ଶ୍ରୀଲଙ୍କା ଶୃଙ୍ଖଳାରେ ଭାରତ ଭାରି

କୋଲ୍‌କାତା, : ଗୁରୁବାରଠାରୁ ଭାରତ ଏବଂ ଶ୍ରୀଲଙ୍କା ଦଳ ଐତିହାସିକ ଇଡେନ୍‌ ଗାର୍ଡେନ୍‌ରେ ପ୍ରଥମ ଟେଷ୍ଟ୍‍ ଖେଳିବେ। ଏଥି ଲାଗି ଉଭୟ ଦଳ ଇଡେନ୍‌ରେ ଜୋରଦାର ଅଭ୍ୟାସ କରୁଛନ୍ତି। ଭାରତର ବ୍ୟାଟିଂ ବିଭାଗ ଠିକ୍‌ଠାକ୍‌ ଥିବାବେଳେ ବୋଲିଂରେ ଦକ୍ଷିଣ ଆଫ୍ରିକା ଗସ୍ତକୁ ନଜରରେ ରଖି ୩ ଜଣ ଦ୍ରୁତ ବୋଲରଙ୍କୁ ଖେଳାଇବ ବୋଲି ଯୋଜନା କରୁଛି। ସ୍ପିନ୍‌ ବିଭାଗରେ ଆର୍‌ ଅଶ୍ୱିନ୍‌ଙ୍କ ସହିତ କୁଲଦୀପ ଯାଦବ ଖେଳିବେ। ଘରୋଇ ମାଟିରେ ଅପରାଜିତ ବିରାଟ କୋହଲିଙ୍କ ପାଇଁ ଏହି ୩ ମ୍ୟାଚ୍‌ ଟେଷ୍ଟ୍‍ ଶୃଙ୍ଖଳା ସହଜ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ଅଧିନାୟକ ଦୀନେଶ ଚାନ୍ଦିମାଳଙ୍କ ପାଇଁ ଆଉ ଏକ ପରୀକ୍ଷାର ବେଳ ଆସିଛି। ଭାରତ ମାଟିରେ ଗୋଟିଏ ବି ଟେଷ୍ଟ୍‍ ଜିତିନଥିବା ସିଂହଳି ଦଳ ଏହି ଧାରାକୁ ଭାଙ୍ଗିବାର ଦୁଃସାହସ କରିବା ସ୍ଥିତିରେ ଥିଲା ଭଳି ମନେ ହେଉନାହିଁ।
ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବରରେ ଶ୍ରୀଲଙ୍କା ଗସ୍ତରେ ଭାରତ ନିଜର ସମସ୍ତ ୯ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତିଥିଲା। ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‍ ଶୃଙ୍ଖଳାରେ ସବୁଗୁଡ଼ିକ ୪ ଦିନ ଭିତରେ ଶେଷ ହୋଇଯିବାରୁ ଚାନ୍ଦିମାଳ ଏହାକୁ ‘ସବୁଠୁ ଖରାପ’ ଅଭିହିତ କରିଥିଲେ। ଟେଷ୍ଟ୍‍କୁ ଭାରତ ୩-୦ରେ, ଦିନିକିଆକୁ ୫-୦ ଏବଂ ଏକମାତ୍ର ଟେ୍ଵଣ୍ଟି-୨୦କୁ କୋହଲି ଦଳ ଜିତିଥିଲା। ଭାରତ ଏବେ ଶୀର୍ଷମାନ୍ୟତା ଦଳ ଭାବେ ଖେଳିବାକୁ ଯାଉଥିବାବେଳେ ଶ୍ରୀଲଙ୍କା ଅକ୍ଷମ ଛାପରୁ ଅଭିଯାନ ଆରମ୍ଭ କରିବ। ଏହି ଦ୍ୱୀପପୁଞ୍ଜ ଦଳ ଭାରତ ମାଟିରେ ଗୋଟିଏ ବି ଟେଷ୍ଟ୍‍ ଜିତିନାହିଁ। ୟୁଏଇରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ୍‍ ଶୃଙ୍ଖଳା ଜିତି ଆସିଥିବାରୁ ଚାନ୍ଦିମାଳଙ୍କ ଦଳ ଏକମାତ୍ର ଆତ୍ମବିଶ୍ୱାସ ପାଇଛି। ଭାରତ ଗତ ୨ ବର୍ଷ ହେବ ଚମତ୍କାର କ୍ରିକେଟ୍‌ ଖେଳୁଛି। ଏ ଶୃଙ୍ଖଳା ଆମ ପାଇଁ ଆହ୍ଵାନଭରା ରହିବ ବୋଲି କହିଛନ୍ତି ଚାନ୍ଦିମାଳ। ଭାରତ ପାଇଁ ଆସନ୍ତା ବର୍ଷର ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ଗସ୍ତ ପୂର୍ବରୁ ଏହା ଶେଷ ଘରୋଇ ଶୃଙ୍ଖଳା ହୋଇଥିବାରୁ କୋହଲି ବାହିନୀ ମଧ୍ୟ ବିଜୟ ଛଡ଼ା ଅନ୍ୟ କିଛି ବିକଳ୍ପ ଲକ୍ଷ୍ୟରେ ନାହିଁ।

