ଓଡେନ୍ସି: ଏଠାରେ ଚାଲିଥିବା ଡେନ୍ମାର୍କ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାେର ଏକମାତ୍ର ଭାରତୀୟ ଭାବେ ତିଷ୍ଠି ରହିଥିବା ସାଇନା ନେହ୍ବାଲ ଶେଷରେ ଫାଇନାଲ୍ରେ ଛୁଣ୍ଟିଲେ। ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତିବାର ଦୁଇବର୍ଷ ପରେ ସାଇନା ପ୍ରଥମ ଥର ଲାଗି କୌଣସି ସୁପର ସିରିଜ୍ ଫାଇନାଲ୍କୁ ଉଠିଥିଲେ। ପୁଣି ୬ ବର୍ଷ ତଳେ ତଥା ୨୦୧୨ ଅକ୍ଟୋବର ୨୧ ତାରିଖରେ ପ୍ରଥମ ଥର ଲାଗି ଡେନ୍ମାର୍କ ଓପନ୍ ମହିଳା ଏକକ ଟ୍ରଫି କରାୟତ କରିଥିବା ସାଇନା ସେହି ଅକ୍ଟୋବର ୨୧ ତାରିଖରେ ପୁଣି ଥରେ ଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ। ଏହା ମଧ୍ୟ ଥିଲା ଡେନ୍ମାର୍କ ଓପନ୍ରେ ସାଇନାଙ୍କ ଦ୍ବିତୀୟବାର ଫାଇନାଲ୍ ପ୍ରବେଶ। ଏଥର ତାଙ୍କର ପ୍ରତିଦ୍ବନ୍ଦ୍ବୀ ଥିଲେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ଚାଇନିଜ୍ ତାଇପେର ତାଇ ଜୁ ୟିଙ୍ଗ୍। ହେଲେ ଶନିବାର ସେମିଫାଇନାଲ୍ରେ ଇଣ୍ଡୋନେସିଆର ଗ୍ରିଗୋରିଆ ମାରିସ୍କା ତନ୍ଜଙ୍ଗ୍ଙ୍କୁ ୨୧-୧୧, ୨୧-୧୨ରେ ପରାସ୍ତ କରିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜୟିନୀ ସାଇନା ରବିବାର ଫାଇନାଲ୍ରେ ତାଇ ଜୁ ୟିଙ୍ଗ୍ଙ୍କ ନିକଟରୁ ୧୩-୨୧, ୨୧-୧୩ ଓ ୬-୨୧ରେ ହାରିଗଲେ। କେବଳ ସେତିକି ନୁହେଁ ତାଇ ଜୁ ୟିଙ୍ଗ୍ଙ୍କ ବିପକ୍ଷରେ ଚଳିତ ବର୍ଷ ସାଇନା ଖେଳିଥିବା ସମସ୍ତ ୫ ମ୍ୟାଚ୍ ମଧ୍ୟ ହାରିଲେ। ଗତ ଅଗଷ୍ଟରେ ଜାକର୍ତା ଏସୀୟ କ୍ରୀଡ଼ା ସେମିଫାଇନାଲ୍ରେ ଉଭୟଙ୍କ ମୁହାଁମୁହିଁରେ ସାଇନା ହାର୍ ମାନିଥିଲେ। ତେବେ ଶେଷ ଥର ପାଇଁ ସାଇନା ୨୦୧୩ରେ ତାଇ ଜୁ ୟିଙ୍ଗ୍ଙ୍କୁ ପରାସ୍ତ କରିଥିଲା ବେଳେ ଏହାପରଠୁ ସମସ୍ତ ୧୧ ମ୍ୟାଚ୍ ହାରି ସାରିଲେଣି। ସାଇନାଙ୍କ ବିପକ୍ଷରେ ତାଇ ଜୁ’ଙ୍କ ବିଜୟ ବ୍ୟବଧାନ ୧୩-୫ରେ ପହଞ୍ଚିଛି। ଅନ୍ୟତମ ଭାରତୀୟ ତଥା ପୂର୍ବ ବିଜେତା କିଦାମ୍ବି ଶ୍ରୀକାନ୍ତ ଶନିବାର ସେମିଫାଇନାଲ୍ରେ ହାରିଯାଇଥିଲେ। ଏହି ସର୍ବୋଚ୍ଚ ମାନ୍ୟତା ଭାରତୀୟ ଖେଳାଳି ପୁରୁଷ ଏକକ ସେମିଫାଇନାଲରେ ବିଶ୍ବ ମାନ୍ୟତାର ଶୀର୍ଷ ଖେଳାଳି ତଥା ବିଶ୍ବ ବିଜେତା ଜାପାନର କେଣ୍ଟୋ ମୋମୋତାଙ୍କ ନିକଟରୁ ୧୬-୨୧ ଓ ୧୨-୨୧ରେ ହାରି ଅଭିଯାନ ଶେଷ କରିଥିଲେ।
ଡେନ୍ମାର୍କ ଓପନ୍ ଫାଇନାଲ୍ରେ ଝୁଣ୍ଟିଲେ ସାଇନା
ତାଇ ଜୁ ୟିଙ୍ଗ୍ଙ୍କଠୁ ହାରି ଉପବିଜେତା
/sambad/media/post_attachments/wp-content/uploads/2018/10/11-Saina-Nehwal-in-action..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)