ନ୍ୟୁୟର୍କ: ଆମେରିକାରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ନବନିର୍ମିତ ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍କୁ ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପିଚ୍ ଓ ଅନ୍ୟାନ୍ୟ ଷ୍ଟାଣ୍ଡଗୁଡ଼ିକୁ ଉଠାଇବା ପାଇଁ ବୁଲ୍ଡୋଜରଗୁଡ଼ିକ ଷ୍ଟାଡିୟମ୍ ବାହାରେ ମୁତୟନ ହେଲେଣି। ଏହି ଷ୍ଟାଡିୟମ୍ରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା ବେଳେ ଭାରତ ଓ ଆମେରିକା ମଧ୍ୟରେ ଶେଷ ମ୍ୟାଚ୍ ବୁଧବାର ଖେଳାଯାଇଛି। ଏଠାରେ ଭାରତ ମୋଟ୍ ୩ ମ୍ୟାଚ୍ ଖେଳିଥିଲା ବେଳେ ସବୁ ମ୍ୟାଚ୍ରେ ବିଜୟୀ ହୋଇଥିଲା।
ଏହି ଅସ୍ଥାୟୀ ଷ୍ଟାଡିୟମ୍ର ଦର୍ଶକ କ୍ଷମତା ୩୪ ହଜାର ଥିଲା। ନସାଉ କାଉଣ୍ଟି ଷ୍ଟାଡିୟମ୍କୁ ନିର୍ମାଣ କରିବାରେ ୧୦୬ ଦିନ ସମୟ ଲାଗିଥିଲା। କିନ୍ତୁ ଏହାକୁ ଭାଙ୍ଗିବାକୁ ୬ ସପ୍ତାହ ସମୟ ଲାଗିବ। ବୁଧବାର ଭାରତ-ଆମେରିକା ମ୍ୟାଚ୍ ଶେଷ ହେବା ପରଠୁ ଭଙ୍ଗାଯିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆମେରିକାରେ ନ୍ୟୁୟର୍କ ସହିତ ଡାଲସ ଓ ଲାଉଡରହିଲ୍ରେ ବିଶ୍ବକପ୍ ମ୍ୟାଚ୍ ଖେଳାଯାଉଛି। ମୋଟ୍ ୧୬ଟି ମ୍ୟାଚ୍ ଆମେରିକାରେ ଖେଳାଯିବା ପରେ ଅନ୍ୟ ମ୍ୟାଚ୍ଗୁଡ଼ିକ ୱେଷ୍ଟଇଣ୍ଡିଜ୍ ଆୟୋଜନ କରୁଛି।