କର୍ବେହା: ବରୁଣ ଚକ୍ରବର୍ତ୍ତୀ(୫/୧୭)ଙ୍କ ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ସତ୍ତ୍ବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଭାରତ ୩ ୱିକେଟ୍ରେ ହାରି ଯାଇଛି। ବରୁଣଙ୍କ ସହ ଅନ୍ୟତମ ସ୍ପିନର ରବି ବିଷ୍ଣୋଇ (୧/୨୧) ଭଲ ବୋଲିଂ କରିଥିଲେ। ହେଲେ ବୋର୍ଡରେ ମାତ୍ର ୧୨୪ ରନ୍ ଥିବାରୁ ଭାରତ ଶେଷରେ ଗୋଟିଏ ଓଭର ପୂର୍ବରୁ ହାରିଯାଇଥିଲା। ୮୬ ରନ୍ରେ ୭ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟର୍ ତ୍ରିସ୍ତନ୍ ଷ୍ଟବ୍ସ (୪୭*) ଭାରତୀୟ ଦ୍ରୁତ ବାଲରଙ୍କୁ ଠିକଣା ସମୟରେ ଆକ୍ରମଣ କରି ନିଜ ଦଳକୁ ବିଜୟୀ କରାଇଥିଲେ। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୪ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୧ସ୍ତରକୁ ନେଇଆସିଛି।
ପୂର୍ବରୁ ମେଘାଚ୍ଛନ୍ନ ଆକାଶ ତଳେ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତକୁ ପ୍ରଥମ ବଲ୍ରେ ହିଁ ମସ୍ତବଡ଼ ଝଟ୍କା ଲାଗିଥିଲା। ସଞ୍ଜୁ ସାମସନ୍ ପ୍ରଥମ ବଲ୍ରେ ବୋଲ୍ଡ ହୋଇଥିଲେ। ପ୍ରଥମ ଚାରି ବ୍ୟାଟର୍ ବି ପୂରା ବିଫଳ ହୋଇଥିଲେ। ଫଳରେ ଗୋଟିଏ ମ୍ୟାଚ୍ର ବ୍ୟବଧାନ ପରେ ଭାରତର ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଥିଲା। ଅନ୍ୟତମ ଓପନର ଅଭିଷେକ ଶର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୪ ରନ୍ ଲେଖାଏଁ କରି ୱିକେଟ୍ ଫିଙ୍ଗି ଦେଇଥିଲେ। ତିଳକ ବର୍ମା ପୁଣି ଥରେ ଭଲ ଆରମ୍ଭକୁ ବଡ଼ ସ୍କୋର୍ରେ ରୂପାନ୍ତର କରିବାରେ ବିଫଳ ହୋଇଥିଲେ। ୪୫ ରନ୍ରେ ୪ ୱିକେଟ୍ ହରାଇଥିବା ଭାରତକୁ ଦୁଇ ଅଲରାଉଣ୍ଡର୍ ଅକ୍ଷର ପଟେଲ ଓ ହାର୍ଦିକ ପାଣ୍ଡ୍ୟା ସଜାଡ଼ିବାରେ ଲାଗିଥିଲା ବେଳେ ଅକ୍ଷରଙ୍କ ରନ୍ଆଉଟ୍ ସବୁକିଛି ବିଗାଡ଼ି ଦେଇଥିଲା। ଉଭୟ ଷଷ୍ଠ ୱିକେଟ୍ରେ ଯୋଡ଼ିଥିବା ୪୨ ରନ୍ କିନ୍ତୁ ଭାରତୀୟ ପାଳିର ସବୁଠୁ ବଡ଼ ଭାଗୀଦାରି ଥିଲା। ହାର୍ଦିକ ନିଜ ସ୍ବଭାବ ବିପରୀତ ଅତ୍ୟନ୍ତ ମନ୍ଥର ବ୍ୟାଟିଂ କରିବାକୁ ବାଧ୍ୟ ହୋଇଥିଲେ। ଶେଷ ଓଭରର ପ୍ରଥମ ଚାରି ବଲ୍ରୁ କୌଣସି ରନ୍ କରିନଥିବା ହାର୍ଦିକ ୪୫ ବଲ୍ରୁ ୩୯* ରନ୍ କରିଥିଲେ।
ସଂକ୍ଷିପ୍ତ ସ୍କୋର୍: ଭାରତ ୨୦ ଓଭରରେ-୧୨୪/୬ (ହାର୍ଦିକ ପାଣ୍ଡ୍ୟା ୩୯*, ଅକ୍ଷର ପଟେଲ ୨୭, ତିଳକ ବର୍ମା ୨୦, ଐଦେନ ମାରକ୍ରମ୍ ୧/୪, ଆନ୍ଦିଲ ସିମେଲେନ୍ ୧/୨୦)। ଦକ୍ଷିଣ ଆଫ୍ରିକା ୧୯ ଓଭରରେ-୧୨୮/୭ (ତ୍ରିସ୍ତନ୍ ଷ୍ଟବ୍ସ ୪୭*, ରେଜା ହେଣ୍ଡ୍ରିକ୍ସ ୨୪, ବରୁଣ ଚକ୍ରବର୍ତ୍ତୀ ୫/୧୭, ରବି ବିଷ୍ଣୋଇ ୧/୨୧)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/11/8Df7fpWBGD7vzDjDvceE.jpg)