ଡେଭିସ୍‌ କପ୍‌ ସ୍ଥାନ ବଦଳାଅ, ନହେଲେ ପାକିସ୍ତାନ ମୁକାବିଲା ସ୍ଥଗିତ ରଖ

ଆଇଟିଏଫ୍‌କୁ ଏଆଇଟିଏର ଅନୁରୋଧ

ନୂଆଦିଲ୍ଲୀ: ଭାରତୀୟ ଡେଭିସ୍‌ କପ୍‌ ଦଳର ପାକିସ୍ତାନ ଗସ୍ତ ନେଇ ଅନିଶ୍ଚିତତା ଜାରି ରହିଛି। ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥାକୁ ପୁଣି ଥରେ ସମୀକ୍ଷା କରିବା ଏବଂ ସ୍ଥାନ ପରିବର୍ତନ କରିବା ନେଇ ସର୍ବଭାରତୀୟ ଟେନିସ୍‌ ସଂଘ (ଏଆଇଟିଏ) ଆନ୍ତର୍ଜାତିକ ଟେନିସ୍‌ ସଂଘ (ଆଇଟିଏଫ୍‌)କୁ ପତ୍ର ଲେଖିବାର ଦିନକ ପରେ ମତ ବଦଳାଇଛି। ଆଇଟିଏଫ୍‌କୁ ପୁଣି ଏକ ପତ୍ର ଲେଖିବାକୁ ଏଆଇଟିଏ ମଙ୍ଗଳବାର ନିଷ୍ପତ୍ତି ନେଇଛି। ଆଉ ଏଥର ଏଆଇଟିଏ ସ୍ଥାନ ବଦଳାଇବାକୁ ନଚେତ ପାକିସ୍ତାନ ବିପକ୍ଷ ମୁକାବିଲାକୁ ସ୍ଥଗିତ ରଖିବାକୁ ଆଇଟିଏଫ୍‌କୁ ଅନୁରୋଧ କରିବ ବୋଲି କହିଛି। ଆଇଟିଏଫ୍‌ ଆମର ପ୍ରଧାନ ସଂଘ ଏବଂ ଖେଳାଳିଙ୍କ ସୁରକ୍ଷା ସେମାନଙ୍କ ଦାୟିତ୍ବ ମଧ୍ୟ। ସେନେଇ ପାକିସ୍ତାନରେ ସୁରକ୍ଷା ପ୍ରସଙ୍ଗ ଉପରେ ପୁଣି ଥରେ ସମୀକ୍ଷା କରିବାକୁ ସୋମବାର କହିଥିଲୁ। ହେଲେ ସୁରକ୍ଷା ନେଇ ସେ ସନ୍ତୁଷ୍ଟ ଏବଂ ସ୍ଥାନ ପରିବର୍ତନ ହୋଇପାରିବ ନାହିଁ ବୋଲି ଆମକୁ ଲେଖିଛନ୍ତି। କିନ୍ତୁ ଆଇଟିଏଫ୍‌ କେବଳ ସୁରକ୍ଷା ପ୍ରସଙ୍ଗକୁ ଅନୁଭବ କରିଛି, ହେଲେ ଉଭୟ ରାଷ୍ଟ୍ର ମଧ୍ୟରେ ରାଜନୈତିକ ତଥା କୁଟନୈତିକ ଉତ୍ତେଜନାକୁ ବିଚାରକୁ ନେଇନାହିଁ ବୋଲି ଏଆଇଟିଏ ସଂପାଦକ ହିରଣ୍ମୟ ଚାଟାର୍ଜୀ କହିଛନ୍ତି। ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଏବଂ ବର୍ତମାନର ସ୍ଥିତିରେ ପାକିସ୍ତାନ ଗସ୍ତ କରିବା ଆଦୌ ସମ୍ଭବ ନୁହେଁ। ତେଣୁ ଆମେ ଆଉ ଥରେ ଆଇଟିଏଫ୍‌କୁ ପତ୍ର ଲେଖି ଅବଗତ କରାଇଛୁ। ପାକିସ୍ତାନରୁ ଡେଭିସ୍‌ କପ୍‌ ସ୍ଥାନାନ୍ତର କରିବା ନଚେତ୍‌ ଭାରତ ମୁକାବିଲାକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରିଛୁ ବୋଲି ଚାଟାର୍ଜୀ କହିଛନ୍ତି। ଏପରିକି ଆମ ଅନୁରୋଧ ସଂପର୍କରେ ସ୍ପଷ୍ଟ ହେବା ପାଇଁ ଟେଲିଫୋନ୍‌ ଜରିଆରେ କଥାବାର୍ତା କରିବାକୁ ଆଇଟିଏଫ୍‌ ବୋର୍ଡକୁ କହିଛୁ ବୋଲି ଚାଟାର୍ଜୀ କହିଛନ୍ତି।

ସମ୍ବନ୍ଧିତ ଖବର