ଶେଷ ଥର ପାଇଁ ଶ୍ରୀଲଙ୍କା ଦଳ ୨୦୦୯ରେ ଭାରତ ଆସିଥିଲା। ଧୋନି ଥିଲେ ଟେଷ୍ଟ୍‍ ଅଧିନାୟକ ଏବଂ କୋହଲିଙ୍କ ନାମରେ ନ ଥିଲା ଦିନିକିଆ ଶତକ। କୋହଲି ବି ଟେଷ୍ଟ୍‍ ପଦାର୍ପଣ କରିନଥିଲେ। ୮ ବର୍ଷ ତଳର ସେହି ଦଳରୁ କେବଳ ଈଶାନ୍ତ ଶର୍ମା ଏବଂ ମୁରଲୀ ବିଜୟ ଦଳରେ ଅଛନ୍ତି। ଶ୍ରୀଲଙ୍କା ଦଳରେ ମଧ୍ୟ ସେ ସମୟରୁ କେବଳ ରଙ୍ଗନା ହେରାଥ୍‌ ଓ ଆଞ୍ଜେଲୋ ମାଥ୍ୟୁସ ରହିଛନ୍ତି। ସେହି ଗସ୍ତପରଠାରୁ ସିଂହଳୀ ଦଳ ଭାରତରେ ୧୬ ଦିନିକିଆ ଖେଳି ୧୨ ହାରିଛି, ୩ ଜିତିଛି। ସମସ୍ତ ଶ୍ରେଣୀୟ କ୍ରିକେଟ୍‌ ଦେଖିଲେ ୨୦୧୧ ପରଠାରୁ ଭାରତ ୩୧ ଜିତିଥିବାବେଳେ ଶ୍ରୀଲଙ୍କା ୮ ଜିତିଛି। ଶ୍ରୀଲଙ୍କାର ଅସ୍ଥିର ପ୍ରଦର୍ଶନ ଫଳାଫଳରେ ପ୍ରତିଫଳିତ ହୋଇଛି।
କେବଳ ଟେଷ୍ଟ୍‍ ମ୍ୟାଚ୍‌ ଦୁନିଆ ଦେଖିଲେ ଜିମ୍ବାେଓ୍ଵ, ବାଂଲାଦେଶ ଭଳି ଶ୍ରୀଲଙ୍କା ହିଁ ଭାରତରେ ଟେଷ୍ଟ୍‍ ଜିତିନାହିଁ। ୧୭ ଖେଳି ଶ୍ରୀଲଙ୍କା ୧୦ ହାରିଛି, ୭ ଅମୀମାଂସିତ ରହିଛି। ୨୦୦୯ରେ ଅହମ୍ମଦାବାଦରେ ୭୬୦ ରନ୍‌ ସ୍କୋର୍‌ କରିବା ପରଠାରୁ ଦଳର ପ୍ରାଧାନ୍ୟ ବି ନଜରକୁ ଆସିନାହିଁ। ୨୯ ପାଳିରେ ମାତ୍ର ୨ ଥର ୪୦୦ ଟପିଛି। ଭାରତରେ ପ୍ରଥମ ପାଳିରେ ବଡ଼ ସ୍କୋର୍‌ ବିଜୟରେ ନିର୍ଣ୍ଣାୟକ ହେଉଥିବାବେଳେ ଅହମ୍ମଦାବାଦକୁ ଛାଡ଼ି ଶ୍ରୀଲଙ୍କାର ହାରାହାରି ପ୍ରଥମ ପାଳି ସ୍କୋର୍‌ ହେଉଛି ୨୫୧। ଭାରତରେ କେବଳ ନ୍ୟୁଜିଲାଣ୍ଡ୍‌ର ପ୍ରଥମ ପାଳି ହାରାହାରି ପଛରେ ରହିଛି।
ଅଶ୍ୱିନ୍‌ ବନାମ ହେରାଥ୍‌
ଭାରତ-ଶ୍ରୀଲଙ୍କା ଶୃଙ୍ଖଳାର ଫଳାଫଳ ଯାହା ହେଉ ନା କାହିଁକି ଦୁଇ ଅଭିଜ୍ଞ ଅଫସ୍ପିନର୍‌ ଆର୍‌ ଅଶ୍ୱିନ୍‌ ଏବଂ ରଙ୍ଗନା ହେରାଥଙ୍କ ମଧ୍ୟରେ ନିଶ୍ଚିତ ସଫଳତା ଲଢ଼େଇ ରହିବ। ଶ୍ରୀଲଙ୍କା ଦଳର ଖେଳାଳିମାନେ ମିଳିତଭାବେ ୩୬୧ ଟେଷ୍ଟ୍‍ ଖେଳି ୬୫୪ ଓ୍ଵିକେଟ୍‌ ନେଇଛନ୍ତି। କିନ୍ତୁ ୬୫ ଭାଗ ଓ୍ଵିକେଟ୍‌ ଜଣେ ବୋଲର ନେଇଛନ୍ତି ସେ ହେଉଛନ୍ତି ହେରାଥ୍‌ (୪୦୫)। ମୁରଲୀଙ୍କ ଭଳି ସେ ଭାରତୀୟଙ୍କୁ ଅଡ଼ୁଆରେ ପକାଇବା ଆଶାରେ ଅଛନ୍ତି। ଅନ୍ୟପକ୍ଷରେ ଅଗଷ୍ଟ ମାସରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ନ ଥିଲେ ମଧ୍ୟ ଏହି ଶୃଙ୍ଖଳାରେ ୩୦୦ ଓ୍ଵିକେଟ୍‌ ମାଇଲଖୁଣ୍ଟ ଛୁଇଁବା ଲକ୍ଷ୍ୟରେ ଅଛନ୍ତି ଏହି ତାମିଲ ତାରକା। ଶ୍ରୀଲଙ୍କାର ଶୀର୍ଷ କ୍ରମରେ ୩ ଜଣ ବାମହାତୀ ଥିବାରୁ ଅଶ୍ୱିନ୍‌ ସେମାନଙ୍କ ପାଇଁ ବଡ଼ କଣ୍ଟା ହେବେ ବୋଲି ଆଶା କରୁଛି ଭାରତୀୟ ଶିବିର।

ସମ୍ବନ୍ଧିତ ଖବର