକ୍ଷ ଅଧିନାୟକ ଅକ୍ଷର ପଟେଲ ମ୍ୟାଚ୍ରେ କିଛିଟା ରୋମାଞ୍ଚ ଭରିଥିଲେ। ତେବେ ନୀତୀଶ ରାଣା (୫୧) ଓ ଧ୍ରୁବ ଜୁରେଲ (୨୫*)ଙ୍କ ଦ୍ରୁତ ଓ ଦାୟିତ୍ବବାନ ବ୍ୟାଟିଂ ପାଇଁ ରାଜସ୍ଥାନ ବିଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। ତେବେ ମିଚେଲ ଷ୍ଟାର୍କଙ୍କ ଶେଷ ଓଭରରେ ମ୍ୟାଚ୍ ନାଟକୀୟ ମୋଡ଼ ନେଇଥିଲା। ଶେଷ ବଲ୍ରୁ ବିଜୟ ପାଇଁ ୨ ରନ୍ରେ ଦରକାର ଥିଲା ବେଳେ ଧ୍ରୁବ ଜୁରେଲ ମାତ୍ର ୧ ରନ୍ କରିପାରିଥିଲେ। ଦ୍ବିତୀୟ ରନ୍ ନେଲା ବେଳେ ରନ୍ଆଉଟ୍ ହୋଇଯାଇଥିଲେ। ମିଚେଲ ଷ୍ଟାର୍କ ୯ ରନ୍କୁ ସୁରକ୍ଷିତ ରଖିବା ସହ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା।
ପୂର୍ବରୁ ରାଜସ୍ଥାନ ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦିଲ୍ଲୀ ଦ୍ରୁତ ଆରମ୍ଭ କରିଥିଲା। ତେବେ ତୃତୀୟ ଓଭରରେ ଜେକ୍ ଫ୍ରେଜର ମ୍ୟାକଗର୍କ (୯)ଙ୍କୁ ଜୋଫ୍ରା ଆର୍ଚର ଆଉଟ୍ କରି ଦିଲ୍ଲୀକୁ ପ୍ରଥମ ଝଟ୍କା ଦେଇଥିଲେ। ସେତେବେଳକୁ ଦିଲ୍ଲୀର ସ୍କୋର୍ ଥିଲା ୩୪ ରନ୍। ପୁଣି ସେହି ସ୍କୋର୍ରେ ଗତ ମ୍ୟାଚ୍ର ଅର୍ଦ୍ଧଶତକ ହାସଲକାରୀ କରୁଣ ନାୟର ରନ୍ଆଉଟ୍ ହେବା ଦିଲ୍ଲୀକୁ ଅଡ଼ୁଆରେ ପକାଇଥିଲା। ତେବେ ଇମ୍ପାକ୍ଟ ପ୍ଲେୟର ଅଭିଷେକ ପୋରେଲ୍ (୪୯) ନିଜ ସ୍ବାଭାବିକ ଖେଳ ଖେଳି ଦ୍ରୁତ ଗତିରେ ଅର୍ଦ୍ଧଶତକ ଆଡ଼କୁ ଗତି କରୁଥିଲେ। ତେବେ ଏହି ମାଇଲ୍ଖୁଣ୍ଟର ୧ ରନ୍ ପୂର୍ବରୁ ୱାନିନ୍ଦୁ ହସରଙ୍ଗା ତାଙ୍କୁ ଚତୁରତାର ସହ ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ। କେଏଲ୍ ରାହୁଲ (୩୮) ଧୈର୍ଯ୍ୟପୂର୍ଣ୍ଣ ପାଳି ସହ ଅଧିନାୟକ ଅକ୍ଷର ପଟେଲ (୩୪ ରନ୍, ୧୪ ବଲ୍) ଏବଂ ତ୍ରିଷ୍ଟନ ଷ୍ଟବ୍ସ (୩୪* ରନ୍, ୧୮ ବଲ୍)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ ୫ ୱିକେଟ୍ ବିନିମୟରେ ୧୮୮ ରନ୍ କରି ନେଇଥିଲା। ଆଶୁତୋଷ ଶର୍ମା ମଧ୍ୟ ୧୧ ବଲ୍ରୁ ୧୫* ରନ୍ କରି ନିଜ ଦାୟିତ୍ବ ଠିକ୍ ଭାବେ ତୁଲାଇଥିଲେ। ତେବେ ଗତ ୭ ମ୍ୟାଚ୍ରେ ପ୍ରଥମ ଥର ପାଇଁ ଆଗ ବ୍ୟାଟିଂ କରିଥିବା ଦଳ ୨୦୦ ଟପି ପାରି ନଥିଲା।
ସଂକ୍ଷିପ୍ତ ସ୍କୋର୍: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୮୮/୫ (ଅଭିଷେକ ପୋରେଲ ୪୯, କେଏଲ୍ ରାହୁଲ ୩୮, ତ୍ରିଷ୍ଟନ୍ ଷ୍ଟବ୍ସ ୩୪*, ଅକ୍ଷର ପଟେଲ ୩୪, ଆଶୁତୋଷ ଶର୍ମା ୧୫*, ଜୋଫ୍ରା ଆର୍ଚର ୨/୩୨, ୱାନିନ୍ଦୁ ହସରଙ୍ଗା ୧/୩୮)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୮୮/୪ (ଯଶସ୍ବୀ ଜୟସ୍ବାଲ ୫୧, ନୀତୀଶ ରାଣା ୫୧, ସଞ୍ଜୁ ସାମସନ୍ ୩୧ ଆହତ ଅବସର, ଧ୍ରୁବ ଜୁରେଲ ୨୬, ଅକ୍ଷର ପଟେଲ ୧/୨୩, ମିଚେଲ ଷ୍ଟାର୍କ ୧/୩୬, କୁଲଦୀପ ଯାଦବ ୧/୩୩)।