ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଜଗତରେ ଏକ ନୂତନ ଅଧ୍ୟାୟର ପ୍ରାରମ୍ଭ ହୋଇଛି। ରାଜ୍ୟର ପ୍ରତ୍ୟେକ ବ୍ଲକ୍ରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକଶିତ କରାଯିବ, ଯାହା ଯୁବପିଢ଼ିଙ୍କୁ ସଶକ୍ତ କରିବ ଏବଂ ଭବିଷ୍ୟତର କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ରାଜ୍ୟରେ କ୍ରୀଡାର ସଂସ୍କୃତିକୁ ବିକାଶ କରାଯିବ। ଗ୍ରାମାଞ୍ଚଳର ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ କରାଯିବ ଏବଂ ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ପାଇବା ପାଇଁ ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କ୍ରୀଡ଼ା କେବଳ ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରେ ନାହିଁ, ବରଂ ସମ୍ପର୍କକୁ ମଜବୁତ କରେ ଏବଂ ଏକତାକୁ ପ୍ରୋତ୍ସାହିତ କରେ। ଯାହା ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସାରକୁ ପ୍ରତିଫଳିତ କରେ। ରାଜ୍ୟର ପ୍ରତ୍ୟେକ କୋଣରେ କ୍ରୀଡ଼ାକୁ ପହଞ୍ଚାଇବା ଲକ୍ଷ୍ୟ ନେଇ, ଓଡ଼ିଶା ସରକାର ଏକ ସୁବିଧାଜନକ ପରିଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ପରିଯୋଜନା ଦ୍ୱାରା ଯୁବ ଖେଳାଳିମାନେ ନିଜ ଅଞ୍ଚଳ ମଧ୍ୟରେ ଗୁଣାତ୍ମକ କ୍ରୀଡ଼ା ଭିତ୍ତିଭୂମି ଏବଂ ତାଲିମ ପାଇପାରିବେ। ଏହା ସେମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଥିବା ଭବିଷ୍ୟତର ଲକ୍ଷ୍ୟକୁ ସଫଳ ହେବାରେ ସାହାଯ୍ୟ କରିପାରିବ। ଆଞ୍ଚଳିକ ସ୍ତରରେ ଥିବା ଖେଳାଳିମାନଙ୍କୁ ଏହା ପ୍ରୋତ୍ସାହିତ କରିବା ସହ ଏକ କ୍ରୀଡ଼ା ପରିବେଶ ସୃଷ୍ଟି କରିବ ଏବଂ ସେମାନେ ନିଜ ଅଞ୍ଚଳରେ ନିଜର ସ୍ୱପ୍ନ ପୂରଣ କରିପାରିବେ। ଯେକୌଣସି ଭୌଗୋଳିକ ସ୍ଥିତି ତଥା ପରିବେଶର ନିର୍ବିଶେଷରେ ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ବାସ୍ତବରେ କ୍ରୀଡ଼ା କ୍ଷେତ୍ରକୁ ସଫଳ ସାବ୍ୟସ୍ତ କରିପାରିଛି।
କ୍ରୀଡ଼ାର ବିକାଶ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି କେବଳ ଯେ ରାଜଧାନୀ ଏବଂ ପ୍ରମୁଖ ସହରଗୁଡ଼ିକରେ ସୀମିତ ହୋଇ ରହିବ ତାହା ନୁହେଁ, ବରଂ ଏହା ଯେପରି ବ୍ଲକ୍ସ୍ତରରେ ପହଞ୍ଚିପାରିବ, ଓଡ଼ିଶାର ପ୍ରତିଟି ଗାଁରେ ଯେପରି କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିବ, ସେହି ସ୍ବପ୍ନକୁ ସାକାର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଓଡ଼ିଶାରେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଏବଂ କ୍ରୀଡ଼ା ପ୍ରତିଭାର ବିକାଶ ନିମନ୍ତେ ଓଡ଼ିଶାର ୩୧୪ଗୋଟି ବ୍ଲକ୍ରେ ବ୍ଲକସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରାଯିବ। ବ୍ଲକ୍ସ୍ତରୀୟ ଷ୍ଟାଡିୟମ୍ କ୍ରୀଡ଼ା ପ୍ରତିଭାଙ୍କ ପାଇଁ ଏକ କ୍ରୀଡ଼ା ନର୍ସରୀ ଭାବେ କାର୍ଯ୍ୟ କରିବ। ସମଗ୍ର ଓଡ଼ିଶାରେ ବ୍ଲକ୍ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ୪୧୨୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପ୍ରତିଟି ଷ୍ଟାଡିୟମ୍ ୧୦ ଏକର ପରିମିତ ଅଞ୍ଚଳରେ ନିର୍ମାଣ କରାଯିବ। ଷ୍ଟାଡିୟମ୍ରେ ଫୁଟ୍ବଲ୍, କ୍ରିକେଟ୍ ପଡ଼ିଆ, ଦୌଡ଼କୁଦ ଟ୍ରାକ୍, ଥ୍ରୋ ଏରିଆ, ଜମ୍ପ୍ ଏରିଆ, ଭଲିବଲ୍ କୋର୍ଟ ଆଦିର ନିର୍ମାଣ କରାଯିବ। ଏଥିସହିତ ବିଭିନ୍ନ ସ୍ବଦେଶୀ ବା ଆଞ୍ଚଳିକ କ୍ରୀଡ଼ା ଯଥା ଖୋଖୋ, କବାଡ଼ି ଆଦି ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ରହିବା ସହିତ ସ୍ଥାନୀୟ କ୍ରୀଡ଼ା ସଂସ୍କୃତିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ଷ୍ଟାଡିୟମ୍ରେ ଇନ୍ଡୋର୍ ହଲ୍ ମଧ୍ୟ ନିର୍ମାଣ କରାଯିବ। ଇନ୍ଡୋର୍ ହଲ୍ରେ ବ୍ୟାଡ୍ମିଣ୍ଟନ୍ କୋର୍ଟ, ଟେବୁଲ ଟେନିସ, ଜିମ୍ନାଷ୍ଟିକ୍ସ, ଭାରୋତ୍ତୋଳନ ଆଦି କ୍ରୀଡ଼ା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ କରାଯିବ। ଏହାର ରକ୍ଷଣାବେକ୍ଷଣ ଉପରେ ବିଶେଷ ଭାବରେ ଗୁରୁତ୍ୱ ଦିଆଯିବା ସହିତ କ୍ରୀଡ଼ାବିତ୍ଙ୍କ ଉତ୍ତମ ପ୍ରଶିକ୍ଷଣ ପାଇଁ ଷ୍ଟାଡିୟମ୍ରେ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯିବ।
କେବଳ ଯେ ରାଜ୍ୟ ସରକାର ବ୍ଲକ୍ସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ତାହା ନୁହେଁ, ବରଂ ଏହାର ରକ୍ଷଣାବେକ୍ଷଣ ଉପରେ ଫୋକସ୍ ଦିଆଯାଉଛି। ଏଥିପାଇଁ ବ୍ଲକ୍ସ୍ତରୀୟ କମିଟି ଗଠନ କରି ସେମାନଙ୍କ ହାତରେ ସଞ୍ଚାଳନ ଓ ରକ୍ଷଣାବେକ୍ଷଣାର ଦାୟିତ୍ୱ ହସ୍ତାନ୍ତର କରାଯିବ। ସମ୍ପୃକ୍ତ ଅଞ୍ଚଳର ଖେଳାଳି, ଜନ ପ୍ରତିନିଧି, ପ୍ରଶାସକ ଏବଂ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଏକ କମିଟି ଗଠନ କରାଯିବ। ସେମାନଙ୍କ ପରାମର୍ଶ ଅନୁସାରେ ସେସବୁ ଖେଳ କିମ୍ବା କ୍ରୀଡ଼ା ପ୍ରତି ଗୁରୁତ୍ୱ ଦିଆଯିବ ଏବଂ ସେହି ଅନୁଯାୟୀ ଭିତ୍ତିଭୂମି ବିକଶିତ କରାଯିବାକୁ ସରକାର ବୋଲି ଲକ୍ଷ୍ୟ ରଖିଛନ୍ତି। ଏହି ପଦକ୍ଷେପ ଯେ କ୍ରୀଡ଼ା କ୍ଷେତ୍ରରେ ଯୁବପ୍ରତିଭାର ଅନ୍ୱେଷଣରେ ସହାୟକ ହେବ ହେବ ନୁହେଁ, ବରଂ ସେମାନଙ୍କ ଭିତରେ ଏକ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବ। ଓଡ଼ିଶାର ତୃଣମୂଳସ୍ତରୀୟ କ୍ରୀଡ଼ା ପଦକ୍ଷେପ କେବଳ ଏକ ବିକାଶ ଏଜେଣ୍ଡା ନୁହେଁ। ଏହା ସମାନ କ୍ରୀଡ଼ା ବିକାଶ ପାଇଁ ଏକ ଜାତୀୟ ମଡେଲ୍ ଭାବରେ ଉଭା ହେଉଛି। ଭିତ୍ତିଭୂମି ନିବେଶ, ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି, ସଂରଚିତ ପ୍ରତିଯୋଗିତା ଏବଂ ରଣନୈତିକ ନୀତିକୁ ଏକୀକୃତ କରୁଥିବା ଏକ ସାମଗ୍ରିକ ଆଭିମୁଖ୍ୟ ସହିତ, ଯୁବପିଢ଼ିଙ୍କୁ ସଶକ୍ତ ଏବଂ ସୁଦୃଢ଼ କରିପାରିବ, ତାହା ପୁନଃପରିଭାଷିତ କରୁଛି। ଓଡ଼ିଶା ଏପରି ଏକ ଭବିଷ୍ୟତ ନିର୍ମାଣ କରୁଛି ଯେଉଁଠାରେ ପ୍ରତ୍ୟେକ ବ୍ଲକ୍ରୁ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଭା ସୃଷ୍ଟି ହୋଇପାରିବେ।