ଏମିତି ଆମ ବ୍ୟାଡ୍‌ମିଣ୍ଟନ ବିକାଶ: ୨ ବର୍ଷରେ ୫୩ ଲକ୍ଷ ଖର୍ଚ୍ଚ, ବର୍ଷକରେ ଛାଡ଼ିଲାଣି ସିନ୍ଥେଟିକ୍‌ ଫ୍ଲୋର୍‌

ସରକାରୀ ବ୍ୟାଡ୍‌ମିଣ୍ଟନ୍‌ କୋର୍ଟରେ ବଡ଼ କେଳେଙ୍କାରୀ

ଭୁବନେଶ୍ବର: ରାଜ୍ୟରେ ବ୍ୟାଡମିଣ୍ଟନ୍‌ ‌ଖେଳାଳିଙ୍କ ଉତ୍‌ଥାନ ସମୟରେ ଏବେ ପ୍ରଶାସକ, କ୍ରୀଡ଼ା ସଂଘ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପଦାକୁ ଆସିଛି। ଏକ ବଡ଼ ଘୋଟାଲାର ଦୁର୍ଗନ୍ଧ ପଦାକୁ ଆସିଛି। ତା’ପୁଣି ‌ଖୋଦ ରାଜଧାନୀର ପ୍ରାଣକେନ୍ଦ୍ରରେ ଥିବା ୟୁନିଟ୍‌-୧ ଇନ୍‌ଡୋର ହଲ୍‌ ପରିସର ଓ ଏହାର ପୁନଃରୁଦ୍ଧାର କାର୍ଯ୍ୟରେ। ବ୍ୟବସ୍ଥିତ ଭାବେ ଏଠାରେ ପ୍ରଶିକ୍ଷଣ କି ପ୍ରତିଯୋଗିତା ହେଉନଥିବା ବେଳେ ବିଗତ ୨ ବର୍ଷ ଭିତରେ ଏଠାରେ ରାଜ୍ୟ ସରକାର ଆଶ୍ଚର୍ଯ୍ୟଜନକ ଭାବେ ୫୩ ଲକ୍ଷ ୩୩ ହଜାର ୬୦୦ ଟଙ୍କା ଖର୍ଚ୍ଚ କରିଥିବା ଏକ ଆର୍‌ଟିଆଇ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଆଖି ବୁଜା ଅର୍ଥ ଖର୍ଚ୍ଚ ହୋଇଥିବା ବେଳେ କାମ ନିମ୍ନମାନର ହେବା ଏବଂ ଅନାବଶ୍ୟକ ଭାବେ ପ୍ରାଚୀର ଉପରେ ବାର୍ବେଡ୍‌ ୱେୟାର୍‌ ଲଗାଯିବା ପରେ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଛି। ଅନ୍ୟପକ୍ଷରେ ଖେଳାଳିମାନଙ୍କ ପ୍ରଶିକ୍ଷଣ ଦେୟକୁ ସରକାର ବିଜ୍ଞପ୍ତି କରି ବଢ଼ାଇଥିଲେ। ଏ ସମ୍ପର୍କରେ ଏକ ଆଲେଖ୍ୟ ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ସରକାର ଦେୟ ଆଦାୟକୁ ଏକ ପ୍ରକାର ସ୍ଥଗିତ ରଖିଛନ୍ତି। କିନ୍ତୁ ଆର୍‌ଟିଆଇ ରିପୋର୍ଟରେ ତଥ୍ୟ ଲୁଚାଇବାକୁ ହୋଇଥିବା ପ୍ରୟାସ ସ୍ବତଃ ଏଠାରେ ଦୁର୍ନୀତି ଉପରୁ ପରଦା ହଟାଇଛି।

