ସୁପର୍‌ ଓଭରରେ ଜିତିଲା ଦିଲ୍ଲୀ, ପୃଥ୍ବୀଙ୍କ ଅର୍ଦ୍ଧଶତକ

ଚେନ୍ନାଇ: ଚଳିତ ଆଇପିଏଲ୍‌ରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ସୁପର୍‌ ଓଭରରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ମ୍ୟାଚ୍‌ ବେଳେ ଉଭୟ ଦଳ ୧୫୯ ରନ୍‌ କରିଥିବା ବେଳେ ସୁପର୍‌ ଓଭରରେ ଦିଲ୍ଲୀ ଶେଷ ବଲ୍‌ରେ ବିଜୟୀ ହୋଇଥିଲା। ଏଥି ସହିତ ଋଷଭ ପନ୍ତ୍‌ଙ୍କ ଦଳ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ ଦ୍ବିତୀୟ ସ୍ଥାନକୁ ଉଠିଛି। ହାଇଦ୍ରାବାଦ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରି ସପ୍ତମ ସ୍ଥାନରେ ରହିଛି।
୧୬୦ ରନ୍‌ ବିଜୟ ଲକ୍ଷ୍ୟରେ ବ୍ୟାଟିଂ କରିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ଡେଭିଡ୍ ୱାର୍ଣ୍ଣରଙ୍କୁ ସଅଳ ହରାଇଥିଲା। ତେବେ ଜନି ବେୟାରଷ୍ଟୋ (୩୮, ୧୮ ବଲ୍, ୩ ଚୌକା, ୪ ଛକା)ଙ୍କ ବାଦ୍‌ ଏକା କେନ୍‌ ୱିଲି୍ୟମସନ୍ (୬୬*, ୫୧ ବଲ୍‌) ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ।

ଏହି ଦୁଇ ଜଣଙ୍କ ବାଦ୍‌ ପ୍ରଥମ ମ୍ୟାଚ୍‌ ଖେଳୁଥିବା କର୍ଣ୍ଣାଟକ ଅଲରାଉଣ୍ଡର୍‌ ସୁଚିତ ଜଗଦୀଶ ୬ ବଲ୍‌ରୁ ୧୫* ରନ୍‌ କରିବାରୁ ମ୍ୟାଚ୍‌ ଟାଇ ପର୍ଯ୍ୟନ୍ତ ଯାଇଥିଲା। ଶେଷ ଓଭରରୁ ହାଇଦ୍ରାବାଦକୁ ୧୬ ରନ୍‌ ଆବଶ୍ୟକ ପଡିଥିବା ବେଳେ କାଗ‌ିସୋ ରବାଦା ୧୫ ରନ୍ ବ୍ୟୟ କରିଥିଲେ। ମ୍ୟାଚ୍‌ ସୁପର୍‌ ଓଭରକୁ ଯିବା ପରେ ହାଇଦ୍ରାବାଦ ପାଇଁ ୱିଲିୟମସନ୍‌ ଓ ୱାର୍ନର ପ୍ରତିପକ୍ଷ ସ୍ପିନର୍‌ ଅକ୍ଷର ପଟେଲଙ୍କଠାରୁ ମାତ୍ର ୭ ରନ୍ ଆଦାୟ କରିପାରିଥିଲେ। ବାସ୍ତବରେ ଦିଲ୍ଲୀ ପାଇଁ ଶିଖର ଧାୱନ ଏବଂ ଋଷଭ ପନ୍ତ୍‌ ବ୍ୟାଟିଂ କରିବାକୁ ଆସିଥିଲେ। ରସିଦ୍‌ ଖାନ୍‌ଙ୍କ ଏହି ଓଭରରୁ (୧,୧ବାଇ, ୪, ୦, ୧ ବାଇ, ୧) ବହୁ କଷ୍ଟରେ ୮ ରନ୍‌ ଆଦାୟ କରି ନେଇଥିଲେ।

ପୃଥ୍ବୀଙ୍କ ଅର୍ଦ୍ଧଶତକ
ଚଳିତ ଆଇପିଏଲ୍‌ରେ ରବିବାର ପୃଥ୍ବୀ ସ’ଙ୍କ ବ୍ୟାଟ୍‌ରୁ ପ୍ରତୀକ୍ଷିତ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷ ଦଳର ପ୍ରଥମ ମ୍ୟାଚ୍‌ରେ ୭୨ ରନ୍‌ କରିଥିବା ପୃଥ୍ବୀଙ୍କ ବ୍ୟାଟ୍‌ ପରବର୍ତୀ ୩ ପାଳିରେ (୨, ୩୨, ୭) ଶାନ୍ତ ପଡ଼ିଯାଇଥିଲା। ରବିବାର କିନ୍ତୁ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆକର୍ଷଣୀୟ ପାଳି ଖେଳି ୩୯ ବଲ୍‌ରୁ ୫୩ ରନ୍‌ କରିଥିଲେ। ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଯାଇଥିଲେ ମଧ୍ୟ ଦଳକୁ ପ୍ରଥମ ୱିକେଟ୍ ଭାଗୀଦାରିରେ ଶିଖର ଧାୱନଙ୍କ ସହ ମିଶି ୮୧ ରନ୍‌ର ଦୃଢ଼ ମୂଳଦୁଆ ପ୍ରଦାନ କରିଥିଲେ। ଧାୱନ (୨୮, ୨୬ ବଲ୍)ଙ୍କୁ ଆଫଗାନିସ୍ତାନ ସ୍ପିନର୍‌ ରସିଦ୍ ଖାନ୍ ବୋଲ୍ଡ କରି ଦେଇଥିଲେ। ପରବର୍ତୀ ଓଭରରେ ପୃଥ୍ବୀଙ୍କ ରନ୍‌ ଆଉଟ୍‌ କାରଣରୁ ଦିଲ୍ଲୀ ୮୪ ରନ୍‌ ଭିତରେ ଏହାର ଉଭୟ ପ୍ରାରମ୍ଭିକ ଯୋଡ଼ିଙ୍କୁ ହରାଇଥିଲା।

ତେବେ ଅଧିନାୟକ ଋଷଭ ପନ୍ତ (୩୭, ୨୭ ବଲ୍‌, ୪ ଚୌକା, ୧ ଛକା) ଏବଂ ଅଷ୍ଟ୍ରେଲୀୟ ତାରକା ଷ୍ଟିଭେନ୍ ସ୍ମିଥ୍‌ (୩୪*, ୨୫ ବଲ୍‌, ୩ ଚୌକା, ୧ ଛକା)ଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗୀଦାରି ହୋଇଥିଲା। ଉଭୟ ୬.୫ ଓଭରରେ ୫୮ ରନ୍‌ ଯୋଡ଼ି ମଧ୍ୟକ୍ରମ ସମ୍ଭାଳି ନେଇଥିଲେ। ଚେନ୍ନାଇର ମନ୍ଥର ପିଚ୍‌ରେ ଖେଳିବା କଷ୍ଟସାଧ୍ୟ ହେଉଥିବାରୁ ଦିଲ୍ଲୀ ବଡ଼ ସ୍କୋର୍‌ କରିବାରେ ସକ୍ଷମ ହୋଇପାରିନଥିଲା। ତଥାପି ଖଲିଲ୍ ଅହମ୍ମଦଙ୍କୁ ଶେଷ ଓଭରରେ ଗୋଟିଏ ଲେଖାଏଁ ଚୌକା ଓ ଛକା ମାରି ସ୍ମିଥ୍‌ ୧୪ ରନ୍‌ ଆଦାୟ କରିବାରୁ ଦଳ ୧୫୯ ରନ୍‌ର ଲଢ଼ୁଆ ସ୍କୋର୍‌ କରି ନେଇଥିଲା। ହାଇଦ୍ରାବାଦ ପକ୍ଷରୁ ସିଦ୍ଧାର୍ଥ କୌଲ୍‌ (୪-୦-୩୧-୨) ସଫଳ ବୋଲର ରହିଥିଲେ। ପ୍ରଥମ ମ୍ୟାଚ୍‌ ଖେଳିଥିବା ସୁଚିତ୍ ଜଗଦୀଶା ୱିକେଟ୍ ପାଇନଥିଲେ ମଧ୍ୟ ତାଙ୍କ ୪ ଓଭରରେ ମାତ୍ର ୨୧ ରନ୍‌ ଦେଇଥିଲେ। ଖଲିଲ୍‌ ମହଙ୍ଗା ସାବ୍ୟସ୍ତ ହୋଇ ୪୨ ରନ୍‌ ଦେଇ ୱିକେଟଶୂନ୍ୟ ରହିଥିଲେ।

ସମ୍ବନ୍ଧିତ ଖବର