ମହିଳା ପ୍ରିମିୟର୍ ଲିଗ୍: ଡିଭାଇନ୍ ୯୯; ଆର୍ସିବି ଉଜ୍ଜୀବିତ
ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଧାରାକୁ ରୋକିଲା ୟୁପି ୱାରିଅର୍ସ
ମୁମ୍ବାଇ: ପ୍ରଥମ ୫ ମ୍ୟାଚ୍ ହାରି ବିଦାୟ ବେଳାରେ ପଡ଼ିଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଦଳ ଚଳିତ ମହିଳା ପ୍ରିମିୟର୍ ଲିଗ୍ (ଡବୁଲ୍ୟପିଏଲ୍)ରେ ଲଗାତାର ବିଜୟ ହାସଲ କରି ପ୍ଲେ ଅଫ୍ ସମ୍ଭାବନାକୁ ଉଜ୍ଜୀବିତ କରିଛି। ଶନିବାର ସୋଫି ଡିଭାଇନ୍ଙ୍କ ୩୬ ବଲ୍ ୯୯ ରନ୍ (୯ ଚୌକା, ୮ ଛକା) ବଳରେ ଆର୍ସିବି ୧୮୯ ରନ୍ ବିଜୟ ଲକ୍ଷ୍ୟକୁ ୧୫.୩ ଓଭରରେ ହାସଲ କରି ସମସ୍ତଙ୍କୁ ଚମତ୍କୃତ କରିଛି। ନ୍ୟୁଜିଲାଣ୍ଡ୍ର ଅଭିଜ୍ଞ ଅଲରାଉଣ୍ଡର୍ ସୋଫି ମାତ୍ର ୧ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଆର୍ସିବିକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ସହିତ ପ୍ରଥମ ୱିକେଟ୍ ପାଇଁ ୯.୨ ଓଭରରେ ୧୨୫ ରନ୍ ସଂଗ୍ରହ କରିଥିଲେ।
ଉଭୟଙ୍କ ପ୍ରହାର କାରଣରୁ ଆର୍ସିବି ପାୱାର ପ୍ଲେ ୬ ଓଭରରୁ ୭୭ ରନ୍ ଆଦାୟ କରିଥିଲା। ଡିଭାଇନ୍ ମାତ୍ର ୨୦ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ପୂର୍ବରୁ ଗୁଜରାଟ ମଧ୍ୟ ଲୌରା ୱଲଭାର୍ଟଙ୍କ ୪୨ ବଲ୍ ୬୮ ରନ୍ ବଳରେ ୧୮୮ ରନ୍ର ଆହ୍ବାନ ରଖିଥିଲା। ଡିଭାଇନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଗୁଜରାଟ ସପ୍ତମ ମ୍ୟାଚ୍ରୁ ପଞ୍ଚମ ପରାଜୟ ସହ ଶେଷ ସ୍ଥାନକୁ ଖସିଯାଇଛି।
ସଂକ୍ଷିପ୍ତ ସ୍କୋର: ଗୁଜରାଟ ଜାଏଣ୍ଟସ ୨୦ ଓଭରରେ ୧୮୮/୪ (ଲୌରା ୱଲଭାର୍ଟ-୬୮, ଆସଲେ ଗାର୍ଡନର୍-୪୧, ସାଭିନେନି ମେଘନା-୩୧, ସୋଫି ଡିଭାଇନ୍-୧/୨୩, ଶ୍ରେୟଙ୍କା ପାଟିଲ୍-୨/୧୭, ପ୍ରୀତି ବୋଷ-୧/୨୩)। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୧୫.୩ ଓଭରରେ ୧୮୯/୨ (ସୋଫି ଡିଭାଇନ୍-୯୯, ସ୍ମୃତି ମନ୍ଧାନା-୩୭, ହିଦର ନାଇଟ୍-୨୨*, ଏଲିସ ପେରି-୧୯*, ସ୍ନେହ ରାଣା-୧/୨୫, କିମ୍ ଗାର୍ଥ-୧/୩୨)।
ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଧାରାକୁ ରୋକିଲା ୟୁପି ୱାରିଅର୍ସ
ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସର ଅପରାଜେୟ ଧାରାକୁ ରୋକିଛି ୟୁପି ୱାରିଅର୍ସ। ଶନିବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍ରେ ୟୁପି ୱାରିଅର୍ସ ୫ ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି। ୟୁପି ଟସ୍ ଜିତି ପ୍ଲେ ଅଫ୍ ଯୋଗ୍ୟତା ପାଇସାରିଥିବା ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ତେବେ ନିୟମିତ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମୁମ୍ବାଇ ୧୨୭ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। କେବଳ ହିଲି ମାଥ୍ୟୁସ୍ (୩୫), ହର୍ମନପ୍ରୀତ କୌର (୨୫) ଓ ଇଜି ୱଙ୍ଗ (୩୨) ଦୁଇ ଅଙ୍କରେ ପହଞ୍ଚିପାରିଥିଲେ। ସୋଫି ଏସ୍ଲେଷ୍ଟୋନ୍ ସବୁଠୁ ସଫଳ ବୋଲର (୩/୧୫) ରହିଥିଲା ବେଳେ ରାଜେଶ୍ବରୀ ଗାଏକ୍ବାଡ ଓ ଦୀପ୍ତି ଶର୍ମା ୨ ୱିକେଟ୍ ଲେଖାଏଁ ପାଇଥିଲେ। କମ୍ ରନ୍ ବିଶିଷ୍ଟ ଏହି ମ୍ୟାଚ୍ରେ ୟୁପି ମଧ୍ୟ ସମାନ ଦଶାରେ ପଡ଼ିଥିଲା। ଯଦିଓ ଅଧିକ ୱିକେଟ୍ ଯାଇନଥିଲା, କିନ୍ତୁ ହାତଖୋଲା ସଟ୍ ଖେଳିବାରେ ୟୁପି ବ୍ୟାଟରଙ୍କୁ ସଂଘର୍ଷ କରିବାକୁ ପଡୁଥିଲା। ଶେଷରେ ଦଳ ୩ ବଲ୍ ପୂର୍ବରୁ ୫ ୱିକେଟ୍ କ୍ଷତିରେ ମ୍ୟାଚ୍ ଜିତିଥିଲା। ତାହିଲା ମ୍ୟାକଗ୍ରା ୩୮, ଗ୍ରେସ୍ ହାରିସ ୩୯ ରନ୍ କରି ଦଳକୁ ବିଜୟ ନିକଟତର କରାଇବା ପରେ ଆଉଟ ହୋଇଥିଲେ। ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ (୨/୩୫ ଓ ୧୩*) ଯୋଗୁଁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୨୭/୧୦ (ହିଲି ମାଥ୍ୟୁସ ୩୫, ଇଜି ୱଙ୍ଗ ୩୨, ହର୍ମନପ୍ରୀତ କୌର ୨୫, ସୋଫି ଏସ୍ଲେଷ୍ଟୋନ୍ ୩/୧୫, ଦୀପ୍ତି ଶର୍ମା ୨/୩୫, ରାଜେଶ୍ବରୀ ଗାଏକ୍ବାଡ ୨/୧୬)। ୟୁପି ୱାରିଅର୍ସ ୧୯.୩ ଓଭରରେ ୧୨୯/୫ (ଗ୍ରେସ୍ ହାରିସ୍ ୩୯, ତାହିଲା ମ୍ୟାକଗ୍ରା ୩୮, ସୋଫି ଏସ୍ଲେଷ୍ଟୋନ୍ ୧୬*, ଦୀପ୍ତି ଶର୍ମା ୧୩*, ଆମେଲିଆ କେର୍ ୨/୨୨)।