ବିଜୟଙ୍କୁ ‘ମୋ ପତ୍ନୀ ଭଳି’ କହୁଥିଲେ ଧାୱନ

ନୂଆଦିଲ୍ଲୀ: ମୁରଲୀ ବିଜୟ ଏକଦା ଶିଖର ଧାୱନଙ୍କ ପ୍ରାରମ୍ଭିକ ବ୍ୟାଟିଂ ଯୋଡ଼ିଥିଲେ। ଉଭୟଙ୍କ ମଧ୍ୟରେ ବହୁ ଭଲ ଭାଗୀଦାରି ମଧ୍ୟ ହୋଇଥିଲା ଟେଷ୍ଟ୍ କ୍ରିକେଟ୍‌ରେ। ସେହି କାରଣରୁ ଉଭୟଙ୍କ ମଧ୍ୟରେ ବଂଧୁତା ମଧ୍ୟ ବଢ଼ିଯାଇଥିଲା। ଏଭଳି ଅନ୍ତରଙ୍ଗ ମୁହୂର୍ତର କିଛି କଥାକୁ ଶିଖର ଧାୱନ ମଙ୍ଗଳବାର ପଦାକୁ ଆଣିଛନ୍ତି। ଧାୱନ ଦିନେ ବିଜୟଙ୍କୁ କହିଥିଲେ ‘ତ‌ୁମେ ମୋ ପତ୍ନୀ ଭଳି’। ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ଏକ ଇନ୍‌ଷ୍ଟାଗ୍ରାମ ଲାଇଭ୍ ଆଲୋଚନା ବେଳେ ଧାୱନ ମଙ୍ଗଳବାର ଏଭଳି ମଜାଦାର କଥା କହିଥିଲେ। ‘‘‌ସେ (ବିଜୟ) ପଡିଆ ଭିତରେ ଓ ବାହାରେ ଭାରି ବଢ଼ିଆ ଚରିତ୍ରର। ମୁଁ ତାଙ୍କୁ ଅତି ନିକଟରୁ ଜାଣିଛି, ବଡ଼ ହୃଦୟବାନ ବ୍ୟକ୍ତି। ପ୍ରତିଟି ଜିନିଷକୁ ସେ ପସନ୍ଦ କରନ୍ତି। ‘ଏଇଟା ନୁହେଁ, ସେଇଟା ହେବନି’ କହିବା ଭଳି ଚରିତ୍ରର ନୁ‌ହଁନ୍ତି। ମୁଁ କିନ୍ତୁ ବିନ୍ଦାସ ଚରିତ୍ରର’’ ବୋଲି ଧାୱନ ପ୍ରକାଶ କରିଥିଲେ। ଆମ ଭିତରେ କେବେ ବି ରନ୍‌ ନେବା ନ ନେବାକୁ ନେଇ ଦ୍ବନ୍ଦ୍ବ ରହିନଥାଏ, କେବେ ସେଭଳି ସ୍ଥିତି ଆସିଲେ ବି ତୁରନ୍ତ ଉଭେଇଯାଏ। ସର୍ବଦା ଆମ ଭିତରେ ଭଲ ବୁଝାମଣା ରହିଥାଏ। ସେଥିପାଇଁ ମୁଁ ତାଙ୍କୁ ବେଳେ ବେଳେ କୁହେ ‘ତ‌ୁମେ ମୋ ପତ୍ନୀ ଭଳି’। ଭାରତୀୟ ଦଳ ପାଇଁ ଆମେ ଭଲ କରିଥିଲୁ ଏବଂ ଆଗକୁ ତାଙ୍କ ସହ କିଛି ହସ ହସ ମୁହୂର୍ତ ବିତାଇବାକୁ ମୁଁ ପସନ୍ଦ କରିବି’’ ବୋଲି ପ୍ରକାଶ କରିଥିଲେ ଧାୱନ।

ସୂଚନାଯୋଗ୍ୟ, ୨୦୧୨ ମସିହାରେ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ପରାଜୟ ପରେ ଗୌତମ ଗମ୍ଭୀର ଏବଂ ବୀରେନ୍ଦ୍ର ସେହବାଗଙ୍କ ବିଦାୟ ବେଳା ଆସିଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ପ୍ରାରମ୍ଭରୁ ମୁରଲୀ ବିଜୟ ଆସି ସେହବାଗଙ୍କ ସହ ପାଳି ଆରମ୍ଭ କରିଥିଲେ। କିନ୍ତୁ ସେହବାଗଙ୍କ ବିଫଳତା ପରେ ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ମୋହାଲିରେ ଧାୱନ ପଦାର୍ପଣରେ ୧୮୭ ରନ୍‌ର ଶତକୀୟ ପାଳି ଖେଳି ଧମାକା କରିଥିଲେ। ଏହା ପରେ ଅନେକ ଦିନ ଧରି ବିଜୟ-ଧାୱନ ଟେଷ୍ଟ୍ କ୍ରିକେଟ୍‌ରେ ଭାରତର ପାଳି ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର