ନୂଆଦିଲ୍ଲୀ: ନୂଆ ଅଧିନାୟକ ଶୁବମନ୍ ଗିଲ୍ଙ୍କ ନେତୃତ୍ବରେ ପ୍ରଥମ ଶୃଙ୍ଖଳା ବିଜୟ ହାସଲ କରିବାଠାରୁ ମାତ୍ର ୫୮ ରନ୍ ଦୂରରେ ରହିଛି ଭାରତୀୟ କ୍ରିକେଟ୍ ଦଳ। ତା’ ସହିତ ଏକ ନବୀନ ଓ ଆତ୍ମବିଶ୍ବାସରେ ଭରପୂର ଟେଷ୍ଟ୍ ଯୁଗର ଶୁଭାରମ୍ଭ ନେଇ ବେଶ୍ ଉଲ୍ଲସିତ ଅଛନ୍ତି ଘରୋଇ କ୍ରିକେଟ୍ପ୍ରେମୀ। ନୂଆଦିଲ୍ଲୀ ଟେଷ୍ଟ୍ରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ମାତ୍ର ୧୨୧ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ସୋମବାର ଷ୍ଟମ୍ପ୍ସ ବେଳକୁ ଗୋଟିଏ ୱିକେଟ୍ ହରାଇ ୬୩ ରନ୍ କରି ନେଇଛି ଭାରତ। ପ୍ରଥମ ପାଳିର ଶତକ ହାସଲକାରୀ ଯଶସ୍ବୀ ଜୟସ୍ବାଲ ୮ ରନ୍ରେ ଆଉଟ୍ ହୋଇଯାଇଥିଲେ ମଧ୍ୟ ଅନ୍ୟତମ ଓପନର୍ କେଏଲ୍ ରାହୁଲ (୨୫*) ଏବଂ ଯୁବ ତାରକା ସାଇ ସୁଦର୍ଶନ (୩୦*) ଅବିଭାଜିତ ଦ୍ବିତୀୟ ୱିକେଟ୍ରେ ୫୨ ରନ୍ ଯୋଡ଼ି ଭାରତ ବିଜୟକୁ ଏକପ୍ରକାର ପକ୍କା କରି ଦେଇଛନ୍ତି। ଅହମଦାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍କୁ ଜିତି ୧-୦ରେ ଆଗୁଆ ଥିବା ଭାରତ ମଧ୍ୟ ଘରୋଇ ପରିବେଶରେ ଆଉ ଏକ ଶୃଙ୍ଖଳା ମୂଳପୋଛ ବିଜୟ ହାସଲ କରିବାର ବାସ୍ନା ବାରିଛି। ଫଲୋଅନ୍ ପରେ ଦ୍ବିତୀୟ ପାଳିରେ ଦୁଇଟି ଶତକ ଅର୍ଜନ କରି ୱେଷ୍ଟଇଣ୍ଡିଜ୍ କିଛିଟା ସମ୍ମାନ ସାଉଣ୍ଟିଛି। ହେଲେ ଆଉ ଏକ ଶୃଙ୍ଖଳା ପରାଜୟକୁ ଏଡ଼ାଇ ନପାରିବାର ସମ୍ଭାବ୍ୟ ଦୁଃଖ ଏହି ସଫଳତାକୁ ଏକପ୍ରକାର ନିଷ୍ପ୍ରଭ କରି ଦେଇଛି।
ଭାରତର ରନ୍ ପାହାଡ଼ (୫୧୮/୫, ଘୋଷଣା) ଚାପରେ ଚାପି ହୋଇ ପ୍ରଥମ ପାଳିରେ ମାତ୍ର ୨୪୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା ଇଣ୍ଡିଜ୍। ଫଲୋଅନ୍ ପାଳିରେ କିନ୍ତୁ ଜନ୍ କ୍ୟାମ୍ପବେଲ୍ ଓ ସାଇ ହୋପ୍ଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଇଣ୍ଡିଜ୍ ଡ୍ର’ ଆଶା ସଂଚାର କରିଥିଲା। ରବିବାର ଖେଳ ବନ୍ଦ ବେଳକୁ ୮୭ ରନ୍ରେ ଅପରାଜିତ ଥିବା କ୍ୟାମ୍ପବେଲ୍ ଏକାଗ୍ରତା ନହରାଇ ପ୍ରଥମ ଥର ପାଇଁ ଟେଷ୍ଟ୍ କ୍ରିକେଟ୍ରେ ତିନି ଅଙ୍କ ଛୁଇଁବାର ଗୌରବ ଅର୍ଜନ କରିଥିଲେ। ନିଜ ପ୍ରଥମ ଶତକ ହାସଲ କରିବାକୁ ସେ ୧୭୪ ବଲ୍ ନେଇଥିଲେ। ନିଜ ୨୫ତମ ଟେଷ୍ଟ୍ ଓ ୪୮ତମ ପାଳିରେ ସେ ପ୍ରଥମ ଶତକ ହାସଲ କରି ଏକ ବହୁ ପ୍ରତୀକ୍ଷିତ ସଫଳତା ପାଇଛନ୍ତି। ସେହିଭଳି ପୂର୍ବଦିନ ୬୬ ରନ୍ରେ ଅପରାଜିତ ଥିବା ହୋପ୍ ସାମାନ୍ୟ ମନ୍ଥର ଖେଳି ୨୦୪ ବଲ୍ରୁ ଶତକ ଛୁଇଁଥିଲେ। ଗତ ୮ବର୍ଷ ମଧ୍ୟରେ ଏହା ତାଙ୍କର ପ୍ରଥମ ଓ କ୍ୟାରିୟରର ତୃତୀୟ ଶତକ ଥିଲା। କ୍ୟାମ୍ପବେଲ୍ଙ୍କୁ ଆଉଟ୍ କରି ରବୀନ୍ଦ୍ର ଜାଡ଼େଜା ଏହି ଯୋଡ଼ିକୁ ଅଲଗା କରିବା ପରେ ଭାରତ ଆକ୍ରମଣାତ୍ମକ ବୋଲିଂ କରି ଇଣ୍ଡିଜ୍ ପାଳିକୁ ଜଲଦି ଶେଷ କରିବାକୁ ଚେଷ୍ଟା କରିଥିଲା। ହେଲେ ଅଧିନାୟକ ରସ୍ତନ ଚେଜ୍ (୪୦), ଜଷ୍ଟିନ୍ ଗ୍ରିଭ୍ସ (୫୦*) ଓ ଜେଡେନ୍ ସିଲ୍ସ (୩୨) ଲଢ଼ିଥିଲେ। ଶେଷ ୱିକେଟ୍ରେ ଇଣ୍ଡିଜ୍ ୭୯ ରନ୍ ଯୋଡ଼ିଥିଲା। ଏହି ୱିକେଟ୍ ପାଇଁ ଚଳିତ ବର୍ଷର ଏହା ଦ୍ବିତୀୟ ସର୍ବୋଚ୍ଚ ଭାଗୀଦାର ହୋଇଥିଲା। ଶେଷରେ ଇଣ୍ଡିଜ୍ ୩୯୦ ରନ୍ରେ ଆଲ୍ଆଉଟ୍ ହୋଇଯାଇଥିଲା। ଯାହା ଭାରତ ପାଇଁ ବିଳମ୍ବରେ ହେଲେ ବି ଆଶ୍ବସ୍ତିକର ଥିଲା। କୁଲଦୀପ ଯାଦବ ଓ ଯଶପ୍ରୀତ୍ ବୁମ୍ରା ତିନିଟି ଲେଖାଏଁ ୱିକେଟ୍ ନେଇଥିଲା ବେଳେ ମହମ୍ମଦ ସିରାଜ ଦୁଇଜଣ ଇଣ୍ଡିଜ୍ ବ୍ୟାଟର୍ଙ୍କୁ ଶିକାର କରିଥିଲେ।
ସକ୍ଷିପ୍ତ ସ୍କୋର୍: ଭାରତ ପ୍ରଥମ ପାଳି-୫୧୮/୫ (ଘୋଷଣା)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି-୨୪୮। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି (ଫଲୋଅନ୍) ୧୧୮.୫ ଓଭରରେ ୩୯୦ (ଜନ୍ କ୍ୟାମ୍ପବେଲ୍-୧୧୫, ସାଇ ହୋପ୍-୧୦୩, ଜଷ୍ଟିନ୍ ଗ୍ରିଭ୍ସ ୫୦*, ରସ୍ତନ ଚେଜ୍ ୪୦, ଜେଡେନ୍ ସିଲ୍ସ ୩୨, ଯଶପ୍ରୀତ୍ ବୁମ୍ରା ୩/୪୪, କୁଲଦୀପ ଯାଦବ ୩/୧୦୪, ମହମ୍ମଦ ସିରାଜ-୨/୪୩, ୱାସିଂଟନ୍ ସୁନ୍ଦର-୧/୮୦)। ଭାରତ ଦ୍ବିତୀୟ ପାଳି-୧୮ ଓଭରରେ ୬୩/୧ (ସାଇ ସୁଦର୍ଶନ ୩୦*, କେଏଲ୍ ରାହୁଲ ୨୫*, ଜୋମେଲ ୱାରିକାନ ୧/୧୫)।