ପ୍ରଫୁଲ୍ଲ କିଶୋର ସାହୁ

ଭୁବନେଶ୍ବର: ଦିନେ ଡେଲିଭରି ବୟ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନେବାର ସ୍ବପ୍ନ ପୂରଣ କରିବାକୁ ଯାଉଛନ୍ତି ପ୍ରତୀକ ମହାରଣା। କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ୪୦ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଏହି ଓଡ଼ିଆ ପୁଅ ସୋମବାର ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଆମେରିକାର ୟୁଗେନ୍‌ରେ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ମାନଦଣ୍ଡ (୨୦.୨୫ ସେକେଣ୍ଡ୍‌)କୁ ପାର୍‌ କରିଛନ୍ତି। ଫାଇନାଲ୍‌‌ରେ ୨୦୦ ମିଟର ରେସ୍‌କୁ ସେ ୨୧.୨୪ ସେକେଣ୍ଡରେ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ସଫଳତାର ଶ୍ରେୟ ସେ ତାଙ୍କ ପ୍ରଶିକ୍ଷକ ଶିବପ୍ରସାଦ ମିଶ୍ର ଏବଂ ଦୂତି ଚାନ୍ଦ ଫାଉ‌ଣ୍ଡେସନ୍‌କୁ ଦେଇଛନ୍ତି।

Advertisment

ମୁଁ ସ୍କୁଲ୍‌ରେ ଭଲ ଖେଳୁଥିଲି। ହେଲେ ପରିବାରର ସ୍ଥିତି ଭଲ ନଥିବାରୁ ଖେଳ ଛାଡ଼ି ଡେଲିଭରି ବୟ ଭାବେ କାମ କରି ରେଜଗାର କରୁଥିଲି। ଏହି ସମୟରେ ଆମ ସ୍କୁଲ୍‌କୁ ‌ଦୂତି ଚାନ୍ଦ ଓ ଶିବ ପ୍ରସାଦ ମିଶ୍ର ଆସିଥିଲେ। ମୋର ପ୍ରଦର୍ଶନ ଦେଖି ଦୂତି ଚାନ୍ଦ ସ୍ପୋର୍ଟ୍ସ ଫାଉ‌ଣ୍ଡେସନ୍‌ରେ ସାମିଲ କରିବାକୁ ଆଗ୍ରହ ଦେଖାଇଲେ। ମୋ ରୋଜଗାରରେ ପରିବାର ଚଳୁଥିବାରୁ ବାପା-ମା’ ମୋତେ ଛାଡ଼ିବାକୁ ରାଜି ହେଉ ନଥିଲେ। ଶିବ ସାର୍‌ ଓ ଦୂତି ମାଡାମ୍‌ ବହୁ ବୁଝାସୁଝା କରିବା ପରେ ରାଜି ହୋଇଥିଲେ। ସେହିଦିନଠୁ (୨୦୧୯) ରାଉରକେଲାସ୍ଥିତ ଦୂତି ଚାନ୍ଦ ଫାଉଣ୍ଡେସନ୍‌ରେ ପ୍ରଶିକ୍ଷଣ ନେଉଛି। ଶିବ ସାର୍‌ଙ୍କ ପ୍ରଶିକ୍ଷଣ ଓ ସହାୟତା ଯୋଗୁଁ ମୁଁ ଆଜି ଏତେ ବାଟ ଆସିପାରିଛି ବୋଲି କହିଛନ୍ତି ପ୍ରତୀକ। ବରଗଡ଼ ଜିଲ୍ଲାର ଡାଙ୍ଗ ଗାଁର ଯୁଧିଷ୍ଠିର ମହାରଣା ଓ ଉର୍ମିଳା ମହାରଣାଙ୍କ ପୁଅ ପ୍ରତୀକ ମହାରଣା। 

ଗତ ବର୍ଷ ଚେନ୍ନାଇରେ ଆୟୋଜିତ ଚତୁର୍ଥ ଏସୀୟ ‌କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥି‌ଲେ। ‌ଏହି ପ୍ରତିଯୋଗିତାର ୨୦୦ ମିଟର ଦୌଡ଼ ଓ ୧୦୦ ମିଟର ରିଲେରେ ‌ରୌପ୍ୟ ଜିତିବାର ସୌଭାଗ୍ୟ ପାଇଥିଲେ। ଚଳିତ ବର୍ଷ ଜୁନ୍‌ରେ ଜାତୀୟ ୨୦ ବର୍ଷରୁ କମ୍‌ ଫେଡେ‌ରେସନ୍‌ ଦୌଡ଼କୁଦ ପ୍ରତିଯୋଗିତାର ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଥିଲେ। ଗତବ‌ର୍ଷ କଳିଙ୍ଗ‌ ଷ୍ଟାଡିୟମ୍‌ରେ ଆୟୋଜିତ ୩୯ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ୧୮ ବର୍ଷରୁ କମ୍‌ ବର୍ଗର ୨୦୦ ମିଟର ଦୌଡ଼‌ରେ ମିଟ୍‌ ରେକର୍ଡ (୨୧.୨୮ ସେକେଣ୍ଡ) ମଧ୍ୟ ସ୍ବର୍ଣ୍ଣ ପଦକ ପାଇଥିଲେ। ଚଳିତ ବର୍ଷ ଏଠାରେ ଏହି ସମୟଠୁ ଭଲ କରି ୨୦ ବର୍ଷରୁ କମ୍‌ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ମାନଦଣ୍ଡ ପାର୍‌ କରିଛନ୍ତି। ‘‘ଏଥିଲାଗି ବହୁତ ଖୁସି ଲାଗୁଛି। ୧୦୦ ମିଟରରେ ଏଠାରେ ମଧ୍ୟ ରୌପ୍ୟ ଜିତିଛି। ‌ଆଣ୍ଠୁରେ ଯନ୍ତ୍ରଣା ଥିବାରୁ ୧୦୦ ମିଟରରେ ସ୍ବର୍ଣ୍ଣ ହୋଇ ପାରି ନଥିଲା। ଏଥିପାଇଁ ଟିକେ ଦୁଃଖ ଲାଗିଥିଲା। ଦୁଇ ପ୍ରତିଯୋଗିତା ଭିତରେ ଦୁଇଦିନ ସମୟ ମିଳିଥିବାରୁ ମୁଁ ନିଜକୁ ଫିଟ୍‌ କରି ଏହି ସଫଳତା ପାଇପାରିଛି। ଆଗକୁ ରାଞ୍ଚିରେ ସାଫ୍‌ ଦୌଡ଼କୁଦ ରହିଛି। ଏହା ବରିଷ୍ଠ ସ୍ତରୀୟ ଥିବାରୁ ମୁଁ ଭାଗ‌ନେବିନି। ଫେଡେରେସନ୍‌ କପ୍ ମୋ ପରବର୍ତ୍ତୀ ଲକ୍ଷ୍ୟ’’ ବୋଲି କହିଛନ୍ତି ପ୍ରତୀକ। କଳିଙ୍ଗ ଷ୍ଟାଡିୟମ୍‌ ପରି ମୁଁ ଅଭ୍ୟାସ କରୁଥିବା ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ସେଭଳି ସୁବିଧା ସୁଯୋଗ ନାହିଁ। ହେଲେ ଶିବ ସାର୍‌ଙ୍କ ଭଳି ପ୍ରଶିକ୍ଷକ ପାଇଥିବାରୁ ରାଉରକେଲା ଛାଡ଼ିବାକୁ ଚାହୁନି। ଶିବ ସାର୍‌ ମୋତେ ସ୍ପାଇକ୍‌ଠୁ ଆରମ୍ଭ କରି ସବୁ ଦେଉଛନ୍ତି। ମୋତେ ସରକାରୀ ସହାୟତା ସେମିତି କିଛି ମିଳିନି। ପଦକ ଜିତିଲେ ହିଁ ଅଛି ସେହିମତେ ସରକାରୀ ଯୋଜନାର ପ୍ରୋତ୍ସାହନ ରାଶି ‌ମୋତେ ମିଳୁଛି। ସରକାରୀ ସହାୟତା ମିଳିଲେ ଆଗକୁ ଆହୁରି ଭଲ କରିପାରିବି ବୋଲି ଆଶା ପ୍ରକଟ କରିଛନ୍ତି ପ୍ରତୀକ।

ପ୍ରତୀକ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଯାଇପାରିବେ: ଦୂତି
ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ପ୍ରତୀକ ମହାରଣା ସ୍ବର୍ଣ୍ଣ (୨୦୦ ମିଟର) ଓ ରୌପ୍ୟ (୧୦୦ ମିଟର) ପଦକ ଜିତିଛି। ଏଥିସହ ସେ ୨୦୦ ମିଟରରେ ୨୦ ବର୍ଷରୁ କମ୍‌ ବିଶ୍ବ ଦୌଦକୁଡ଼ ଲାଗି ଥିବା ମାନଦଣ୍ଡ ପାର୍‌ କରିପାରିଛି। ଏହା ଶୁଣି ବହୁତ ଖୁସି। ‌ସେ ଏବେ ଯେପରି ପ୍ରଦର୍ଶନ କରୁଛି ଏହା ଜାରି ରଖିଲେ ମୁଁ ଭାବୁଛି ଅଲିମ୍ପିକ୍ସ ପର୍ଯ୍ୟନ୍ତ ପହଞ୍ଚିପାରିବ। ସେ ଡେଲିଭରି ବୟ ଭାବେ କାମ କରୁଥିଲା। ଶିବ ସାର୍‌ ଓ ମୁଁ ତାଙ୍କ ସ୍କୁଲ୍‌ରେ ପ୍ରତୀକର ଖେଳ ସାର୍ଟିଫିକେଟ୍‌ ଦେଖି ଆମ ସ୍ପୋର୍ଟ୍ସ ଫାଉଣ୍ଡେସନ୍‌ରେ ନେବାକୁ ଚାହିଲୁ। ହେଲେ ତାଙ୍କ ବାପା-ମା ଏଥିରେ ରାଜି ହୋଇ ନଥିଲେ। ଆମେ ତା’ର ରହିବା ଖାଇବା ପିଇବା ସହ ସବୁ ବୁଝିବୁ ବୋଲି କହିବାରୁ ରାଜି ହେଲେ। ଭଟ୍‌ଲିରେ ଅନୁଷ୍ଠିତ ୩ ମାସର ପ୍ରତିଭା ପ୍ରଶିକ୍ଷଣରେ ଭଲ କରିବାରୁ ଫା‌ଉଣ୍ଡେସନ୍‌ରେ ନେଲୁ। ଗତ ଦୁଇ ବର୍ଷ ହେବ ସେ ଭଲ ପ୍ରଦର୍ଶନ କରି ଜାତୀୟ ଓ ଅନ୍ତର୍ଜାତୀୟ ପଦକ ଜିତିପାରୁଛି ବୋଲି କହିଛନ୍ତି ଦୂତି ଚାନ୍ଦ ଫାଉଣ୍ଡେସନ୍‌ର ମୁଖ୍ୟ ତଥା ଅଲିମ୍ପିଆନ୍‌ ଦୂତି ଚାନ୍ଦ।

ଓମ୍‌କାରଙ୍କୁ ସଟ୍‌ପୁଟ୍‌ କାଂସ୍ୟ
ପ୍ରତୀକ ମହାରଣା ଓଡ଼ିଶାକୁ ଚଳିତ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ସୋମବାର ପ୍ରଥମ ସ୍ବର୍ଣ୍ଣ ଭେଟି ଦେଇଥିଲା ବେଳେ କାଂସ୍ୟ ଜିତିଛନ୍ତି ଓମ୍‌କାର ପ୍ରସାଦ ନନ୍ଦ। ୨୦ ବର୍ଷରୁ କମ୍‌ ସଟ୍‌ପୁଟ୍‌ରେ ଓମ୍‌କାର (୧୮.୨୪ ମିଟର) ତୃତୀୟ ସ୍ଥାନରେ ରହି ଏହି ପଦକ ଜିତିଥିଲେ। ଏଥସହ ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୬ (୧ ସ୍ବର୍ଣ୍ଣ, ୩ ରୌପ୍ୟ, ୨ କାଂସ୍ୟ)ରେ ପହଞ୍ଚିଛି। ପୂର୍ବରୁ ପ୍ରତୀକ ମହାରଣା (୨୦ ବର୍ଷରୁ କମ୍‌ ପୁରୁଷ ୧୦୦ ମିଟର ଦୌଡ଼), ଛବୀନ୍ଦ୍ର ବେହେରା (୧୪ ବର୍ଷରୁ କମ୍‌ ବାଳକ ଟ୍ରାଏଥଲନ୍‌ ‘ବି’) ରୌପ୍ୟ ପାଇଥିଲା ବେଳେ ଆଲୋକିକା ସ୍ବାଇଁ (୧୮ ବର୍ଷରୁ କମ୍‌ ବାଳିକା ଜାଭ୍‌ଲିନ୍‌), କୁନି ରାଜଗୋଣ୍ଡୋ (୧୪ ବର୍ଷରୁ କମ୍‌ ବାଳିକା ଜାଭ୍‌ଲିନ୍‌) କାଂସ୍ୟ ଜିତିଥିଲେ।