କଳିଙ୍ଗରେ ଲଢ଼ିବେ ଧନରାଜ-ଦିଲୀପ

ଷ୍ଟାଡିୟମ୍ ଉଦ୍‌ଘାଟନୀରେ ପ୍ରଦର୍ଶନୀ ହକି ମ୍ୟାଚ୍‌

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ର ପୁନଃନିର୍ମିତ ହକି କମ୍ପ୍ଲେକ୍ସ ଓ ଅଭ୍ୟାସ ପଡ଼ିଆ ଆସନ୍ତା ୧୦ ତାରିଖରେ ଉଦ୍‌ଘାଟିତ ହେବ। ଏହି ଉଦ୍‌ଘାଟନୀ ପର୍ବ ଅବସରରେ ଏକ ପ୍ରଦର୍ଶନ ହକି ମ୍ୟାଚ୍‌ ଖେଳାଯିବ। ଏଥିରେ ଦୁଇ କିମ୍ବଦନ୍ତୀ ହକି ତାରକା ଧନରାଜ ପିଲ୍ଲେ ଏବଂ ପଦ୍ମଶ୍ରୀ ଦିଲୀପ ତିର୍କିଙ୍କ ଦଳ ମଧ୍ୟରେ ଲଢ଼େଇ ହେବ। ଏଥି ଲାଗି ବୁଧବାର ଦଳ ଘୋଷିତ ହୋଇଛି। ଉଭୟ ଦଳରେ ପୂବର୍ତନ ଏବଂ ବର୍ତମାନର ଖେଳାଳି ସ୍ଥାନ ପାଇଛନ୍ତି। ମ୍ୟାଚ୍ ସଂଧ୍ୟା ୭ଟା‌େର ଆରମ୍ଭ ହେବ। ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମି ପ୍ରଦାନ କରିବା ଲକ୍ଷ୍ୟ ନେଇ ଓଡ଼ିଶା ସରକାର କଳିଙ୍ଗ ଷ୍ଟାଡିୟମ୍‌କୁ ପୁନର୍ଗଠିତ କରିବା ସହ ସବୁ ପ୍ରକାର ଖେଳ ପାଇଁ ଏକ ଆନ୍ତର୍ଜାତିକ କ୍ରୀଡ଼ା କମ୍ପ୍ଲେକ୍ସରେ ପରିଣତ କରିଛନ୍ତି। ଏଚ୍‌ଆଇଏଫ୍‌ ନିୟମ ଅନୁଯାୟୀ ଉଭୟ ଅଭ୍ୟାସ ଓ ମୁଖ୍ୟ ପିଚ୍‌ରେ ଟର୍ଫ ପକାଯାଇଛି। ଷ୍ଟାଡିୟମ୍ କ୍ଷମତାକୁ ୮୫୦୦ରୁ ୧୫,୦୦୦କୁ ବଢ଼ାଯାଇଛି। ଷ୍ଟାଡିୟମ୍‌‌ର ଉତ୍ତର ଓ ଦକ୍ଷିଣ ଶେଷ ମୁଣ୍ଡରେ ୨ ନୂଆ ଗ୍ୟାଲେରି ନିର୍ମାଣ କରାଯାଇଛି। ଓଡ଼ିଶା ସରକାର ହକିରେ ନୂତନ ଜୀବନ ସଂଚାର କରୁଛନ୍ତି ଓ ଏଭଳି ଅଭିଯାନ ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରୁଛି। ସାଂପ୍ରତିକ ଏବଂ ପୁର୍ବତନ ହକି ତାରକାଙ୍କୁ ନେଇ ଖେଳାଯିବାକୁ ଥିବା ଏହି ପ୍ରଦର୍ଶନୀ ମ୍ୟାଚ୍ ଭାରତୀୟ ହକି ପାଇଁ ବେଶ୍ ସ୍ମରଣୀୟ ହେବ। ମୁଁ ଆଶା କରୁଛି ଯେ କଳିଙ୍ଗ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭିଡ଼ ସହିତ ଘରେ ବସିଥିବା ଓ ଆମକୁ ଦେଖୁଥିବା ପ୍ରତିଟି ହକି ପ୍ରେମୀଙ୍କୁ ଆମେ ଭରପୁର ମନୋରଂଜନ ଯୋଗାଇବୁ ବୋଲି ଧନରାଜ ପିଲେ କହିଛନ୍ତି।

ଏହି ଐତିହାସିକ ମ୍ୟାଚ୍ ମାଧ୍ୟମରେ ଭାରତୀୟ ହକିର ଅତୀତ ଓ ବର୍ତମାନ ଏକାଠି ହେବେ। ଏଥିରେ ଓଡ଼ିଶା ଓ କଳିଙ୍ଗ ଷ୍ଟାଡିୟମ୍‌ର ଗୌରବକୁ ପ୍ରଦର୍ଶିତ ହେବ। ଧନରାଜ ଓ ତାଙ୍କ ଦଳ ସହିତ ଲଢ଼େଇ କରିବାକୁ ଯାଉଥିବାରୁ ମୁଁ ବହୁତ ଉତ୍ସାହିତ। ମୁଁ ଓ ମୋ ଦଳ କ୍ରୀଡ଼ାପ୍ରେମୀଙ୍କୁ ଏକ ଭଲ ଖେଳ ଭେଟିଦେବାକୁ ଚେଷ୍ଟା କରିବୁ ବୋଲି ଦିଲୀପ ତିର୍କି ମତ ରଖିଛନ୍ତି। ହକି ପାଇଁ ଓଡ଼ିଶାର ଭଲପାଇବା ପ୍ରତି ଏହା ହେଉଛି ଶ୍ରଦ୍ଧାଞ୍ଜଳି। କଳିଙ୍ଗ ଷ୍ଟାଡିୟମ୍‌ର ଦ୍ୱାରକୁ ଉନ୍ମୁକ୍ତ କରିବା ଓ ବିଶ୍ୱକପ୍‌ ଅବଗଣନା ପାଇଁ ଭାରତୀୟ ହକିର ବରପୁତ୍ରମାନଙ୍କୁ ନେଇ ଏକ ମ୍ୟାଚ୍ ଆୟୋଜନ କରିବା ଯେଉଁଥିରେ ଭାରତର ଦୁଇ ଶ୍ରେଷ୍ଠଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ତା’ଠାରୁ ଆଉ ଅଧିକ କ’ଣ ଉନ୍ନତ ହୋଇପାରିବ। ଏହା ଏକ ହକି ମୁହୂର୍ତ ଯେଉଁଠାରେ ଅକ୍ଟୋବର ୧୦ରେ କଳିଙ୍ଗ ଷ୍ଟାଡିୟମ୍‌ରେ ଯୁବ ଓ ଅଭିଜ୍ଞଙ୍କ ମିଶ୍ରଣ ହେବ। ଧନରାଜ ପିଲେ ଓ ଦିଲୀପ ତୀର୍କି ଉଭୟ ବାସ୍ତବରେ କିମ୍ବଦନ୍ତୀ ଓ ଏହି ମ୍ୟାଚ୍ ମଧ୍ୟ ସେହିଭଳି ରହିବ ବୋଲି ଏହି ପ୍ରଦର୍ଶନୀ ମ୍ୟାଚ୍ ପଛର ମସ୍ତିଷ୍କ ଓ ହାର୍ଟବିଟ୍ ଫର ହକି ଅଭିଯାନର ସୃଷ୍ଟିକର୍ତା ନୁପୂର ମହାଜନ କହିଛନ୍ତି।

ଧନରାଜଙ୍କ ଦଳ: ଧନରାଜ ପିଲ୍ଲେ (ଅଧିନାୟକ), ପିଆର୍‌ ଶ୍ରୀଜେସ୍‌, ବିରେନ୍‌ ରସ୍‌କିନା, ସର୍ଦାର ସିଂହ, ପ୍ରଭଜ୍ୟୋତ ସିଂହ, ସନ୍ଦୀପ ସିଂହ, ବରୁନ କୁମାର, ହରମନପ୍ରୀତ ସିଂହ, ଗୁରିନ୍ଦର ସିଂହ, କୋଥାଜିତ ସିଂହ, ଜର୍ମନପ୍ରୀତ ସିଂହ, ଚିଙ୍ଗଲେନସାନା ସିଂହ କାଙ୍ଗୁଜାମ, ସିମରନଜୀତ ସିଂହ, ହାର୍ଦିକ ସିଂହ, ଏସ୍‌ଭି ସୁନୀଲ, ଗୁରଜାଣ୍ଟ୍‌ ସିଂହ, ଦିଲପ୍ରୀତ ସିଂହ, ପ୍ରଦୀପ ସିଂହ।

ଦିଲୀପଙ୍କ ଦଳ: ଦିଲୀପ ତିର୍କି (ଅଧିନାୟକ), କୃଷ୍ଣ ବାହାଦୂର ପାଠକ, ଇଗ୍ନେସ ତିର୍କି, ଭିଆର୍‌ ରଘୁନାଥ, ଦୀପକ ଠାକୁର, ମନପ୍ରୀତ ସିଂହ, ଦୀପସାନ ତିର୍କି, ରୂପିନ୍ଦର ପାଲ ସିଂହ, ସୂରଜ କାର୍କେରା, ନୀଲମ ସଞ୍ଜୀପ ଖେସ୍‌, ସୁରେନ୍ଦର କୁମାର, ଅମିତ ରୋହିଦାସ, ସୁମିତ, ନୀଳକଣ୍ଠ ଶର୍ମା, ଲଲିତ କୁମାର ଉପାଧ୍ୟାୟ, ଆକାଶଦୀପ ସିଂହ, ମନଦୀପ ସିଂହ, ସୁମିତ କୁମାର।

ସମ୍ବନ୍ଧିତ ଖବର