ଚେନ୍ନାଇ: ଭାରତରେ କୋଭିଡ୍-୧୯ ସଂକ୍ରମଣର ଭୟାବହତା ଦିନକୁ ଦିନ ଘନେଇବାରେ ଲାଗିଛି। ଦେଶ ଅସ୍ବାଭାବିକ ଏବଂ ସାଂଘାତିକ ପରିସ୍ଥିତି ଦେଇ ଗତି କରୁଥିଲେ ମଧ୍ୟ ଶୁକ୍ରବାରଠାରୁ ବିଶ୍ବର ସବୁଠାରୁ ଧନୀ ତଥା ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍ ‘ଆଇପିଏଲ୍’ର ଚର୍ତୁଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଚଳିତ ମାସ ୯ ତାରିଖରୁ ମେ’ ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଲିଗ୍ ଜୈବ ବଳୟ ଭିତରେ ଏବଂ ସମ୍ଭବତଃ ବିନା ଦର୍ଶକରେ ଖେଳାଯିବ। ତଥାପି ଏହି ଆହ୍ବାନଭରା ସମୟ ଭିତରେ ଆଇପିଏଲ୍ ଭଳି ବୃହତ୍ ଓ ବିଶ୍ବସ୍ତରୀୟ ଲିଗ୍ ଆୟୋଜନ କରିବା ଏବଂ ଦେଶ ଭିତରେ ଶହ ଶହ ବିଦେଶୀ ଖେଳାଳିଙ୍କୁ ରୁଣ୍ଡ କରିବାକୁ ଅନେକ ପସନ୍ଦ କରୁନାହାନ୍ତି। କ୍ରିକେଟ୍ପ୍ରେମୀ କିନ୍ତୁ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ସବୁ ପ୍ରତିବନ୍ଧକ ଓ ସଙ୍କଟ ସତ୍ତ୍ବେ ଆଇପିଏଲ୍କୁ ସୁରୁଖୁରୁରେ ଆୟୋଜନ କରିବ ବୋଲି ବିସିସିଆଇ ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛି। ଗତ ବର୍ଷ କିନ୍ତୁ ଏହି କୋଭିଡ୍ ସଂକ୍ରମଣ ସ୍ଥିତି ପାଇଁ ଆଇପିଏଲ୍କୁ ୟୁଏଇ ନେଇଯାଇଥିଲା ବିସିସିଆଇ। ଚଳିତବର୍ଷ ସ୍ଥିତି ତୁଳନାତ୍ମକ ଭାବେ ଭଲ ଥିବାରୁ ଦେଶ ଭିତରର ୬ଟି ଷ୍ଟାଡିୟମ୍ରେ ଆଇପିଏଲ୍ କରିବାକୁ ଯୋଜନା କରିଥିଲା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ। ହେଲେ କୋଭିଡ୍-୧୯ର ଦ୍ବିତୀୟ ଲହର ସହ ପ୍ରତ୍ୟେକ ଦିନ ଏକ ଲକ୍ଷରୁ ଅଧିକ ଲୋକଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
୮ ଦଳୀୟ ଆଇପିଏଲ୍ର ଶୁକ୍ରବାରର ପ୍ରଥମ ମ୍ୟାଚ୍ରେ ଗତବର୍ଷର ବିଜେତା ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପ୍ରଥମ ଟ୍ରଫି ସନ୍ଧାନରେ ଥିବା ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମୁହାଁମୁହିଁ ହେବେ। ଉଭୟ ଦଳ କିନ୍ତୁ କୋଭିଡ୍ ମାଡ଼ର ଶିକାର ହୋଇସାରିଛନ୍ତି। ଉଭୟ ଦଳର କିଛି ଅଧିକାରୀ କୋଭିଡ୍-୧୯ ସଂକ୍ରମିତ ହୋଇ ସଂପ୍ରତି ସଙ୍ଗରୋଧରେ ରହିଛନ୍ତି। କୋଭିଡ୍-୧୯ ଭୟାବହତା ଭିତରେ କିନ୍ତୁ ଆଇପିଏଲ୍ର ବ୍ରାଣ୍ଡ ଭ୍ୟାଲ୍ୟୁ ପୂର୍ବବତ୍ ଅକ୍ଷୁଣ୍ଣ ରହିଛି। ଏକ ଆର୍ଥିକ ପରାମର୍ଶଦାତା କଂପାନି ଅନୁସାରେ ୨୦୧୯ରେ ବ୍ରାଣ୍ଡ ଆଇପିଏଲ୍ର ମୂଲ୍ୟ ୬.୭୮ ବିଲିୟନ୍ ଡଲାର ଥିଲା। ୨୦୨୦ରେ ଏହା ସାମାନ୍ୟ ହ୍ରାସ ପାଇ ୬.୧୯ ବିଲିୟନ୍ ଡଲାରରେ ରହିଛି। ଗତବର୍ଷ ଆଇପିଏଲ୍ ବାତିଲ ହୋଇଥିଲେ ବିସିସିଆଇ ପାଖାପାଖି ୫୪୨ ନିୟୁତ ଡଲାରର କ୍ଷତି ସହିଥା’ନ୍ତା। ୟୁଏଇରେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ଟେଲିଭିଜନ୍ ଦର୍ଶକ ସଂଖ୍ୟାରେ ଆଇପିଏଏଲ୍ ପୂର୍ବର ସବୁ ସଂସ୍କରଣକୁ ଟପି ଯାଇଥିଲା। କାରଣ ଲକ୍ଡାଉନ୍ ଓ ସଟ୍ଡାଉନ୍ ଭିତରେ ସାଧାରଣ କ୍ରିକେଟ୍ପ୍ରେମୀ ଘର ଭିତରେ ରହିବାକୁ ବାଧ୍ୟ ହୋଇଥିବାରୁ ଆଇପିଏଲ୍ ଦେଖି ସମୟ ଅତିବାହିତ କରୁଥିଲେ। ଏବର୍ଷ ମଧ୍ୟ ଆଇପିଏଲ୍ର ଟେଲିଭିଜନ୍ ଦର୍ଶକ ସଂଖ୍ୟା ନୂଆ ସ୍ତର ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/ipl2021fullsquadsauction_1200x768.jpeg)