ପତିଆଲା: ପଞ୍ଜାବର ପତିଆଲାଠାରେ ଚାଲିଥିବା‌ ୨୪ତମ ଜାତୀୟ ବରିଷ୍ଠ ଫେଡେ‌ରେସନ୍ କପ୍ ଦୌଡ଼କୁଦ ପ୍ରତିଯୋଗିତାରେ ତାମିଲନାଡୁର ଧନଲକ୍ଷ୍ମୀ ମହାନ ଧାବିକା ପିଟି ଉଷାଙ୍କ ମିଟ୍ ରେକର୍ଡ ଭାଙ୍ଗିଛନ୍ତି। ଗୁରୁବାର ମହିଳା ୨୦୦ ମିଟର ଦୌଡ଼ର ସେମିଫାଇନାଲ୍‌କୁ ୨୩.୨୬ ସେକେଣ୍ଡରେ ଶେଷ କରି ପାୱଲି ଏକ୍ସପ୍ରେସ୍‌ ଉଷାଙ୍କୁ ଟପିଥିଲେ ଭାରତୀୟ ଦୌଡ଼କୁଦର ଏହି ନୂଆ ନାୟିକା। ଭାରତୀୟ ଦୌଡ଼କୁଦର ମହାରାଣୀ ଉଷା ୧୯୯୮ ମସିହାରେ ଚେନ୍ନାଇଠାରେ ଆୟୋଜିତ ଫେଡେରେସନ୍ କପ୍‌ରେ ୨୦୦ ମିଟର ଦୌଡ଼କୁ ୨୩.୩୦ ସେକେଣ୍ଡରେ ଶେଷ କରିଥିଲେ। ଯାହା ଆଜି ପର୍ଯ୍ୟନ୍ତ ଅତୁଟ ରହିଥିଲା।

Advertisment

ଧନଲକ୍ଷ୍ମୀ ଦୀର୍ଘ ୨୩ ବର୍ଷ ପରେ ଏହି କୀର୍ତ୍ତିମାନକୁ ଅତିକ୍ରମ କରିଛନ୍ତି। ଏହା ପୂର୍ବରୁ ବୁଧବାର ୧୦୦ ମିଟର ଦୌଡ଼ର ଫାଇନାଲ୍‌ରେ ସେ ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ। ‌ଅନ୍ୟପକ୍ଷରେ ପୁରୁଷ ୨୦୦ ମିଟର ଦୌଡ଼ରେ ଦେଶର ଦ୍ରୁତତମ ଧାବକ ତଥା ଓଡ଼ିଆ ତାରକା ଅମିୟ ମଲ୍ଲିକ ସେମିଫାଇନାଲ୍‌ରେ ପ୍ରବେଶ କରିଥ‌ିଲେ। ୧୦୦ ମିଟରରେ ନୈରାଶ୍ୟଜନକ ଭାବେ ସପ୍ତମ ସ୍ଥାନରେ ରହିଥିବା ସେ ୨୦୦ ମିଟରରେ ପଦକ ଜିତିବେ ବୋଲି ତାଙ୍କ ପ୍ରଶଂସକ ଆଶା ରଖିଛନ୍ତି। ଆଜି ହୋଇଥିବା ଅନ୍ୟ କେତେକ ବର୍ଗ ଯଥା ୮୦୦ ମିଟରରେ ହରିୟାଣାର କୃଷ୍ଣ କୁମାର, ପୁରୁଷ ପୋଲ ଭଲ୍ଟରେ ପ୍ରଶାନ୍ତ କଣିହା, ଡିସ୍‌କସ୍ ଥ୍ରୋରେ କୃପାଲ ସିଂହ, ମହିଳା ୮୦୦ ମିଟରରେ ଦିଲ୍ଲୀର ଚନ୍ଦା, ଉଚ୍ଚ ଡିଆଁରେ ତାମିଲନାଡୁର ଗ୍ରାସେନା ଗ୍ଲିସଟସ୍ ମେରି, ମହିଳା ଟ୍ରିପଲ ଜମ୍ପ‌ରେ ହରିୟାଣାର ରେଣୁ, ମହିଳା ହାମରଥ୍ରୋରେ ଉତ୍ତରପ୍ରଦେଶର ସରିତା ସିଂହ ଓ ହେପ୍ଟାଥଲନରେ ପଶ୍ଚିମବଙ୍ଗର ସ୍ବପ୍ନା ବର୍ମନ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ।