ଭୁବନେଶ୍ବର : ଯୁବ ପ୍ରତିଭାବାନ ମହିଳା ଜାଭଲିନ୍ ଫିଙ୍ଗାଳି ଧନମତୀ ଖେସ ଜାତୀୟ ପ୍ରଶିକ୍ଷଣ ଶିବିରରେ ସ୍ଥାନ ପାଇଛନ୍ତି। ସୁନ୍ଦରଗଡ଼ର ଧନମତୀ କିଛି ମାସ ହେବ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ତାଲିମ ନେଉଥିଲେ। ଗତବର୍ଷ ଗୁଆହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ୧୭ ବର୍ଷରୁ କମ୍ ବର୍ଗ ଜାଭଲିନ୍ରେ ସେ କାଂସ୍ୟ ପଦକ କରାୟତ କରିଥିଲେ। ପତିଆଲାସ୍ଥିତ ସାଇ ଏନ୍ଏସ୍ଏନ୍ଆଇଏସ୍ରେ ଜାନୁଆରି ୧ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିବେ। ଅନ୍ୟ ଓଡ଼ିଆ ଭାବେ ଅଲିମ୍ପିଆନ୍ ଦୂତି ଚାନ୍ଦଙ୍କ ନାମ ମଧ୍ୟ ପତିଆଲା ଶିବିର ତାଲିକାରେ ରହିଛି। ସେ ୪ ଗୁଣା ୧୦୦ ମିଟର ରିଲେ ପାଇଁ ଏହି ଶିବିରରେ ରହିଛନ୍ତି। ଭାରତୀୟ କ୍ରୀଡ଼ା ପ୍ରାଧିକରଣର ତତ୍ତ୍ବାବଧାନରେ ୪ଟି ସ୍ଥାନ ସାଇ ଏନ୍ଏସ୍ଏନ୍ଆଇଏସ୍ ପତିଆଲା, ସାଇ ଏନ୍ଏସ୍ଏସ୍ସି ବେଙ୍ଗାଲୁରୁ, ଊଷା କ୍ରୀଡ଼ା ସ୍କୁଲ, ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ଏବଂ ଏହା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଶିବିର ଲାଗି ମୋଟ ୧୨୩ (୬୦ ପୁରୁଷ ଓ ୬୩ ମହିଳା) କ୍ରୀଡ଼ାବିତ ରହିଛନ୍ତି। ୪୨ ଜଣ ପ୍ରଶିକ୍ଷକ, ସହ ପ୍ରଶିକ୍ଷକ ଓ ଫିଜିଓଥେରୋପିଷ୍ଟ ଏହାକୁ ପରିଚାଳନା କରିବେ।