ନୂଆଦିଲ୍ଲୀ: କିଂବଦନ୍ତି ପାରାଆଥଲେଟ୍ ଦେବେନ୍ଦ୍ର ଝାଝରିଆ ରାଜନୈତିକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟ୍‌ରେ ରାଜସ୍ଥାନର ଚୁରୁ ଲୋକସଭା ଆସନରୁ ଲଢ଼ିବେ। ବିଜେପି ପ୍ରଥମ ପର୍ଯ୍ୟାୟରେ ଘୋଷଣା କରିଥିବା ୧୯୫ଜଣ ପ୍ରାର୍ଥୀ ତାଲିକାରେ ପଦ୍ମଭୂଷଣ, ଦୁଇ ଥର ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଏବଂ ଥରେ ରୌପ୍ୟ ପଦକ ବିଜେତା ୪୨ ବର୍ଷୀୟ ଝାଝରିଆ ସ୍ଥାନ ପାଇବା ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଛି। ସେ ମଧ୍ୟ ବେଶ୍ ଖୁସି ଅଛନ୍ତି।

Advertisment

ବିଜେପି ମୋତେ ଟିକେଟ୍ ଦେବ ବୋଲି କେବେବି ସ୍ବପ୍ନରେ ଭାବି ନଥିଲି। ଏହି ନିଷ୍ପତ୍ତି ପାରାଆଥଲେଟ୍ ଓ ଆଥଲେଟିକ୍ସ ପାଇଁ ଶୁଭସଙ୍କେତ ବୋଲି ଝାଝରିଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଖାଲି ସେତିକି ନୁହେଁ ସେ ମଧ୍ୟ ଭାରତୀୟ ପାରାଲିମ୍ପିକ୍ସ ପରିଷଦ (ପିସିଆଇ)ର ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଥିବା ସଙ୍କେତ ଦେଇଛନ୍ତି। ଏଥିରେ ବିଜୟୀ ହେଲେ ଦୀପା ମଲ୍ଲିକଙ୍କ ସ୍ଥାନ ନେବେ ସେ। ସୂଚନାଯୋଗ୍ୟ ଯେ ୨୦୧୩ ବିଶ୍ବ ପାରାଚାମ୍ପିଅନସିପ୍‌ର ପୁରୁଷ ଜାଭଲିନରେ ସ୍ବର୍ଣ୍ଣ ଜିତିବା ସହ ୨୦୧୫ରେ ରୌପ ପଦକ ପାଇଥିଲେ।

ସେହିଭଳି ୨୦୦୪ ଏଥେନ୍ସ ଅଲିମ୍ପିକ୍ସ, ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୦୪ରେ ଅର୍ଜୁନ ପୁରସ୍କାର, ୨୦୧୨ରେ ପ୍ରଥମ ପାରାଖେଳାଳି ଭାବେ ପଦ୍ମଶ୍ରୀ ପୁରସ୍କାର, ୨୦୧୭ରେ ଦେଶର ସର୍ବୋଚ୍ଚ ଖେଳ ପୁରସ୍କାର ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଏବଂ ୨୦୨୨ରେ ପଦ୍ମଭୂଷଣ ପୁରସ୍କାର ପାଇଥିଲେ। ମାତ୍ର ୮ବର୍ଷ ବୟସରେ ଗୋଟିଏ ହାତ ହରାଇଥିବା ଝାଝରିଆ ଅକ୍ଷମରୁ ସକ୍ଷମ ହେବାର ପ୍ରେରଣାଦାୟୀ କାହାଣୀ ଭୋଟର୍‌ଙ୍କୁ ଆକର୍ଷିତ କରିବ ବୋଲି ରାଜନୈତିକ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି।