କୋଟ୍‌ଲାର ନାଁ ଏଣିକି ଜେଟ୍‌ଲୀ ଷ୍ଟାଡିୟମ୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଫିରୋଜ ଶାହା କୋଟ୍‌ଲା ଷ୍ଟାଡିୟମ୍‌ର ନାଁ ବଦଳିଯିବ। ସ୍ବର୍ଗତ ଅରୁଣ ଜେଟ୍‌ଲୀଙ୍କ ନାମରେ ଏହି ଷ୍ଟାଡିୟମ୍‌ ନାମିତ ହେବ। ଫଳରେ ଏଣିକି କୋଟ୍‌ଲା ପରିବର୍ତେ ଏହା ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ ହେବ। ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଛି ଦିଲ୍ଲୀ ଆଣ୍ଡ୍‌ ଡିଷ୍ଟ୍ରିକ୍ଟସ୍‌ କ୍ରିକେଟ୍‌ ସଂଘ (ଡିଡିସିଏ)। ଜେଟ୍‌ଲୀ ଡିଡିସିଏର ପୂର୍ବତନ ସଭାପତି ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୋଟ୍‌ଲା ଷ୍ଟାଡିୟମ୍‌ର ନବୀକରଣ ଦିଗରେ ଜେଟ୍‌ଲୀଙ୍କ ବଳିଷ୍ଠ ଅବଦାନ ଥିଲା। କୋଟ୍‌ଲାରେ ଦର୍ଶକଙ୍କ ଆସନ ସଂଖ୍ୟା ବୃଦ୍ଧି କରିବା ସାଙ୍ଗକୁ ଏଥିରେ ଏକ ବିଶ୍ବସ୍ତରୀୟ ଡ୍ରେସିଂ ରୁମ୍‌ ନିର୍ମାଣ କରିଥିଲେ ଜେଟ୍‌ଲୀ। କେବଳ ସେତିକି ନୁହେଁ ବିରାଟ କୋହଲି, ବୀରେନ୍ଦ୍ର ସେହବାଗ୍‌, ଗୌତମ ଗମ୍ଭୀର, ଆଶିଷ ନେହେରା, ଋଷଭ ପନ୍ତ୍ ଓ ଅନ୍ୟାନ୍ୟ ଅଧିକାଂଶ ଦିଲ୍ଲୀ ଖେଳାଳିଙ୍କୁ ଭାରତର ଗର୍ବ ବନାଇବାରେ ଜେଟ୍‌ଲୀଙ୍କ ବିପୁଳ ସମର୍ଥନ ରହିଥିଲା। ଏକଥା କହିଛନ୍ତି ଏବର ଡିଡିସିଏ ସଭାପତି ରଜତ ଶର୍ମା।

ସମ୍ବନ୍ଧିତ ଖବର