ରାଜ୍ୟର ଜଣେ ଜଣାଶୁଣା ଆଗଧାଡ଼ିର ଖେଳାଳି ବିଭାସ ପରିଡ଼ାଙ୍କ କେତେକ ଆର୍‌ଟିଆଇ ପ୍ରଶ୍ନର ଉତ୍ତର ଦେବାରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ବିଫଳ ହୋଇଛି। ୨୦୧୯-୨୦ରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୟୁନିଟ୍‌-୧ ଇନ୍‌ଡୋର୍‌ ହଲର ମରାମତି ଓ ପୁନଃରୁଦ୍ଧାର କାର୍ଯ୍ୟରେ ସରକାର ମୋଟ ୪୮ ଲକ୍ଷ ୭୯ ହଜାର ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛନ୍ତି।‌ ନାମକୁ ମାତ୍ର କେଉଁଠି ରଙ୍ଗ ବୋଳାଯାଇଛି ତ କେଉଁଠି ଆଲୋକୀକରଣ, ପିଏଚ୍‌ କାର୍ଯ୍ୟ, ପ୍ରାଚୀର ଉଚ୍ଚା ଆଦିରେ ବ୍ୟୟ କରାଯାଇଛି। ଯାହାର ସିଂହଭାଗ ପକେଟସ୍ଥ ହୋଇଥିବା ସନ୍ଦେହ କରି ଶ୍ରୀ ପରିଡ଼ା ଆବେଦନ କରିଥିଲେ। ‌‌ସେହିଭଳି କେବଳ ଇନ୍‌ଡୋର୍‌ ହଲ୍‌ର ବ୍ୟାଡ୍‌ମିଣ୍ଟନ୍ କୋର୍ଟରେ ୪ ଲକ୍ଷ ୫୪,୬୦୦ ଟଙ୍କା ବ୍ୟୟରେ ସିନ୍ଥେଟିକ୍‌/ଆକ୍ରିଲିକ୍‌ ଫ୍ଲୋର୍‌ ଲଗାଯାଇଛି ବୋଲି ଆର୍‌ଟିଆଇ ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ବାସ୍ତବରେ ଏହାର ସର୍ବୋଚ୍ଚ ମୂଲ୍ୟ ୧ ଲକ୍ଷ ୨୫ ହଜାର ହେବ ବୋଲି ଜଣେ ସିନ୍ଥେଟିକ୍‌ ଫ୍ଲୋର୍‌ ଅଭିଜ୍ଞ କହିଛନ୍ତି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି କେଉଁ ସପ୍ଲାୟର୍‌ ଓ ବ୍ରାଣ୍ଡ୍‌ ଏଠାରେ ‌ଫ୍ଲୋର୍ ମ୍ୟାଟ୍ ବିଛାଇଛନ୍ତି, ୱାରେଣ୍ଟି କାର୍ଡର କପି ଏବଂ ପରିଚାଳନାଗତ ଚୁକ୍ତି ଆଦିର ତଥ୍ୟ ଦେବାକୁ କ୍ରୀଡ଼ା ବିଭାଗ କୁନ୍ଥକୁନ୍ଥ ‌ହୋଇଛି। ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ବିଭାଗ ଲେଖିଛି, ‘ବିଭାଗ ନିକଟରେ ତଥ୍ୟ ଉପଲବ୍‌ଧ ନାହିଁ’। ଯଦି ସପ୍ଲାୟର୍ ତଥ୍ୟ ନାହିଁ ତେବେ ଏତେ ପରିମାଣର ଅର୍ଥ କାହାକୁ ଦିଆଯାଇଛି ବୋଲି ବଡ଼ ପ୍ରଶ୍ନ ଉଠିଛି। ସନ୍ଦେହ ସୃଷ୍ଟି କଲା ଭଳି ଅନ୍ୟ ଏକ କଥାଟି ହେଉଛି ଫ୍ଲୋର୍ ମ୍ୟାଟ୍ ବିଛାଯିବା ପୂର୍ବରୁ କ୍ରୀଡ଼ା ବିଭାଗ ପକ୍ଷରୁ ୨୮-୧୦-୨୦୨୧ ପତ୍ର ସଂଖ୍ୟା ୧୦୦୨୦ରେ ନିର୍ମାଣ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଓଏସ୍‌ଡିଙ୍କୁ ଲେଖାଯାଇଥିଲା ଯେ ମ୍ୟାଟ୍ ବିଛାଯିବା ବେଳେ ବିଶ୍ବ ବ୍ୟାଡ୍‌ମିଣ୍ଟନ୍ ସଂଘ (ବଡବଲ୍ୟୁଏଫ୍‌)ର ଧାର୍ଯ୍ୟ ‌ଫ୍ଲୋରିଂ ମାନୁଆଲ୍‌କୁ ଅନୁସରଣ କରାଯିବା ଉଚିତ, ନତୁବା ବିଭାଗକୁ ଅବଗତ କରାଯିବ। ଏହାକୁ ବ୍ୟାଡ୍‌ମିଣ୍ଟନ୍‌ ଫିଲ୍ଡ ଅଫ୍‌‌ ପ୍ଲେ ନୀତି ଅନୁସାରେ କରାଯାଇନଥିବା ଏବେ ସ୍ପଷ୍ଟ ହୋଇଛି। କାରଣ ମାତ୍ର ବର୍ଷକ ଭିତରେ ଏହା ଛାଡ଼ିବା ଆରମ୍ଭ ହୋଇଛି। ‘‘କୌଣସି ବ୍ଲାଣ୍ଡ୍‌ର ଲଗାଇବା ପରିବର୍ତେ ପୁରୁଣାର ମ୍ୟାଟ୍‌କୁ ଯେନତେନ ପ୍ରକାରେଣ ଲଗାଇ ୪ ଲକ୍ଷ ୫୪,୬୦୦ ଟଙ୍କା ଚଳୁ କରାଯାଇଛି।

ବିଭାଗ ଉତ୍ତର ପ୍ରଦାନ କରିଥିଲେ ମଧ୍ୟ ୫ଟିରୁ ୩ଟି ପ୍ରଶ୍ନର ଉତ୍ତର ନ ଦେଇ ଚାପିବାକୁ ଚେଷ୍ଟା କରିଥିବାରୁ ଦୁଃଖ ଲାଗୁଛି। ଆର୍‌ଟିଆଇର ଉପରିସ୍ଥ ଅଧିକାରୀଙ୍କ ଦ୍ବାରସ୍ଥ ହେବି’’ ବୋଲି ଶ୍ରୀ ପରିଡ଼ା ‘ସମ୍ବାଦ’ ସହ କଥା‌ ହେବା ବେଳେ ପ୍ରକାଶ କରିଛନ୍ତି।‌ ୟୋନେକ୍ସ ପରିବର୍ତେ ଏକ ଅଣବ୍ରାଣ୍ଡ ପୁରୁଣା ମ୍ୟାଟ୍‌ ବିଛାଯାଇ ୮୦ ଭାଗ ଅର୍ଥ ଲୁଟ୍‌ କରାଯାଇଛି ବୋଲି ଶ୍ରୀ ପରିଡ଼ା ଅଭିଯୋଗ କରିଛନ୍ତି। ‘ଅଭିଯୋଗ ଭିତ୍ତିହୀନ ଏବଂ ଯେଭଳି ସ‌ନ୍ଦେହ କରାଯାଉଛି ସେଭଳି କିଛି ଘୋଟାଲା ହୋଇନାହିଁ। ତଥ୍ୟ ସବୁ ପୁର୍ତ୍ତ ଓ ଗୃହନିର୍ମାଣ ବିଭାଗ ନିକଟରେ ଥିବାରୁ ଆମେ ପ୍ରଦାନ କରିବା ସମ୍ଭବ ନୁହେଁ’ ବୋଲି କହିଛନ୍ତି କ୍ରୀଡ଼ା ଓ ଯୁବସେବା ବିଭାଗର ଅନୁସଚିବ ରାଜେନ୍ଦ୍ର ପ୍ରସାଦ ପାଣି। ପ୍ରାୟ ଦେଢ଼ ବର୍ଷ ହେବ (୧୯ ଅକ୍ଟୋବର ୨୦୨୦) ଏହି ମ୍ୟାଟ୍ ବିଛାଯାଇଛି। ଟେବୁଲ୍‌ ଟେନିସ୍‌ ‌ଖେଳାଯାଉଥିବାରୁ ଖରାପ ହୋଇଯାଇଛି। ତଥାପି ସମ୍ପୃକ୍ତ ଠିକାଦାର ଏହାକୁ ବଦଳାଇ ନୂଆ ମ୍ୟାଟ୍‌ ଲଗାଇବାର ଯୋଜନା ହୋଇଛି’ ବୋଲି ଶ୍ରୀ ପାଣି ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର