ନୂଆଦିଲ୍ଲୀ: ଆହତ ସମସ୍ୟା ଏବଂ କେତେକ ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତି ଭିତରେ ଚଳିତ ଆଇପିଏଲ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ପଞ୍ଜାବ କିଙ୍ଗ୍ସ ଶନିବାର ମୋହାଲିରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ଦୁଇ ଦଳ ବିଗତ ବର୍ଷମାନଙ୍କରେ ଟ୍ରଫି ହାସଲ ପାଇଁ ସଂଘର୍ଷ କରୁଛନ୍ତି। ଦଳ ଚୟନରେ ଅସ୍ଥିରତା ହୁଏତ ଉଭୟଙ୍କୁ ଏପରି ହିନସ୍ତା କରୁଛି। ଗତ ସଂସ୍କରଣରେ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଥିଲା ବେଳେ ଦୁଇ ଥରର ବିଜେତା କେକେଆର୍ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ହେଲେ ଚଳିତ ସଂସ୍କରଣରେ ଦୁଇ ନୂଆ ଅଧିନାୟକ ଉଭୟ ଦଳର ନେତୃତ୍ବ ନେବେ। ଭେଟେରାନ୍ ଖେଳାଳି ଶିଖର ଧାୱନ ପଞ୍ଜାବର ନେତୃତ୍ବ ନେଉଥିଲା ବେଳେ ଘରୋଇ କ୍ରିକେଟ୍ର ହିରୋ ନୀତୀଶ ରାଣା ଆହତ ଅଧିନାୟକ ଶ୍ରେୟସ ଆୟରଙ୍କ ସ୍ଥାନରେ କୋଲ୍କାତାର ମଙ୍ଗ ଧରିବେ।
ପୂର୍ବ ପରିସଂଖ୍ୟାନକୁ ଦେଖିଲେ, ଯଦିଓ କେକେଆର୍ ଉପରେ ପଞ୍ଜାବ ଅଧିକ ଭାରି ଜଣାପଡୁଛି, କିନ୍ତୁ ଜନି ବେୟାରଷ୍ଟୋଙ୍କ ଅନୁପସ୍ଥିତି ପଞ୍ଜାବ ଦଳର ସନ୍ତୁଳନରେ ବଡ଼ ଫରକ ପକାଇବ। ବେୟାରଷ୍ଟୋଙ୍କ ସ୍ଥାନରେ ପଞ୍ଜାବ ଦଳରେ ବିବିଏଲ୍ର ଶ୍ରେଷ୍ଠ ଖେଳାଳି ମାଥ୍ୟୁ ସର୍ଟଙ୍କୁ ନିଆଯାଇଛି। ଧାୱନଙ୍କ ସହ ସର୍ଟ ପାଳି ଆରମ୍ଭ କରିପାରନ୍ତି। ସେହିପରି ଇଂଲଣ୍ଡର ଲିଆମ୍ ଲିଭିଂଷ୍ଟୋନ୍, ଦକ୍ଷିଣ ଆଫ୍ରିକାର କାଗିସୋ ରବାଦା ମଧ୍ୟ ପଞ୍ଜାବ ସହିତ ଯୋଗଦେଇପାରିନାହାନ୍ତି। ତଥାପି ପଞ୍ଜାବରେ ଅଲ୍ରାଉଣ୍ଡର ସଂଖ୍ୟା ଭଲ ରହିଛି। ମଧ୍ୟକ୍ରମ ବ୍ୟାଟିଂ ଓ ଡେଥ୍ ଓଭର ବୋଲିଂ ବିଶେଷଜ୍ଞ ସାମ୍ କରନ, ଜିମ୍ବାୱେର ସିକନ୍ଦର ରାଜା ଏଥର ଆଇପିଏଲ୍ରେ ଓଲଟ ପାଲଟ କରିପାରନ୍ତି। କିନ୍ତୁ ଏଥିପୂର୍ବରୁ ଧାୱନ ଓ ସର୍ଟ ସ୍ଥିର ଆରମ୍ଭ ଦେବା ଆବଶ୍ୟକ ହେବ।
ସେହିପରି ବୋଲିଂରେ ରବାଦାଙ୍କ ସ୍ଥାନରେ ଅର୍ଶଦୀପ ସିଂହ, ରିଷି ଧାୱନ, କରଣ, ଲେଗ ସ୍ପିନର ରାହୁଲ ଚହର ବୋଲିଂ କ୍ରମ ସମ୍ଭାଳିବେ। ଗତ ୧୫ ବର୍ଷ ମଧ୍ୟରେ ପଞ୍ଜାବ ଥରୁଟିଏ ବି ଟ୍ରଫି ଜିତିନାହିଁ। ଶେଷ ଥର ପାଇଁ ୨୦୧୪ରେ ଦଳ ଟ୍ରଫି ନିକଟତର ହୋଇଥିଲା ବେଳେ ଉଦ୍ଘାଟନୀ ସଂସ୍କରଣରେ ଏହି ଦଳ ସେମିଫାଇନାଲ୍ରେ ପରାଜିତ ହୋଇଥିଲା।
ଅପରପକ୍ଷେ ଦୁଇଥରର ବିଜେତା କେକେଆର୍ ପାଇଁ ମୁଖ୍ୟ ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତ ମୁଖ୍ୟ ଅସ୍ତ୍ର ହୋଇପାରନ୍ତି। ପଣ୍ଡିତଙ୍କ ସହ ମୁମ୍ବାଇର ଅଭିଷେକ ନାୟର ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବେ ଏବଂ ନୀତୀଶ ସେହି ରଣନୀତିକୁ ପଡ଼ିଆରେ କାର୍ଯ୍ୟକାରୀ କରାଇବେ। କେକେଆର୍ ମଧ୍ୟ ଆହତ ସମସ୍ୟାରୁ ମୁକୁଳିନାହିଁ। ଶ୍ରେୟସଙ୍କ ସହିତ ବାଂଲାଦେଶର ସାକିବ ଅଲ୍ ହାସନ ଓ ଲିଟନ ଦାସ ଏବେ ନିଜ ଦେଶ ପାଇଁ ଖେଳୁଥିବାରୁ ସେମାନେ ବିଳମ୍ବରେ ଦଳ ସହ ଯୋଗଦେବେ। ତେବେ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍, ସୁନୀଲ ନାରିନ୍, ଡେଭିଡ୍ ୱେସ୍, ଭେଙ୍କଟେଶ ଆୟର ଓ ସାକିବଙ୍କ ଉପରେ ଦଳ ଅଧିକ ନିର୍ଭର କରିବ। ଯଦିଓ ଟିମ୍ ସାଉଦି ଓ ଲୋକି ଫର୍ଗୁସନ୍ ଦଳ ସହିତ ଯୋଗଦେଇସାରିଛନ୍ତି, କିନ୍ତୁ ଲୋକି ଏବେ ବି ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ଏସବୁ ଭିତରେ ଦଳର ସବୁଠୁ ଦୁର୍ବଳତା ହେଉଛି ଏହାର ଅସ୍ଥାୟୀ ପ୍ରାରମ୍ଭିକ ଯୋଡ଼ି। ତେଣୁ ୱେସ୍, ରିଙ୍କୁ ସିଂହ ଓ ରହମନୁଲ୍ଲା ଗୁରବାଜଙ୍କ ଭଳି ହାର୍ଡ ହିଟର ଦଳ ପାଇଁ ରନ୍ ବାହାର କରିବେ। ବୋଲରଙ୍କ ମଧ୍ୟରେ ସାଉଦି ଓ ଉମେଶ ଯାଦବ ବୋଲିଂ କ୍ରମର ନେତୃତ୍ବ ନେବାକୁଥିଲା ବେଳେ ଶାର୍ଦୁଳ ଠାକୁର ଓ ବରୁଣ ଚକ୍ରବର୍ତ୍ତୀ ତାଙ୍କୁ ସହାୟତା ପ୍ରଦାନ କରିବେ।
ପଞ୍ଜାବ କିଙ୍ଗ୍ସ ଦଳ: ଶିଖର ଧାୱନ୍ (ଅଧିନାୟକ), ଅର୍ଶଦୀପ ସିଂହ, ବଲ୍ତେଜ ସିଂହ, ରାଜ ବାୱା, ରାହୁଲ ଚହର, ସାମ୍ କରନ, ରିଷି ଧାୱନ୍, ନାଥନ ଏଲିସ, ହର୍ପ୍ରୀତ୍ ବ୍ରାର, ହର୍ପ୍ରୀତ୍ ସିଂହ, ବିଦ୍ବତ୍ କାଭେରାପ୍ପା, ମୋହିତ ରଥୀ, ପ୍ରଭ୍ସିମ୍ରନ ସିଂହ, ଭାନୁକା ରାଜପକ୍ସ, ଏମ୍ ଶାହାରୁଖ ଖାନ୍, ଜିତେଶ ଶର୍ମା, ଶିଭମ ସିଂହ, ମାଥ୍ୟୁ ସର୍ଟ, ଶିକନ୍ଦର ରାଜା, ଅଥର୍ବ ତାଇଦେ।
କୋଲ୍କାତା ନାଇଟ୍ ରାଇଡର୍ସ: ନୀତୀଶ ରାଣା (ଅଧିନାୟକ), ବୈଭବ ଆରୋରା, ଲୋକି ଫର୍ଗୁସନ, ହର୍ଷିତ୍ ରାଣା, ଭେଙ୍କଟେଶ ଆୟର, ଏନ୍ ଜଗଦୀଶାନ, କୁଲ୍ୱନ୍ତ ଖେଜ୍ରୋଲିୟା, ଲିଟନ ଦାସ, ମନ୍ଦୀପ ସିଂହ, ସୁନିଲ ନାରାୟଣ, ରହମନୁଲ୍ଲା ଗୁର୍ବାଜ, ଅନୁକୂଳ ରୟ, ଆନ୍ଦ୍ରେ ରସେଲ, ସାକିବ ଅଲ୍ ହାସନ, ରିଙ୍କୁ ସିଂହ, ଟିମ୍ ସାଉଦି, ସୂୟାଶ ଶର୍ମା, ଶାର୍ଦୁଲ ଠାକୁର, ବରୁଣ ଚକ୍ରବର୍ତୀ, ଡେଭିଡ ୱିଜି, ଉମେଶ ଯାଦବ।