ଦେବାଙ୍କୁ ୭ ବଲ୍‌ରେ ୪ ଥର ଆଉଟ୍‌ କରିଥିଲେ ଭଜି, ମୋହଲି ନେଟ୍ସକୁ ମନେ ପକାଇଲେ ହରଭଜନ

ଆଝାର ଖାଉଥିଲେ, ସଚିନ୍‌ ବୋଲିଂ କରୁଥିଲେ

ନୂଆଦିଲ୍ଲୀ: ନିଜର ‘ଦୁସ୍‌ରା’ ବୋଲିଂ ସାମର୍ଥ୍ୟ ପାଇଁ ସେ ନିଜ ଜୀବନରେ ଭାରତୀୟ ଦଳରେ ଆଗୁଆ ସ୍ଥାନ ପାଇଯାଇଥିଲେ ବୋଲି ବିଶ୍ବାସ ରଖିଛନ୍ତି ଭାରତୀୟ ଦଳର ପୁରୁଖା ଅଫ୍‌ସ୍ପିନର ହରଭଜନ ସିଂହ। ୧୯୯୭ ମସିହାରେ ମୋହାଲିରେ ଏକ ଟେଷ୍ଟ୍‌ ମ୍ୟାଚ୍‌ ଅବସରରେ ନେଟ୍‌ ସେସନ୍‌ ବେଳ କଥାକୁ ମନେ ପକାଇ ଏଭଳି କହିଛନ୍ତି ଭଜି। ସେହି ନେଟ୍‌ ସେସନ୍‌ ବେଳେ ସେ ନିଜେ ଉପସ୍ଥିତ ଥିଲେ ଏବଂ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌, ସଚିନ୍‌ ତେନ୍ଦୁଲକର ଏବଂ ଅଜୟ ଜାଦେଜାଙ୍କ ଦୃଷ୍ଟିଗୋଚର ହୋଇପାରିଥଲେ। ‘ଦୁସ୍‌ରା’ ମୋତେ ଆଗୁଆ ଭାରତୀୟ ଦଳରେ ମନୋନୟନ ପାଇଁ ସହାୟକ ହୋଇଥିଲା। ସେହି ସମୟରେ ଦୁସ୍‌ରା ବୋଲିଂ କରିବା ପାଇଁ ସେତେ ବୋଲର ନଥିଲେ। ତେଣୁ ମୋର ସେହି ବଲ୍‌ ଅନ୍ୟମାନଙ୍କ ତୁଳନାରେ ସାମାନ୍ୟ ଉନ୍ନତ ଥିଲା। ମୁଁ ଏହାକୁ ଲେଗ୍‌ କଟର୍‌ ବୋଲି କହୁଥିଲି। ଯାହା ପରେ ‘ଦୁସ୍‌ରା’ ଭାବେ ଖ୍ୟାତ ହେଲା। ଆଉ ଏହା ପଛରେ ମଧ୍ୟ ଗୋଟିଏ କାରଣ ରହିଛି। ଥରେ ସାକ୍‌ଲିନ୍‌ ମୁସ୍ତାକଙ୍କୁ ବଡ଼ ପାଟିରେ ‌ଷ୍ଟମ୍ପ୍‌ ପଛପଟେ ଥିବା ମୋଇନ୍‌ ଖାନ୍‌ କହିଥିଲେ, ‘ସାକି ଦୁସ୍‌ରା ଡାଲ୍‌ ଦେ, ଦୁସ୍‌ରା ଡାଲ୍‌ ଦେ’। ସେଥିପାଇଁ ଏହା ପ୍ରସିଦ୍ଧ ହୋଇଯାଇଥିଲା। ହେଲେ ସେହି ଲେଗ୍‌ କଟର୍‌ ମୋତେ ଭାରତୀୟ ଦଳରେ ସାମିଲ ହେବାରେ ସହାୟକ ହୋଇଥିଲା ବୋଲି ପୂର୍ବତନ ଭାରତୀୟ କ୍ରିକେଟର୍‌ ଆକାଶ ଚୋପ୍ରାଙ୍କ ସହ ତାଙ୍କ ଚାଟ୍‌ ସୋ’ ଆକାଶ ବାଣୀରେ ବାର୍ତାଳାପ ବେଳେ କହିଛନ୍ତି ହରଭଜନ।

