ଆଇପିଏଲ୍‌ ଅଧାରୁ ସ୍ଥଗିତ ପରେ ବିଶ୍ବକପ୍ ସ୍ଥାନାନ୍ତର ଦାବି ଜୋର ଧରିଲା

ଆଗକୁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍, ଭାରତ କେମିତି ଇଂଲଣ୍ଡ ଯିବ?

ନୂଆଦିଲ୍ଲୀ: ମାରାତ୍ମକ କରୋନା ମହାମାରୀ ସମସ୍ତଙ୍କ ଅଗୋଚର ଓ ଅଜାଣତରେ ଧସେଇ ପଶିବା ପରେ ଆଇପିଏଲ୍‌-୨୦୨୧ ଅଧାରୁ ବନ୍ଦ ହୋଇଗଲା। ଏବେ ଭାରତରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦେଶ ବାହାରକୁ ନେବା ଦାବି ଜୋର ଧରିଲାଣି। ବିଶ୍ବର ସବୁଠାରୁ ଧନୀ, ଲୋକପ୍ରିୟ ତଥା ଚର୍ଚ୍ଚିତ ଲିଗ୍ ପାଇଁ ବିସିସିଆଇ ପ୍ରସ୍ତୁତ କରିଥିବା ଜୈବ ବଳୟରେ ଫାଟ ହେବା ପରେ ୧୬ଟି ଅନ୍ତର୍ଜାତୀୟ ଦଳକୁ ନେଇ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଭାରତରେ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଫଟାଫଟ୍ କ୍ରିକେଟ୍‌ର ଏହି ସଂସ୍କରଣ ଭାରତରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଖେଳାଯିବାର ଅଛି। ତେବେ ବଢ଼ି ବଢ଼ି ଚାଲିଥିବା କରୋନା ସଂକ୍ରମଣ ସଂଖ୍ୟା ପାଇଁ ଆଇପିଏଲ୍-୨୦୨୧ ଭଳି ଏଥିରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିବାର ସମ୍ଭାବନା ବଢ଼ି ଯାଇଛି। ଆଉ ମାତ୍ର ୬ ମାସ ସମୟ ଥିବାରୁ ଆଇସିସି ଏହାକୁ ୟୁଏଇ ସ୍ଥାନାନ୍ତର କରିବା ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଗଲାଣି। ଏଭଳି ସ୍ଥିତିରେ ବିସିସିଆଇ ଏହି ବହୁ ପ୍ରତୀକ୍ଷିତ ବିଶ୍ବକପ୍‌ର ଆୟୋଜକ ରହିବ, ପ୍ରତିଯୋଗିତା କିନ୍ତୁ ଭାରତ ବାହାରେ ହେବ। ଟ୍ବେଣ୍ଟି-୨୦ ବିଶ୍ବକପ୍ ‌ଶେଷ ଥର ପାଇଁ ୨୦୧୬ ମସିହାରେ ଆୟୋଜିତ ହୋଇଥିଲା। ୨୦୨୦ରେ ଅଷ୍ଟ୍ରେଲିଆରେ ସପ୍ତମ ସଂସ୍କରଣ ଖେଳାଯିବାର ଥିଲା। ଏହା ପରେ ଭାରତରେ ୨୦୨୧ରେ ସପ୍ତମ ସଂସ୍କରଣ ଖେଳା ଯାଇଥା’ନ୍ତା। ହେଲେ ଗତବର୍ଷର କରୋନା ସଙ୍କଟ ପାଇଁ ଆଇସିସି ଅଷ୍ଟ୍ରେଲିଆ ବିଶ୍ବକପ୍‌କୁ ସ୍ଥଗିତ ରଖିଥିଲା। ଭାରତ କିନ୍ତୁ ପୂର୍ବ ନିଷ୍ପତ୍ତି ମୁତାବକ ୨୦୨୧ ଅଧ୍ୟାୟର ଆୟୋଜକ ରହିଥିଲା। ଅଷ୍ଟ୍ରେଲିଆରେ ହେବାକୁ ଥିବା ୨୦୨୦ ସଂସ୍କରଣକୁ ୨୦୨୨କୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ୨୦୨୧ ସଂସ୍କରଣ ଆୟୋଜନ ହେବା ମଧ୍ୟ ସନ୍ଦେହ ଘେରକୁ ଚାଲିଯାଇଛି।

ପ୍ରଚଳିତ ନିୟମ ଅନୁସାରେ ଆଇସିସି ଭାରତର କରୋନା ସ୍ଥିତିର ସୀମାକ୍ଷା ଆସନ୍ତା ଦୁଇ ମାସ ଭିତରେ କରିବ। କରୋନାର ଦ୍ବିତୀୟ ଲହର ସେପ୍ଟେମ୍ବର ସୁଦ୍ଧା କମି ଯାଇଥିଲେ ମଧ୍ୟ ବିଶେଷଜ୍ଞଙ୍କ ଭବିଷ୍ୟବାଣୀ ଅନୁସାରେ ବର୍ଷର ଶେଷ ତ୍ରୈମାସରେ ଏହି ମାରାତ୍ମକ ଭୂତାଣୁର ତୃତୀୟ ଲହର ଭାରତକୁ ପୁଣି ଥରେ ଗ୍ରାସ କରିପାରେ। ଏଣୁ ବିଶ୍ବକପ୍‌ର ଆୟୋଜନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଲାଗି ଆଇସିସି ସେପ୍ଟେମ୍ବର ମାସ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାର ଆଶା କମ୍ ଥିବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସ୍ବୀକାର କରିଛନ୍ତି। ବିସିସିଆଇ ଗତବର୍ଷ ୟୁଏଇର ତିନିଟି ସ୍ଥାନ ଯଥା ସାରଜା, ଦୁବାଇ ଓ ଆବୁଧାବିରେ ଆଇପିଏଲ୍‌-୧୩କୁ ସଫଳତାର ସହ ଆୟୋଜନ କରିଥିଲା। ଏଥିଲାଗି କିନ୍ତୁ ୟୁଏଇ କ୍ରିକେଟ୍ ବୋର୍ଡକୁ ଅନ୍ୟାନ୍ୟ ଖର୍ଚ୍ଚ ସହ ୯୦ କୋଟି ଟଙ୍କା ଦେବାକୁ ପଡ଼ିଥିଲା। ଏବର୍ଷର ସଂସ୍କରଣ ଘରୋଇ ପରିବେଶରେ କରିବାର ଏହା ମଧ୍ୟ ଏକ କାରଣ ଥିଲା। ବିସିସିଆଇ ଚଳିତ ବର୍ଷର ଆଇପିଏଲ୍‌କୁ ୬ଟି ପଡ଼ିଆରେ କରିବାକୁ ମନସ୍ଥ କରିଥିଲା। ହେଲେ ମାତ୍ର ୨୯ ମ୍ୟାଚ୍ ପରେ ୬ରୁ ୭ ଜଣ ଖେଳାଳି ଓ ପ୍ରଶିକ୍ଷକଙ୍କ ସହ ଦଳୀୟ ଅଧିକାରୀ କ‌ରୋନା ସଂକ୍ରମିତ ହେବା ପରେ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାର ଅନିଚ୍ଛାକୃତ ନିଷ୍ପତ୍ତି ମଙ୍ଗଳବାର ନେଇଥିଲା। ବିଶ୍ବକପ୍‌କୁ କିନ୍ତୁ ୯ଟି ଷ୍ଟାଡିୟମ୍‌ରେ କରିବାକୁ ବିସିସିଆଇ ଗତ ମାସରେ ନୀତିଗତ ନିଷ୍ପତ୍ତି ନେଇଛି। ଏତେବଡ଼ ପ୍ରତିଯୋଗିତା ଲାଗି ଜୈବ ବଳୟ ଯୋଗାଇ ଦେବା ଏକପ୍ରକାର ଅସମ୍ଭବ ବୋଲି ବିଶେଷଜ୍ଞମାନେ ଏବେଠାରୁ ଚେତାବନୀ ଦେଇ ସାରିଲେଣି। ଯାହା ଆଇପିଏଲ୍‌ରୁ ବି ପ୍ରମାଣିତ ହୋଇସାରିଛି। ଏଥିଲାଗି ବିଶ୍ବକପ୍‌କୁ କେବଳ ମୁମ୍ବାଇରେ କରିବାକୁ ଆଇସିସିକୁ ବିସିସିଆଇ ପ୍ରସ୍ତାବ ଦେଇପାରେ। ହେଲେ ଅନ୍ୟ ବୋର୍ଡମାନେ ଏହି ପ୍ରସ୍ତାବରେ ରାଜି ହେବାର ସମ୍ଭାବନା ପ୍ରାୟ ନାହିଁ କହିଲେ ଚଳେ।

ଆଗକୁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍, ଭାରତ କେମିତି ଇଂଲଣ୍ଡ ଯିବ?
ଆଇପିଏଲ୍ ସ୍ଥଗିତ ହେବା ପରେ ଭାରତୀୟ ଖେଳାଳିଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଇଂଲଣ୍ଡରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଫାଇନାଲ୍ ଖେଳିବା। ପ୍ରଥମ ଥର ଲାଗି ଖେଳାଯାଉଥିବା ଏହି ପ୍ରତିଯୋଗିତାର ଫାଇନାଲ୍ ଜୁନ୍ ୧୮ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାର ଅଛି। ତେବେ ଇଂଲଣ୍ଡ ସରକାର ନିଜ ଦେଶରେ ଭାରତୀୟଙ୍କ ପ୍ର‌ବେଶ ଉପରେ କଟକଣା ଲାଗୁ କରିଥିବାରୁ ଭାରତୀୟ ଖେଳାଳିମାନେ କିଭଳି ଇଂଲଣ୍ଡ ଯିବେ? ସେ ଚିନ୍ତା ଏବେ ବିସିସିଆଇକୁ ଘାରିଛି। ସୁରକ୍ଷିତ ବ୍ୟବସ୍ଥା ପାଇଁ ବିସିସିଆଇ ଉଭୟ ଦେଶର ସରକାରଙ୍କ ସହାୟତା ଲୋଡ଼ିଛି। ମିଳିଥିବା ସୂଚନା ଅନୁସାରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଭାରତରେ ଥିବା ନିଜ ଖେଳାଳିମାନଙ୍କ ପାଇଁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରିଛି। ନ୍ୟୁଜିଲାଣ୍ଡ ଖେଳାଳିମାନେ ମଧ୍ୟ ସେଠାକୁ ଯାଇପାରନ୍ତି। ଭାରତୀୟ ଖେଳାଳିମାନେ ଦୁବାଇ ବାଟ ଦେଇ କିମ୍ବା ସ୍ବତନ୍ତ୍ର ବିମାନରେ ଇଂଲଣ୍ଡ ଯାଇ ସେଠାରେ ବିଶ୍ବ୍ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଓ ଏହା ପରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିପାରନ୍ତି। ଯଦି ବିଶ୍ବକପ୍ ୟୁଏଇରେ ଆୟୋଜିତ ହୁଏ, ତାହାଲେ ସେମା‌ନେ ଇଂଲଣ୍ଡରୁ ସିଧା ୟୁଏଇ ଆସି ଏଥିରେ ଅଂଶଗ୍ରହଣ କରିପାରିବେ।

ସମ୍ବନ୍ଧିତ ଖବର