ଜନ୍ମଦିନରେ ପାକିସ୍ତାନ ମୁକାବିଲାକୁ ମନେ ପକାଇଲେ ଧନରାଜ

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା କିଂବଦନ୍ତି ଫରୱାର୍ଡ ଧନରାଜ ପିଲ୍ଲେଙ୍କୁ ଗୁରୁବାର ୫୨ ବର୍ଷ ପୂରିଯାଇଛି। ଭାରତ ପାଇଁ ୩୩୯ ମ୍ୟାଚ୍‌ ଖେଳି ୧୭୦ ଗୋଲ୍ ‌ଦେଇଥିବା ଧନରାଜ ଏହି ଅବସରରେ ପାକିସ୍ତାନ ବିପକ୍ଷ ୨୦୦୩ ମସିହା ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ ବିଜୟକୁ ମନେ ପକାଇଛନ୍ତି। ଏହି ମ୍ୟାଚ୍‌ ଭାରତୀୟ ହକି ପ୍ରଶଂସକଙ୍କ ପାଇଁ ମଧ୍ୟ ଅବିସ୍ମରଣୀୟ ରହିଛି। ୧୭ ବର୍ଷ ତଳର ଏହି ମୁକାବିଲା ନେଦରଲାଣ୍ଡ୍‌ର ଆମଷ୍ଟଲ୍‌ଭିନ୍‌ରେ ଖେଳାଯାଇଥିଲା। ବିଶ୍ବ ହକି ଇତିହାସରେ ମଧ୍ୟ ଏହା ଚମତ୍କାର ପ୍ରତ୍ୟାବର୍ତନର ଅନ୍ୟତମ ନିଖୁଣ ଉଦାହରଣ ହୋଇରହିଛି। ସେତେବେଳେ ୭୦ ମିନିଟ ବିଶିଷ୍ଟ ଦୁଇ ଅର୍ଧେକରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଏକଦା ୨-୪ ଗୋଲ୍‌ରେ ପଛୁଆ ଥିଲା। ୧୧ ଗୋଲ୍‌ ଦେଖିଥିବା ଏହି ମ୍ୟାଚ୍‌ରେ ଶେଷକୁ ଭାରତ ୭-୪ରେ ଜିତିଥିଲା। ୪୨ତମ ମିନିଟ ବେଳକୁ ପାକିସ୍ତାନ ୪-୨ରେ ଆଗୁଆ ରହିଥିଲା। ଏହା ପରେ ୫୦ତମ ମିନିଟରେ ଦୀପକ ଠାକୁର, ୫୪ତମ ମିନିଟରେ ପ୍ରଭଜୋତ ସିଂହ ମାତ୍ର ୧୨ ମିନିଟ୍ ଭିତରେ ମ୍ୟାଚ୍‌କୁ ସମତୁଲ ସ୍ତରକୁ ନେଇ ଆସିଥିଲେ। ଏହା ପ‌ରବର୍ତୀ ୫ ମିନିଟ୍‌ରେ ଅନେକ ଯାଦକରୀ ହକି‌ ଦେଖିବାକୁ ମିଳିଥିଲା। ୬୦ରୁ ୬୫ ମିନିଟ୍‌ ମଧ୍ୟରେ ଭାରତ ହକି ଦକ୍ଷତାର ସର୍ବୋଚ୍ଚ ସ୍ତରକୁ ଛୁଇଁଥିଲା। ଗଗନ ଅଜିତ୍ ସିଂହ (୬୦, ୬୨ ମିନିଟ୍) ଏବଂ ଦୀପକ ଠାକୁରଙ୍କ ଦ୍ବିତୀୟ ଗୋଲ୍‌ ଭାରତକୁ ବିଖ୍ୟାତ ବିଜୟ ପ୍ରଦାନ କରିଥିଲା।

‘ମୁଁ ଭାବୁଛି ଏଭଳି ମ୍ୟାଚ୍‌ ଆଜିକାଲି ଦେଖିବାକୁ ମିଳୁନାହିଁ। ୪ ଗୋଲ୍‌ ବରଣ କରିବା ପରେ ଆମେ ଗୋଲ୍ ବର୍ଷା କରିଥିଲୁ, ସବୁ ଶ୍ରେୟ ଯୁଗରାଜ ସିଂହ (ଡ୍ରାଗ୍‌ ଫ୍ଲିକ୍‌ରୁ ୨ ଗୋଲ୍‌), ଗଗନ ଅଜିତ୍ ସିଂହ, ଦୀପକ ଠାକୁର, ପ୍ରଭ‌ଜୋତ ସିଂହ ଏବଂ ବଲଜିତ୍ ଧିଲୋଁଙ୍କୁ ମିଳିବ। ମୁଁ, ବଲଜିତ୍‌ ସୈନି ଓ ବୀରେନ୍ ରସକିନା ଏମାନଙ୍କୁ ବଲ୍ ଯୋଗାଇ ଦେଉଥିଲୁ। ମୁଁ ଗୋଲ ଦେଇନଥିଲି, କିନ୍ତୁ ଏହି ମ୍ୟାଚ୍‌କୁ ଢେର ଉପଭୋଗ କରିଥାଏ। ଏପରିକି ଆଜି ବି ମୁଁ ୟୁଟ୍ୟୁବ୍‌ରେ ମୋ ପାସ୍‌ ଦେଖିଲେ ଉଲ୍ଲସିତ ହୁଏ’ ବୋଲି କହିଥ‌ିଲେ ପୂର୍ବତନ ଅଧିନାୟକ ଧନରାଜ। ‌ସେହି ମ୍ୟାଚ୍‌ ପରେ ଜଣେ ପ୍ରଶଂସକ ଧନରାଜଙ୍କୁ ଜାତୀୟ ପତାକା ଧରାଇବା ପରେ ସେ ବର୍ଷକ ତଳର ପ୍ରତିଶୋଧ ନେଇଥିଲେ। ୨୦୦୨ ଚାମ୍ପିଅନ୍ସ ଟ୍ରଫି (କୋଲୋନ୍, ଜର୍ମାନି)ରେ ଭାରତ ୩-୪ ଗୋଲ୍‌ରେ ପାକିସ୍ତାନଠାରୁ ହାରିଯାଇଥିଲା। ‘ଏହି ପରାଜୟ ପରେ କିଛି ପାକିସ୍ତାନ ଖେଳାଳି ମୋ ସାମ୍ନାକୁ ଆସି ସେମାନଙ୍କ ପତାକା ଉଡ଼ାଇଥିଲେ, ଏହା ମୋ ଶରୀରରେ ଛୁଞ୍ଚି ଫୋଡ଼ିଦେବା ଭଳି ଅନୁଭବ ଦେଇଥିଲା’ ବୋଲି ଧନରାଜ କହିଥିଲେ। ୨୦୦୩ ମ୍ୟାଚ୍‌ ପରେ ପାକିସ୍ତାନ ଦଳ ଡଗ୍‌ଆଉଟ୍‌କୁ ଚାଲିଯାଇଥିଲା। ଜଣେ ପାଜୀ ମୋତେ ତିରଙ୍ଗା ଧରାଇଦେବା ପରେ ମୁଁ ତାଙ୍କ ଡଗ୍ ଆଉଟ୍‌ ଆଡକୁ ଯାଇ ଏହାକୁ ଗର୍ବର ସହ ଉଡ଼ାଇଥିଲି। କିନ୍ତୁ ମୁଁ ଦଳର ବରିଷ୍ଠ ଖେଳାଳି ହୋଇଥିବାରୁ କୌଣସି ରାଗ ଦେଖାଇନଥିଲି, ଏହା ଆମ ପାଇଁ ଗୌରବାନ୍ବିତ ମୁହୂର୍ତ ଥିଲା’ ବୋଲି କହିଥିଲେ ଧନରାଜ। ପାକିସ୍ତାନ ବିପକ୍ଷ ମୁକାବିଲା ବେଳେ ମୁଁ ଶ୍ରେଷ୍ଠ ଖେଳିଥାଏ, ତଥାପି ପଡିଆ ବାହାରେ ପାକିସ୍ତାନ ଖେଳାଳିମାନେ ମୋତେ ଭାରି ସମ୍ମାନ ଦିଅନ୍ତି। ପ୍ରାତଃଭୋଜନ କିମ୍ବା ରାତ୍ରୀ ଭୋଜନ ବେଳେ ଦେଖା‌ହେ‌ଲେ ପାଖକୁ ଆସି ବସନ୍ତି। ‘ପିଲ୍ଲେ ଭାଇ ପାଖେ ବସିଲେ କିଛି ଶିଖିବାକୁ ମିଳିବ’ ବୋଲି ସର୍ବଦା କହିଥିବା କଥା ଧନରାଜ ମନେ ପକାଇଥିଲେ। ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଗୋଲରକ୍ଷକ ମନସୁର ଅହମ୍ମଦଙ୍କଠାରୁ ମୁଁ ଅନେକ କିଛି ଶିଖିଛି ବୋଲି ମଧ୍ୟ ସ୍ବୀକାର କରିଥିଲେ ଏହି ପୁନେ ପ୍ରତିଭା।

୧୯୮୯ ମସିହାର ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଧନରାଜ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଥିଲେ। ୨୦୦୪ରେ ଅବସର ପୂର୍ବରୁ ସେ କିନ୍ତୁ ସମାନ ୪ ଲେଖାଏଁ ଅଲିମ୍ପିକ୍ସ, ବିଶ୍ବକପ୍‌, ଚାମ୍ପିଅନ୍ସ ଟ୍ରଫି, ଏସିଆ କପ୍‌ରେ ଅଂଶଗ୍ରହଣ କରିଥିଲେ। ଅନ୍ତର୍ଜାତୀୟ ସଫଳତା କିନ୍ତୁ ଦୁଇଟି ବିଜେତା (୨୦୦୧ ଚାମ୍ପିଅନ୍ସ ଟ୍ରଫି, ୨୦୦୩ ଏସିଆ କପ୍‌)ରେ ହିଁ ସୀମିତ ରହିଥିଲା।

ସମ୍ବନ୍ଧିତ ଖବର