ମୋତେ ଯେତେବେଳେ ମୋହାଲି ଟେ‌ଷ୍ଟ୍‌ର ନେଟ୍‌ ସେସନ୍‌ରେ ପ୍ରଥମେ ବୋଲିଂ କରିକାବୁ କୁହାଗଲା ସେତେବେଳେ ସାମାନ୍ୟ ଭୟଭୀତ ହୋଇଯାଇଥିଲି। ସେମାନେ ମୋତେ ନେଟ୍‌କୁ ଆସି ବୋଲିଂ କର, ଆମେ ତୁମକୁ ପରଖିବୁ ବୋଲି କହିଥିଲେ। ତେଣୁ କ’ଣ ହେବ ଭାବି ମୁଁ ଭୟଭୀତ ହୋଇଯାଇଥିଲି। ତଥାପି ମୁଁ ସେଠାରେ ପହଞ୍ଚିଥିଲି ଏବଂ ନେଟ୍‌ ସେସନ୍‌ ପ୍ରାୟତଃ ଶେଷ କରିଥିଲି। ଦେବାଶିଷ ମହାନ୍ତି ନେଟ୍‌ସରେ ବ୍ୟାଟିଂ କରୁଥା’ନ୍ତି। ଆଝାର ଭାଈ, ସଚିନ୍‌ ମଧ୍ୟ ସେମାନଙ୍କ ବ୍ୟାଟିଂ ସେସନ୍‌ ସାରିଥା’ନ୍ତି। ମୋର ଯାହା ମନେ ପଡୁଛି ଆଜୁ ଭାଈ ମଧ୍ୟାହ୍ନ ଭୋଜନ କରୁଥାଆନ୍ତି। ମୁଁ ଯେତେବେଳେ ସେଠାରେ ପହଞ୍ଚିଲି ସେତେବେଳେ ସେ କହି‌ଲେ ‘‘ଓଃ, ସେ ଜଣେ ସର୍ବକନିଷ୍ଠ, ଅତିକମ୍‌ରେ ତାଙ୍କୁ କିଛି ବଲ୍‌ ବୋଲିଂ କରିବାକୁ ଦିଅ’’ ବୋଲି ମନେ ପକାଇଛନ୍ତି ଭଜି। ଆଉ ମୁଁ ଯେତେବେଳେ ବୋଲିଂ କରିବାକୁ ଗଲି ସଚିନ୍‌ ତେନ୍ଦୁଲକର ମୋ ପାଖରେ ଛିଡ଼ା ହୋଇଥା’ନ୍ତି। ସେ ବି ନେଟ୍‌ସରେ ବୋଲିଂ କରୁଥିଲେ। ମୁଁ ଦେବ‌ାଶିଷ ମହାନ୍ତିଙ୍କୁ ୭/୮ଟି ବଲ୍‌ ବୋଲିଂ କରିଥିଲି। ‌ସେଥିରେ ସେ ୪/୫ ଥର ଆଉଟ୍‌ ମଧ୍ୟ ହୋଇଥିଲେ। ହେଲେ ସେ ଜେ ଦେବାଶିଷ ଥିଲେ ସଚିନ୍‌ ନୁହନ୍ତି ବୋଲି ଭଜି ସ୍ମୃତି ରୋମନ୍ଥନ କରିଛନ୍ତି।

