ଢାକା ଟେଷ୍ଟ୍‌: ତାଇଜୁଲ୍‌ଙ୍କୁ ୫ ୱିକେଟ୍‌: ଟେଲରଙ୍କ ଶତକ ସତ୍ତ୍ବେ ଜିମ୍ବାୱେ ୩୦୪

ମିରପୁର: ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭ୍ରମଣକାରୀ ଜିମ୍ବାୱେ ଦଳ ୩୦୪ ରନ୍‌ରେ ପ୍ରଥମ ପା‌ଳିର ସମସ୍ତ ୱିକେଟ୍‌ ହରାଇ ଫଲୋଅନ୍‌ର ସମ୍ମୁଖୀନ ହୋଇଛି। ମୁସ୍‌ଫିକର ରହିମ (୨୧୯*)ଙ୍କ କୀର୍ତିମାନଭରା ଅପରାଜିତ ଦ୍ବିଶତକ, ମୋମିନୁଲ୍‌ ହକ୍‌ (୧୬୧)ଙ୍କ ଶତକ ସାଙ୍ଗକୁ ମେହେଦି ହାସନ୍‌ ମିରାଜ୍‌ (୬୮*)ଙ୍କ ଅପରାଜିତ ଅର୍ଧଶତକ ବଳରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଘରୋଇ ଦଳ ଦ୍ବିତୀୟ ଦିବସରେ ୫୨୨/୭ରେ ପ୍ରଥମ ପାଳି ଘୋଷଣା କରିଥିଲା। ଜବାବରେ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୨୫/୧ କରିଥିବା ଜିମ୍ବାୱେ ମଙ୍ଗଳବାର ତୃତୀୟ ଦିବସରେ ‌େବ୍ରଣ୍ଡନ୍‌ ଟେଲର (୧୧୦)ଙ୍କ ଶତକ, ପିଟର ମୁର୍‌ (୮୩) ଓ ବ୍ରିଆନ୍‌ ଚାରି (୫୩)ଙ୍କ ଲଢୁଆ ଅର୍ଧଶତକ ସତ୍ତ୍ବେ ୩୦୪ ରନ୍‌ କରିପାରିଛି। ଟେଲର ଓ ମୁର୍‌ ଷଷ୍ଠ ୱିକେଟ୍‌ରେ ୧୩୯ ରନ୍ ଯୋଡ଼ି ସ୍ଥିତି ସୁଧାରିବାକୁ ଟେଷ୍ଟା କରିଥିଲେ ମଧ୍ୟ ତାଇଜୁଲ୍‌ ଇସ୍‌ଲାମ୍‌ (୫/୧୦୭) ଓ ଅଲ୍‌ ରାଉଣ୍ଡର ମେହେଦି ହାସନ୍‌ ମିରାଜ୍‌ (୩/୬୧)ଙ୍କ ପ୍ରଭାବୀ ବୋଲିଂ ଜିମ୍ବାୱେ ପ୍ରଥମ ପାଳିକୁ ଫଲୋଅନ୍‌ ଏଠାଇବାର ୧୮ ରନ୍‌ ପୂର୍ବରୁ ଅଟକାଇ ଦେଇଥିଲା। ମୁର୍‌ଙ୍କୁ ଆଉଟ୍‌ କରି ଆରିଫୁଲ୍‌ ହକ୍‌ ଯୋଡ଼ି ଭାଙ୍ଗିବା ପରେ ଟେଲରଙ୍କୁ ମିରାଜ୍‌ ପାଭିଲିୟନ୍‌ ପଠାଇ ଜିମ୍ବାୱେର ଫଲୋଅନ୍‌ ଏଡାଇବା ଆଶା ମଉଳାଇ ଦେଇଥିଲେ। ଏହାପରେ ଚକାଭାଙ୍କୁ ଆଉଟ୍‌ କରି ତାଇଜୁଲ୍‌ ତାଙ୍କ ପଞ୍ଚମ ୱିକେଟ୍‌ ଅକ୍ତିଆର କରିଥିଲେ। ଏଥି ସହିତ ସାକିବ୍‌ ଅଲ୍‌ ହାସନ୍‌ ଓ ଏନାମୁଲ୍‌ ହକ୍ ଜୁନିୟରଙ୍କ ପରେ ତୃତୀୟ ବାଂଲାଦେଶୀ ବୋଲର ଭାବେ ତାଇଜୁଲ୍‌ କ୍ରମାଗତ ୩ଟି ପାଳିରେ ୫ ୱିକେଟ୍‌ ସଫଳତା ସାଉଁଟିଥିଲେ। ୧୦୫.୩ ଓଭରରେ ଜିମ୍ବାୱେ ନବମ ୱିକେଟ୍‌ ହରାଇଥିଲା ବେଳେ ଆହତ ଯୋଗୁ ତେନ୍ଦାଇ ଚଟାରା ବ୍ୟାଟିଂ ପାଇଁ ଆସିନଥିଲେ। ତେଣୁ ସେହି ସ୍କୋର୍‌ରେ ହିଁ ଜିମ୍ବା‌ୱେ ପ୍ରଥମ ପାଳିର ଅନ୍ତ ଘଟିଥିଲା। ଫଳରେ ଘରୋଇ ବାଂଲାଦେଶ ପ୍ରଥମ ପାଳିରେ ୨୧୮ ରନ୍‌ରେ ଆଗୁଆ ରହିଲା। ଆଉ ଦୁଇ ଦିନ ମ୍ୟାଚ୍‌ ବାକିଥିଲା ବେଳେ ଏବଂ ଜିମ୍ବାୱେ ହାତରେ ୯ ୱିକେଟ୍‌ ଥିବାରୁ ବୁଧବାର ଚତୁର୍ଥ ଦିବସ ସକାଳେ ବାଂଲାଦେଶ ଫଲୋଅନ୍‌ ଡାକିବା ନିଶ୍ଚିତ ରହିଛି।

ସମ୍ବନ୍ଧିତ ଖବର