ନୂଆଦିଲ୍ଲୀ : ବାସନ୍ଦ ଦଣ୍ଡ ଲାଗୁ ଥିବା ସତ୍ତ୍ବେ ମହିଳା ଜିମ୍ନାଷ୍ଟ ଦୀପା କର୍ମକରଙ୍କୁ ଜାତୀୟ ଶିବିର ପାଇଁ ମନୋନୀତ କରାଯାଇଛି। ଏସୀୟ ଚାମ୍ପିଅନ୍ସିପ୍, ଏସୀୟ କ୍ରୀଡ଼ା ଓ ଅନ୍ୟ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକ ପାଇଁ ଜାତୀୟ ଶିବିର ଆସନ୍ତା ୨୩ ତାରିଖରୁ ଆରମ୍ଭ ହେଉଛି। ଭାରତୀୟ ଜିମ୍ନାଷ୍ଟିକ୍ସ ମହାସଂଘ (ଜିଏଫ୍ଆଇ) ଜାରି କରିଥିବା ସମ୍ଭାବ୍ୟ ତାଲିକାରେ ଦୀପାଙ୍କ ନାମ ସ୍ଥାନ ପାଇଥିବାରୁ ଏହା ସମସ୍ତଙ୍କୁ ଚକିତ କରିଛି। ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ଆନ୍ତର୍ଜାତିକ ଟେଷ୍ଟିଂ ଏଜେନ୍ସି ଦୀପାଙ୍କୁ ୨୧ ମାସର ବାସନ୍ଦ ଲାଗୁ କରାଯାଇଛି। ଯାହାକି ଆସନ୍ତା ଜୁଲାଇ ୧୦ ତାରିଖରେ ଶେଷ ହେବ।
କିନ୍ତୁ ଜିଏଫ୍ଆଇ ଜାରି କରିଥିବା ସମ୍ଭାବ୍ୟ ତାଲିକାରେ ସ୍ଥାନ ପାଇଥିବା ଜିମ୍ନାଷ୍ଟମାନେ ଶିବିରକୁ ଆସିବା ବେଳେ ଆନ୍ତର୍ଜାତିକ ଜିମ୍ନାଷ୍ଟିକ୍ସ ମହାସଂଘ (ଏଫ୍ଆଇଜି) ଲାଇସେନ୍ସ ଆଣିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଦୀପାଙ୍କ ଉପରେ ବାସନ୍ଦ ଦଣ୍ଡାଦେଶ ଲାଗୁ ହେବା ପରଠୁ ତାଙ୍କର ଏଫ୍ଆଇଜି ଲାଇସେନ୍ସ ଫେରାଇ ନିଆଯାଇଛି। ଏପରିକି ଏଫ୍ଆଇଜି ୱେବସାଇଟ୍ରେ ଦୀପାଙ୍କୁ ଜଣେ ନିଲମ୍ବିତ ଜିମ୍ନାଷ୍ଟ ଭାବେ ଦର୍ଶାଯାଉଛି। ତେଣୁ ଦୀପାଙ୍କ ପାଖରେ ବୈଧ ଏଫ୍ଆଇଜି ଲାଇସେନ୍ସ ନଥିବା ସତ୍ତ୍ବେ ଜିଏଫ୍ଆଇ ସବୁ ପ୍ରକାରର ନିୟମକୁ ଏଡ଼ାଇ ଦେଇଛି। ଏମିତିକି ତାଙ୍କର ଡୋପ୍ ବାସନ୍ଦାଦେଶକୁ ଅମାନ୍ୟ କରି ଜିଏଫ୍ଆଇ ଦୀପାଙ୍କୁ ଗଳାବାଟ ଦେଇ ଶିବିରରେ ସାମିଲ କରାଇବାକୁ ଉଦ୍ୟମ କରିଛି। ଦୀପାଙ୍କ ସହିତ ଭୁବନେଶ୍ବରରେ ଗତ ୫ ଓ ୬ ତାରିଖରେ ହୋଇଥିବା ଟ୍ରାଏଲ୍ସରେ ଅନ୍ୟତମ ତ୍ରିପୁରା ଝିଅ ପ୍ରତିସ୍ଥା ସାମନ୍ତ ମଧ୍ୟ ଭାଗ ନେଇନଥିଲେ। ତଥାପି ଦୁହିଁଙ୍କ ନାମକୁ ସମ୍ଭାବ୍ୟ ତାଲିକାରେ ସ୍ଥାନ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଭାରତରେ ୧୩ ଜଣ ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟଙ୍କୁ ବୈଧ ଏଫ୍ଆଇଜି ଲାଇସେନ୍ସ ମିଳିଛି। କିନ୍ତୁ ଚୀନ୍ର ହାଙ୍ଗଝୌରେ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ତାରିଖ ମଧ୍ୟରେ ଏସୀୟ କ୍ରୀଡ଼ା ଆୟୋଜନ ହେବ ଏବଂ ଏଥିପାଇଁ ଚୂଡ଼ାନ୍ତ ଖେଳାଳି ତାଲିକା ଜୁଲାଇ ୧୫ ତାରିଖ ସୁଦ୍ଧା ଦାଖଲ କରିବାକୁ ହେବ। ଦୀପା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁ ବୋଲି ଜିଏଫ୍ଆଇ ଚାହୁଁଛି। ତେଣୁ ଜାତୀୟ ଶିବିରରେ ତାଙ୍କୁ ଅଭ୍ୟାସରେ ରଖିବା ପାଇଁ ଜିଏଫ୍ଆଇ ଦୀପାଙ୍କୁ ସୁଯୋଗ ଦେଉଥିବା ଏକ ସୂତ୍ରରୁ ଜଣାପଡ଼ିଛି।