ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଦକ୍ଷିଣ ଆଫ୍ରିକା ଦଳ ଆସନ୍ତା ୯ ତାରିଖରୁ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳାରେ ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି, ଦୁଇ ପ୍ରମୁଖ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ଓ ମହମ୍ମଦ ସାମିଙ୍କୁ ଭାରତ ବିଶ୍ରାମ ଦେଇଛି। ଏଭଳି ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଭାରତୀୟ ଦଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦକ୍ଷିଣ ଆଫ୍ରିକା ଅଧୀନାୟକ ତେମ୍ବା ବଭୂମା। କୋହଲି ଓ ରୋହିତ ଦଳରେ ନଥିଲେ ମଧ୍ୟ ସଦ୍ୟ ଆଇପିଏଲ୍ ଖେଳି ଯଥେଷ୍ଟ ଅଭିଜ୍ଞତା ସାଉଁଟିଥିବା ଏବର ଦଳ କୌଣସିମତେ କମ୍ ନୁହେଁ। ଦୁଇ ଦ୍ରୁତ ବୋଲର ଉମ୍ରାନ୍ ମଲ୍ଲିକ ଓ ଅର୍ଶଦୀପ ସିଂହ ଆଇପିଏଲ୍ ଚମକ ଛାଡ଼ିଥିବାରୁ ତାଙ୍କ ଭଳି ନୂଆ ମୁହଁ ଆମକୁ ଅଡୁଆରେ ପକାଇବାର ସାମର୍ଥ୍ୟ ରଖିବେ। ପୁଣି ୟୁଝବେନ୍ଦ୍ର ଚହଲ ଓ କୁଲ୍ଦୀପ ଯାଦବ ସ୍ପିନ୍ ବୋଲିଂରେ କିଛି ବି ଅଡୁଆ ସୃଷ୍ଟି କରିପାରିବେ। ଏହା ଏକ ନୂଆ ରୂପର ଭାରତୀୟ ଦଳ ହୋଇଥିଲେ ମଧ୍ୟ ଘରୋଇ ମାଟିରେ ସେହି ଦଳକୁ ପରାସ୍ତ କରିବା ଆଦୌ ସହଜ ହେବନି ବୋଲି କହିଛନ୍ତି ବଭୂମା। ଆମେ ଏବର ଭାରତୀୟ ଦଳକୁ ‘ବି’ ସ୍ତରର ବୋଲି ବିବେଚନା କରିବୁନି।
ଆମେ କେବଳ ଭାରତ ବିପକ୍ଷରେ ଖେଳୁଛୁ ବୋଲି ଭାବିବୁ। ଏଥିରୁ ବଭୂମା ଭାରତୀୟ ଦଳକୁ ଏକପ୍ରକାର ଡରିଯାଇଥିବା ଜଣାପଡୁଛି। ତଥାପି ଭାରତ ବିପକ୍ଷ ଶୃଙ୍ଖଳାରୁ ଆମ ପାଇଁ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ସୁଯୋଗ ରହିବ। ଏହି ଶୃଙ୍ଖଳାରୁ ମଧ୍ୟ ଆମେ ବିଶ୍ବକପ୍ ଦଳ ଗଠନ କରିବା ଏବଂ କେଉଁ ଖେଳାଳିଙ୍କ ଭୂମିକା କ’ଣ ରହିବ ତାହା ନିର୍ଦ୍ଦିଷ୍ଟ କରିପାରିବୁ ବୋଲି ଦକ୍ଷିଣ ଆଫ୍ରିକା ଅଧିନାୟକ କହିଛନ୍ତି। ତଥାପି ଭାରତୀୟ ପରିବେଶ ଅଷ୍ଟ୍ରେଲିଆ ପରିବେଶଠାରୁ ସାମାନ୍ୟ ଭିନ୍ନ ରହିବ। ହେଲେ ଭାରତରେ ଖେଳି ଆମେ ଦଳୀୟ ସନ୍ତୁଳନ ସଜାଡ଼ିପାରିବୁ ବୋଲି ସେ କହିଛନ୍ତି। ପୁଣି ଯେକୌଣସି ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଆମ ପାଇଁ ଭଲ। ଆମେ ଭାରତରେ ଚମତ୍କାର ଖେଳିବୁ ବୋଲି ଶନିବାର ଭର୍ଚୁଆଲ ଗଣମାଧ୍ୟମ ବାର୍ତାଳାପ ବେଳେ ବଭୂମା କହିଛନ୍ତି।