ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ନେତୃତ୍ବ ନେବାର ଶୈଳୀକୁ ବର୍ଣ୍ଣନା କରିବାରେ ସବୁଠୁ ଶ୍ରେଷ୍ଠ ଶବ୍ଦ ହେଉଛି ‘ବରଫ’ ଓ ‘ନିଆଁ’। ଉଭୟ ଧୋନି ଓ ‌କୋହଲିଙ୍କ ଅଧିନରେ ଭାରତୀୟ କ୍ରିକେଟ୍‌ ବହୁତ ଉଚ୍ଚକୁ ଯାଇଛି। ଯାହାକି ଭାରତୀୟ କ୍ରିକେଟ୍‌ ଇତିହାସରେ ସବୁବେଳେ ସ୍ମରଣୀୟ ରହିବ ବୋଲି ବାମହାତୀ ବ୍ୟାଟର୍‌ ଶିଖର ଧାୱନ କହିଛନ୍ତି। ଧାୱନ ‌ତାଙ୍କର ଆନ୍ତର୍ଜାତିକ ପଦାର୍ପଣ ଧୋନିଙ୍କ ଅଧିନରେ କରିଥିଲା ବେଳେ କୋହଲିଙ୍କ ଅଧିନରେ ସେ ‌ଅନେକ ସଫଳତା ପାଇଚାଲିଥିଲେ। ଏପରିକି କୋହଲି ଓ ଧାୱନ ଉଭୟ ଦିଲ୍ଲୀରୁ ଆସୁଥିବା ବେଳେ ଏକାଠି ଅନେକ ଘରୋଇ କ୍ରିକେଟ୍‌ ଖେଳିଛନ୍ତି।

Advertisment

ଏକ ସାକ୍ଷାତକାରରେ ଧାୱନ କହିଛନ୍ତି ଯେ, ନେତୃତ୍ବ ନେବାର ଶୈଳୀରେ ଧୋନି ଓ କୋହଲି ପରସ୍ପରଠୁ ଭିନ୍ନ। ଧୋନି ତାଙ୍କ ଶାନ୍ତ ସ୍ବଭାବ ପାଇଁ ଜଣାଶୁଣା ଥିଲେ। ମ୍ୟାଚ୍‌ର ଯେକୌଣସି ସ୍ଥିତି ଥାଉନା କାହିଁକି, ସେ ସବୁବେଳେ ଶାନ୍ତ ରହୁଥିଲେ। ଏହାହିଁ ତାଙ୍କ ଅଧିନାୟକତ୍ବର ହଲ୍‌ମାର୍କ। ଚାପ ସମୟରେ ଧୋନି ସଠିକ ନିଷ୍ପତ୍ତି ନେଇଥା’ନ୍ତି। ସବୁ ଖେଳାଳିଙ୍କୁ ସେ ସହାୟତା କରୁଥିଲା ବେଳେ ଦଳ ଭିତରେ ଏକ ସକରାତ୍ମକ ପରିବେଶ ସୃଷ୍ଟି କରୁଥିଲେ। ଅନ୍ୟପକ୍ଷରେ କୋହଲି ଯୁବଶକ୍ତି ଓ ଉତ୍ସାହଭରା ବାତାବରଣକୁ ପ୍ରାଧାନ୍ୟ ଦେଇଆସୁଥିଲେ। ଯୁବ ଖେଳାଳିଙ୍କୁ ସେ ଆଗକୁ ଯିବାକୁ ଉତ୍ସାହିତ କରୁଥିଲେ ଓ ସେମାନଙ୍କୁ ସମର୍ଥନ ଦେଉଥିଲେ। କୋହଲି ସବୁବେଳେ ଫିଟ୍‌ନେସ୍‌ ଉପରେ ଅଧିକ ଗୁରୁତ୍ବ ଦେଉଥିଲେ। ତାଙ୍କ ଅଧିନରେ ‌ଦଳ ଖେଳିବା ଦିନଠୁ ଫିଟ‌୍‌ନେସ୍‌ ସଂସ୍କୃତି ଅଧିକ ବଢ଼ିଛି। କୋହଲି ନିଜ ପ୍ରଦର୍ଶନ ବଳରେ ଦଳକୁ ଆଗକୁ ନେଉଥିଲେ ଏବଂ ଆକ୍ରମଣାତ୍ମକ ଖେଳ ପାଇଁ ଦଳ ଭଲ ସ୍ଥିତିରେ ରହୁଥିଲା। ଏପରିକି ଏଭଳି ଖେଳ ଅନ୍ୟମାନେ ଖେଳନ୍ତୁ ବୋଲି ସେ ସବୁବେଳେ କହିଆସୁଥିଲେ ବୋଲି ଧାୱନ କହିଛନ୍ତି।

ଧୋନିଙ୍କ ରେକର୍ଡର ସମକକ୍ଷ ହେଲେ ଶର୍ମା
ଇନ୍ଦୋର: ରବିବାର ରୋହିତ ଶର୍ମା କ୍ରମାଗତ ପାଳିରେ ଶୂନରେ ଆଉଟ୍ ହୋଇ ଏକ ଅଲୋଡ଼ା ରେକର୍ଡ କରିଥିଲେ। ଏହି ମ୍ୟାଚ୍‌ରେ ମଧ୍ୟ ସେ ଦୁଇଟି ରେକର୍ଡ କରିଛନ୍ତି। ବିଶ୍ବର ପ୍ରଥମ ‌ଖେଳାଳି ଭାବେ ରୋହିତ ଶର୍ମା ପୁରୁଷ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୧୫୦ ମ୍ୟାଚ୍‌ ଖେଳିଥିଲେ। ସେହିଭଳି ଏହି ଫର୍ମାଟରେ ସବୁଠୁ ସଫଳ ଭାରତୀୟ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇଛନ୍ତି ରୋହିତ। ଧୋନି ୭୨ ଟ୍ବେଣ୍ଟି-୨୦ରେ ଭାରତର ନେତୃତ୍ବ ନେଇ ୪୧ଟି ବିଜୟ ପାଇଥିଲେ। ରୋହିତଙ୍କ ନେତୃ୍ତ୍ବରେ ଭାରତ ୫୩ ମ୍ୟାଚ୍‌ରୁ ୪୧ ବିଜୟ ପାଇଛି। ୧୪ ମାସ ପରେ ଏହି ଫର୍ମାଟକୁ ଫେରିଥିବା ରୋହିତ କିନ୍ତୁ ପ୍ରଥମ ଦୁଇ ମ୍ୟାଚ୍‌ରେ ଶୂନରେ ଆଉଟ୍ ହୋଇ ବ୍ୟକ୍ତିଗତ ବିଫଳତା ରଖିଛନ୍ତି। ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର ବିପକ୍ଷରେ ସର୍ବାଧିକ ୧୨ ଶୂନର ଶିକାର ହୋଇ ରୋହିତ ମଧ୍ୟ ଏକ ଅଲୋଡ଼ା ରେକର୍ଡ କରିଛନ୍ତି।