ଓଡ଼ିଶା ପିଲାଙ୍କୁ କ୍ରୀଡ଼ା ଗୁରୁତ୍ବ ବୁଝାଇଲେ ଧନରାଜ ଓ ନୀଲେଶ

ଭୁବନେଶ୍ବର/ରାଉରକେଲା/ସୁନ୍ଦରଗଡ଼: ସ୍କୁଲ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଆଜି ଭେଲୁଏବଲ ଗ୍ରୁପ୍‌ ଓ ଆଇଆଇଏସଏମ୍‌, ମୁମ୍ବାଇ ପକ୍ଷରୁ ରାଜ୍ୟ ଶିକ୍ଷା ବିଭାଗ ସହାଯୋଗରେ ଏକ ଅଭିନବ ପ୍ରୟାସ କରିଛନ୍ତି। ଜୀବନରେ କ୍ରୀଡ଼ାର ଗୁରୁତ୍ବ ଏବଂ ଏହାର ଉପାଦେୟତା ସମ୍ପର୍କରେ ସୁନ୍ଦରଗଡ଼ର ୭୦ ବିଦ୍ୟାଳୟର ୭ହଜାର ପାଖାପାଖି ପିଲାଙ୍କୁ ହକି କିମ୍ବଦନ୍ତୀ ଧନରାଜ ପିଲ୍ଲେ ଏବଂ ଭାରତୀୟ ଦଳର ପୂର୍ବତନ କ୍ରିକେଟର୍ ନୀଲେଶ କୁଲକର୍ଣି ବୁଝାଇଥିଲେ। କ୍ରୀଡ଼ାକୁ ଖେଳ ଜୀବନ କରିବାର ଫାଇଦା ସମ୍ପର୍କରେ ମଧ୍ୟ ବୁଝାଇଥିଲେ ଏହି ଦୁଇ ପୂର୍ବତନ‌ ଅନ୍ତର୍ଜାତୀୟ ଖେଳାଳି।

ସୁନ୍ଦରଗଡ଼ ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଏହି ଦୁଇ ପ୍ରତିଷ୍ଠିତ କ୍ରୀଡ଼ାବୀତ କ୍ରୀଡ଼ାର ବିଭିନ୍ନ ଉପାଦେୟତା ବିଷୟରେ କହିବା ସହ ଜ୍ଞାନ ପ୍ରଦାନ କରିଛନ୍ତି। ଭେଲୁଏବଲ ଗ୍ରୁପ୍‌ ଦ୍ବାରା ସୁନ୍ଦରଗଡ଼ରେ ସ୍ଥାପିତ ‘ଭିଚୁର୍ଆଲ କ୍ଲାସରୁମ୍‌’ ସହ ସଂଯୋଜିତ ଜିଲ୍ଲାର ବିଭିନ୍ନ ଅଂଚଳର ୭୦ଟି ସ୍କୁଲର ଛାତ୍ରଛାତ୍ରୀ ଏହି ପ୍ରତିଷ୍ଠିତ କ୍ରୀଡ଼ାବିତଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଛାତ୍ରଛାତ୍ରୀ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଶ୍ରୀ ପିଲ୍ଲେ କହିଲେ, ପ୍ରତ୍ୟେକ ଛାତ୍ରଛାତ୍ରୀ ଛୋଟ ବେଳରୁ ନିଷ୍ଠାପର ପରିଶ୍ରମ ଜାରି ରଖନ୍ତୁ। ‌ଯେକୌଣସି କ୍ରୀଡ଼ା ପ୍ରତି ରୁଚି ରଖୁଛନ୍ତି ସେଥିରେ କଠୋର ଅଧ୍ୟବସାୟ କରନ୍ତୁ। କ୍ରୀଡ଼ା ଏକ ସୁସ୍ଥ ସ୍ବାସ୍ଥ୍ୟ ପ୍ରଦାନ କରିବା ସହ ଏକ ଉଜ୍ବଳ ଭବିଷ୍ୟତ ମଧ୍ୟ ଗଢ଼ିଥାଏ। ପ୍ରତ୍ୟେକ ଛୋଟ ଛୋଟ ସହରକୁ ବିକଶିତ କରିବା ଆବଶ୍ୟକ। ଛୋଟ ଛୋଟ ଗାଁ, ସହରରେ ରହୁଥିବା ପିଲାମାନେ ବିନା ଜୋତା, ଭଙ୍ଗା ଦଦରା ହକି ଷ୍ଟିକ୍‌ରେ ହକି ଖେଳିଥାନ୍ତି; ମାତ୍ର ବଡ଼ ବଡ଼ ସହରରେ ଏସବୁ ସମସ୍ୟା ଦେଖାଦେଇ ନଥାଏ। ଏଣୁ ଅଧିକରୁ ଅଧିକ ସଫଳ କ୍ରୀଡ଼ାବିତ ସୃଷ୍ଟି କରିବାକୁ ହେଲେ ଛୋଟ ଛୋଟ ସହରର ବିକାଶ ମଧ୍ୟ ଜରୁରୀ ବୋଲି କହିଥିଲେ। ଏହାସହ ସୁନ୍ଦରଗଡ଼ର କିମ୍ବଦନ୍ତୀ କ୍ରୀଡ଼ାବିତ ଦିଲୀପ ତିର୍କି, ଲାଜରୁସ ବାର୍ଲା, ଶୁଭଦ୍ରା ପ୍ରଧାନ ପ୍ରମୁଖଙ୍କୁ ମନେ ପକାଇବା ସହ ଭବିଷ୍ୟତରେ ସୁନ୍ଦରଗଡ଼ ଗସ୍ତରେ ଆସିବାକୁ ପ୍ରତିଶ୍ରୁତି ଦେଇଥିଲେ। କ୍ରିକେଟର ଶ୍ରୀ କୁଲକର୍ଣ୍ଣି କହିଲେ, କ୍ରୀଡ଼ା ପ୍ରତି ରୁଚି ରଖୁଥିବା ପିଲାମାନଙ୍କୁ ଡିଜିଟାଲ ଇଣ୍ଡିଆ ଏକ ବରଦାନ ସଦୃଶ। ଛୋଟ ସହରରେ ରହୁଥିଲେ ସୁଦ୍ଧା ପିଲାମାନେ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗୁଁ କ୍ରୀଡ଼ାର ବିଭିନ୍ନ କଳାକୌଶଳ ବିଷୟରେ ଶିକ୍ଷା ଲାଭ କରିପାରିବେ। ଏହାସହ କ୍ରୀଡ଼ା ପ୍ରତି ଆହୁରି ଆକୃଷ୍ଟ ହୋଇପାରିବେ ବୋଲି କହିଥିଲେ। ମଧ୍ୟାହ୍ନ ୧୨ଟା ୧୫ରୁ ଅପରାହ୍ନ ୧ଟା ୨୫ ଯାଏ ଅନୁଷ୍ଠିତ ହୋଇଥିଲା। ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ଖଜୁରିବଣିଆ ବାଳିକା ଉଚ୍ଚ ବିଦ୍ୟାଳୟ, ହାତୀବାରି ନୋଡାଲ ଉଚ୍ଚ ବିଦ୍ୟାଳୟ, କୁତ୍ରା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ ଗିରି, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ ତାଣ୍ତି, ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଅକ୍ଷୟ ମାହାନ୍ତ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ବିଦ୍ୟାଧର ପ୍ରଧାନ, କ୍ରୀଡ଼ା ଅଧିକାରୀ ତେଜ କୁମାର ଖେସ, ରାଜ୍ୟ କ୍ରୀଡ଼ା ଛାତ୍ରାବାସ ହକି କୋଚ୍‌ ବିଜୟ କୁମାର ଲାକ୍ରା, ସାଇ ‌କୋଚ୍‌ ପ୍ରଦୀପ ଷଡ଼ଙ୍ଗୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଗୋପୀନାଥ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର