ଭୁବନେଶ୍ବର : ମଙ୍ଗଳବାରଠାରୁ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହେବାକୁ ଯାଉଥିବା ଫିଫା ଯୁବା ବିଶ୍ବକପ୍ (୧୭ ବର୍ଷରୁ କମ୍)ରେ ଭାରତ ପ୍ରଥମ ପଦାର୍ପଣ କରିବ। ଆୟୋଜକ ଦେଶ ଭାବେ ଭାରତ ଯୋଗ୍ୟତା ଅର୍ଜନ କରିଛି। ଭାରତକୁ କିନ୍ତୁ କ୍ବାର୍ଟରଫାଇନାଲ୍ ପ୍ରବେଶ କରାଇବା ଆଶାରେ ରହିଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ଥମାସ୍ ଡେନର୍ବି। ‘ଆମେ ସମ୍ପୂର୍ଣ୍ଣ ଭାବେ ଏକାଗ୍ରତା ରଖିଛୁ ଏବଂ ଆଶାବାଦୀ ଅଛୁ ଭଲ ପ୍ରଦର୍ଶନ ଜରିଆରେ କିଛି ପଏଣ୍ଟ ଅର୍ଜନ କରିବାକୁ। ଆମେ କ୍ବାର୍ଟରଫାଇନାଲ୍ ପ୍ରବେଶ ଆଶା ରଖିଛୁ। ଏଥିପାଇଁ ଲଢ଼େଇ କରିବୁ, ଖେଳାଳି ଓ ସହକାରୀମାନେ ଏଥିପ୍ରତି ଏକାଠି ଅଛନ୍ତି। ଆମେ ଜାଣିଛୁ କିଛି ବଡ଼ ଦଳ ବିପକ୍ଷରେ ଖେଳିବୁ। ତଥାପି ଭଲ ଦିନ ଥିଲେ ଆମେ ନିଶ୍ଚିତ ଶୀର୍ଷ ଦଳର ଦୁର୍ବଳ ଦିଗରୁ ଫାଇଦା ବି ଉଠାଇ ପାରିବୁ। ଅଣ୍ଡରଡଗ୍ ଭାବେ ମଧ୍ୟ ଆମ ପାଇଁ ସୁଯୋଗ ରହିବ। ଆମେ ଏହି କିଛି ଦଳ ବିପକ୍ଷରେ ପ୍ରାରମ୍ଭିକ ଗୋଲ୍ ସ୍କୋର୍ କରିପାରିବୁ। ଏଭଳି ପରିସ୍ଥିତିରେ ସେମାନେ ଅଧିକ କିଛି ଚିନ୍ତା କରି ଚାପରେ ପଡ଼ିପାରନ୍ତି। ଆମେ ଏଭଳି ପରିସ୍ଥିତିରୁ ଫାଇଦା ଉଠାଇବୁ’ ବୋଲି ୬୩ ବର୍ଷୀୟ ଏହି ସ୍ବିଡିସ୍ ପ୍ରଶିକ୍ଷକ ପ୍ରକାଶ କରିଥିଲେ।
ଯୁବା ବାଘୁଣୀମାନେ ଭୁବନେଶ୍ବରରେ ତାଲିମ ନେଇଛନ୍ତି। ଗତ ସପ୍ତାହରେ ସ୍ପେନ୍ ଗସ୍ତରୁ ଅଭିଜ୍ଞତା ନେଇ ଫେରିଛନ୍ତି। ଇଟାଲି ଗସ୍ତରେ ମଧ୍ୟ ଦଳ ଭଲ ଅଭିଜ୍ଞତା ଅର୍ଜନ କରିଥିଲା। ସ୍ବିଡେନ୍ ବିପକ୍ଷରେ ଭଲ କରିଥିଲେ ମଧ୍ୟ କିଛି ତ୍ରୁଟି ପାଇଁ ହାରିଯାଇଥିଲୁ। ଆମକୁ ଏବେ ବିଶ୍ବକପ୍ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ ବୋଲି ଡେନର୍ବି ପ୍ରକାଶ କରିଥିଲେ। ବିଗତ କିଛି ମାସରେ ଆମେ ଓଡ଼ିଶା ବରିଷ୍ଠ ମହିଳା ଦଳ ସହ ମ୍ୟାଚ୍ ଖେଳି ଭଲ ଫଳ ପାଇଛୁ। ବିଶ୍ବକପ୍ରେ ଏହା ଭଲ ପ୍ରଦର୍ଶନ ପାଇଁ ସହାୟକ ହେବ। ଗ୍ରୁପ୍ ‘ଏ’ରେ ଥିବା ଆମେରିକା, ମରୋକ୍କା, ବ୍ରାଜିଲ୍ ବିପକ୍ଷ ମୁକାବିଲା ପାଇଁ ଆମ ଖେଳାଳି ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ଡେନର୍ବି ପ୍ରକାଶ କରିଛନ୍ତି। ଭାରତ ଅକ୍ଟୋବର ୧୧ରେ ଆମେରିକା, ୧୪ରେ ମରୋକ୍କା, ୧୭ରେ ବ୍ରାଜିଲ୍ ସହିତ ସମସ୍ତ ଲିଗ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍ରେ ଖେଳିବ। ପିଚ୍ ଓ ପରିବେଶ ସହିତ ଭାରତୀୟ ଯୁବା ମାନେ ଅଧିକ ଅଭ୍ୟସ୍ତ ଥିବାରୁ ମଧ୍ୟ ଏହାର ଫାଇଦା ପାଇବେ। ଭାରତର ସମସ୍ତ ୩ ଗ୍ରୁପ୍ ମ୍ୟାଚ୍ ରାତି ୮ଟାରେ ଖେଳାଯିବ।
/sambad/media/post_attachments/wp-content/uploads/2022/10/19-USA-Team-648x430.jpg)
ଯୋଗାଯୋଗ ଓ ଦଳୀୟ ବଂଧନ ମୁଖ୍ୟ
ଭାରତୀୟ ଯୁବା ଦଳର ଦୁଇ ଉଦୀୟମାନ ପ୍ରତିଭା ଶିଲ୍କୀ ଦେବୀ ଏବଂ ଅସ୍ତମ ଓରାଁ ଏବେ ବିଶ୍ବକପ୍କୁ ନେଇ ଯେତିକି ଉତ୍ସାହିତ ସେତିକି ଆତ୍ମବିଶ୍ବାସରେ ମଧ୍ୟ ଅଛନ୍ତି। ଦଳର ସମସ୍ତ ଖେଳାଳିଙ୍କ ମଧ୍ୟରେ ଥିବା ଯୋଗାଯୋଗ ଓ ବଂଧନ ହିଁ ମୁଖ୍ୟ ଶକ୍ତି ବୋଲି କହିଛନ୍ତି ଉଭୟ। ଝାଡ଼ଖଣ୍ଡର ବନରୀ ଗାଁରୁ ଆସିଥିବା ଅସ୍ତମ୍ କନିଷ୍ଠ ବର୍ଗରେ ଭାରତ ପାଇଁ ଏକାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି। ଭାରତୀୟ ବରିଷ୍ଠ ଶିବିରରେ ମଧ୍ୟ ସେ ସାମିଲ ଥିଲେ। ଆମ ଭିତରେ ଥିବା ବଂଧନ ହିଁ ଆମ ଶ୍ରେଷ୍ଠ ଶକ୍ତି ଓ ସାମର୍ଥ୍ୟ ବୋଲି ଅସ୍ତମ୍ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଏଏଫ୍ସି ମହିଳା ଏସିଆନ୍ କପ୍ରେ ଭାରତୀୟ ବରିଷ୍ଠ ଦଳରୁ ଖେଳିଥିବା ସର୍ବକନିଷ୍ଠା ମଣିପୁର ଝିଅ ଶିଲ୍କୀ ଦେବୀ ଏବେ ଭାରତୀୟ ୧୭ ବର୍ଷରୁ କମ୍ ବିଶ୍ବକପ୍ ଦଳରେ ମଧ୍ୟ ସ୍ଥାନ ପାଇଛନ୍ତି। ଆମେ ଦୀର୍ଘ ୭ ମାସ ହେବ ଏକାଠି ରହୁଛୁ, ଅଭ୍ୟାସ କରୁଛୁ ଏବଂ ଖେଳୁଛୁ। ପରସ୍ପରକୁ ସମର୍ଥନ କରୁ୍ଥିବାରୁ ମନୋବଳ ମଧ୍ୟ ଉଚ୍ଚରେ ରହିଛି ବୋଲି ଶିଲ୍କୀ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଉଭୟ ଶିଲ୍କୀ ଓ ଅସ୍ତମ୍ ସାଫ୍ ୧୮ ବର୍ଷରୁ କମ୍ ଦଳରେ ଏକାଠି ଖେଳିଥିଲେ। ଅସ୍ତମ ନେତୃତ୍ବ ନେଇଥିବା ବେଳେ ଶିଲ୍କୀ ଥିଲେ ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର୍। ଭାରତୀୟ ବରିଷ୍ଠ ଦଳର ଅଧିନାୟିକା ଆଶାଲତା ଦେବୀଙ୍କୁ ଆଦର୍ଶ କରିଥିବା ଅସ୍ତମ ଏବେ ତାଙ୍କ ଭଳି ପ୍ରଦର୍ଶନ କରିବାକୁ ପ୍ରେରଣା ପାଇଛନ୍ତି। ଭାରତୀୟ ଖେଳାଳିମାନେ ଏପ୍ରିଲ୍ ମାସରୁ ଜାମସେଦପୁରରେ ପ୍ରସ୍ତୁତି କରୁଥିଲେ ମଧ୍ୟ ୨ ମାସ ହେବ ଭୁବନେଶ୍ବରରେ ନିଜ ନିଜ ଖେଳକୁ ଶାଣିତ କରିଛନ୍ତି।