ଏହାପରେ ହଠାତ୍‌ ଅଜୟ ଜାଦେଜା ମୋତେ ଦେଖିଦେଲେ। ସେ ଅଜୁ ଭାଈଙ୍କୁ ଡାକି ଏହି ବାଳକକୁ ଦେଖ ବୋଲି କହିଲେ। ତେଣୁ ଆଜୁ ଭାଈ ମଧ୍ୟ ମୋତେ ଦେଖିଲେ। ଏହାପରେ ସଚିନ୍‌ ମୋତେ କହିଲେ, ତୁମେ କ୍ରିକେଟ୍‌ ଉପରେ ତୁମର ଏକାଗ୍ରତା ରଖ। ମୁଁ ତୁମକୁ ଶୁଭେଚ୍ଛା ଜଣାଉଛି, ମୁଁ ଆଶା କରୁଛି ତୁମେ ଭାରତ ପାଇଁ ଖେଳିବ ବୋଲି ହଭରଜନ ସ୍ମୃତିଚାରଣ କରିଛନ୍ତି। ସଚିନ୍‌ଙ୍କ ଏହି ଉପଦେଶ ମୋ ପାଇଁ ଆଶ୍ଚର୍ଯ୍ୟ ଥିଲା ଏବଂ ସେ ଜୀବନ ସାରା ମୋତେ ସହାୟତା କରିଥିଲେ ବୋଲି। ମୁଁ ମଧ୍ୟ କ୍ରିକେଟ୍‌କୁ ନିଶାରେ ପରିଣତ କରିଥିଲି। ସେହିଦିନଠାରୁ ମୁଁ ସ୍ଥିର କରିଥିଲି ଯେ ମୁଁ କେବଳ ଶତ ପ୍ରତିଶତ ନୁହେଁ ୧୨୦ ପ୍ରତିଶତ ଏକାଗ୍ରତା ରଖିବି ବୋଲି। ମୁଁ ଅନୁଭବ କରିଥିଲି, ଭାରତ ପାଇଁ ଖେଳିବାକୁ ହେଲେ ମୋତେ ଶ୍ରେଷ୍ଠ ପ୍ରଦର୍ଶଦ ଦେବାକୁ ହିଁ ପଡ଼ିବ। ତାହା ମୋ ପାଇଁ ଏଭଳି ଏକ ଦିନ ଥିଲା ଯେଉଁଦିନ ମୁଁ ବରିଷ୍ଠଙ୍କ ଦ୍ବାରା ଚିହ୍ନଟ ହୋଇଥିଲି। ଆଉ ଏହାର ଗୋଟିଏ ବର୍ଷ ପରେ ଭାରତ ପାଇଁ ଟେଷ୍ଟ୍‌ ପଦାର୍ପଣ ସୁଯୋଗ ପାଇଥିଲି ବୋଲି ହରଭଜନ କହିଛନ୍ତି।
ହରଭଜନ ୧୯୯୮ରେ ଟେଷ୍ଟ୍‌ ଜୀବନ ଆରମ୍ଭ କରିଥିଲେ। ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେ‌ଷ୍ଟ୍‌ ଖେଳିଥିଲେ। ୨୦୦୧ରେ ସେହି ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ହିଁ ତାଙ୍କ ଜୀବନର ସବୁଠୁ ବଡ଼ ମୋଡ଼ ଥିଲା। ସେ ୩ ଟେଷ୍ଟ୍‌ ରୁ ୩୨ ୱିକେଟ୍‌ କରାୟତ୍ତ କରିଥିଲେ। ପ୍ରଥମ ଭାରତୀୟ ବୋଲର ଭାବେ ଟେଷ୍ଟ୍‌‌ରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ନିଜ ଜାଜୁଲ୍ୟମାନ ଜୀବନ ମଧ୍ୟରେ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ରହିଥିଲେ। ୧୦୩ ଟେଷ୍ଟରୁ ୪୧୭ ଏବଂ ୨୩୬ ଦିନିକିଆରୁ ୨୬୯ ୱିକେଟ୍‌ ଅକ୍ତିଆର କରିଥିବା ଭଜି ମଧ୍ୟ ୨୮ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଖେଳି ୨୫ ୱିକେଟ୍‌ ନିଜ ନାମରେ କରିଥିଲେ।

ସମ୍ବନ୍ଧିତ ଖବର