ଶ୍ରୀଲଙ୍କା ଗସ୍ତରେ ଧାୱନ୍‌ଙ୍କୁ ମିଳିପାରେ ନେତୃତ୍ବ

ନୂଆଦିଲ୍ଲୀ: ସଂପ୍ରତି ନ୍ୟୁଜିଲାଣ୍ଡ୍‌ ବିପକ୍ଷ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଏବଂ ପରେ ପରେ ଘରୋଇ ଦଳ ବିପକ୍ଷରେ ଟେଷ୍ଟ୍‌ ଶୃଙ୍ଖଳା ଖେଳିବା ପାଇଁ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଅଛି। ସମାନ୍ତରାଳ ଭାବେ ଭାରତୀୟ ଦଳର ଶ୍ରୀଲଙ୍କା ବିପକ୍ଷ ଧଳା ବଲ୍‌ ଶୃଙ୍ଖଳା ସୂଚୀ ସ୍ଥିର ହୋଇଛି। ଇଂଲଣ୍ଡ ଗସ୍ତରେ ମୁଖ୍ୟ ଭାରତୀୟ ଦଳ ଥିବାରୁ ଅଧିନାୟକ ବିରା‌ଟ କୋହଲି, ରୋହିତ ଶର୍ମା, ଋଷଭ ପନ୍ତ୍‌ଙ୍କ ଭଳି ଖେଳାଳି ଶ୍ରୀଲଙ୍କା ଗସ୍ତରେ ଅନୁପସ୍ଥିତ ରହିବେ। ସେହି ଦୃଷ୍ଟିରୁ ଆଇପିଏଲ୍‌ରେ ଚମତ୍କାରିତା ଦେଖାଇଥିବା କେତେକ ଖେଳାଳିଙ୍କ ସହିତ ଇଂଲଣ୍ଡ ଗସ୍ତରୁ ବାଦ୍‌ ପଡ଼ିଥିବା ଏକାଧିକ ଖେଳାଳିଙ୍କୁ ନେଇ ଭରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଏକ ଭିନ୍ନ ଦଳ ଶ୍ରୀଲଙ୍କା ପଠାଇବାକୁ ଯୋଜନା କରିଛି।

ପୁଣି ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ କୋହଲି ବାହିନୀ ସହ ଇଂଲଣ୍ଡ ଗସ୍ତରେ ଥିବାରୁ ଶ୍ରୀଲଙ୍କା ଗସ୍ତ ପାଇଁ ରାହୁଲ ଦ୍ରାବିଡ୍‌ଙ୍କୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ମିଳିଛି। ସଂପ୍ରତି ଏନ୍‌ସିଏ (ନ୍ୟାସ୍‌ନାଲ କ୍ରିକେଟ୍‌ ଏକାଡେମି)ର ମୁଖ୍ୟ ଦାୟିତ୍ବ ତୁଲାଉଥିବା ଦ୍ରାବିଡ୍‌ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ନେବା ନିଶ୍ଚିତ ହୋଇଯାଇଥିଲା ‌ବେଳେ ଅଧିନାୟକ କାହାକୁ କରାଯିବ ସେନେଇ କିଛି ଦିନ ଧରି ତର୍ଜମା ଜାରି ରହିଛି। ତେବେ ପୁରୁଖା ବାମହାତୀ ଓପ୍‌ନର ଶିଖର ଧାୱନ୍‌ଙ୍କୁ ଦଳର ନେତୃତ୍ବ ଭାର ଅର୍ପଣ କରାଯିବ ବୋଲି ଦୃଢ଼ ମତ ପ୍ରକାଶ ପାଉଛି। ସେ ହିଁ କୋହଲି ଓ ରୋହିତଙ୍କ ଅନୁପସ୍ଥିତିରେ ଦଳକୁ ନେତୃତ୍ବ ଦେଇପାରିବେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ପୂର୍ବରୁ ଶ୍ରେୟସ ଆୟରଙ୍କ ନାମ ଉଠୁଥିଲା ବେଳେ ସେ ଆହତ ସମସ୍ୟାରେ ଥିବାରୁ ଶୃଙ୍ଖଳାରେ ସାମିଲ ହେବା ନେଇ ସନ୍ଦେହ ରହିଛି। ସେହି ଦୃଷ୍ଟିରୁ ଧାୱନ୍‌ ଅଧିନାୟକ ହେବା ଏକପ୍ରକାର ନିଶ୍ଚିତ। ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଏବେ ବି ଘୋଷିତ ହୋଇନଥିଲା ବେଳେ ଆଗାମୀ ସପ୍ତାହରେ ହେବାର ସମ୍ଭାବନା ରହିଛି।

ମିଳିଥିବା ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ଶୃଙ୍ଖଳା ଆରମ୍ଭ ପୂର୍ବରୁ ଶ୍ରୀଲଙ୍କାରେ ଅତିକମ୍‌ରେ ଗୋଟିଏ ସପ୍ତାହ ଅଭ୍ୟାସ ସୁଯୋଗ ପାଇବ। ଶୃଙ୍ଖଳାର ସମସ୍ତ ମ୍ୟାଚ୍‌ କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଖେଳାଯିବ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ମଙ୍ଗଳବାର ସ୍ପଷ୍ଟ କରିସାରିଛି। ଧଳା ବଲ୍‌ ଶୃଙ୍ଖଳାର ପ୍ରଥମ ଦିନିକିଆ ମ୍ୟାଚ୍‌ ଜୁଲାଇ ୧୩ ତାରିଖରେ ଖେଳାଯିବ। ସେଥିପାଇଁ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ ଦଳ ପାଇଁ ବେଙ୍ଗାଲୁରୁରେ ପ୍ରସ୍ତୁତି ଶିବିର ଆୟୋଜନ କରାଯିବା ନେଇ ଯୋଜନା ରହିଥିଲା। ହେଲେ ଦେଶରେ ସାଂପ୍ରତିକ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାରେ ହିଁ ଖେଳାଳିମାନେ ପ୍ରସ୍ତୁତି କରିବାକୁ ବିସିସିଆଇ ଅଧିକ ପସନ୍ଦ କରିଛି। ତେବେ ଇଂଲଣ୍ଡ ଗସ୍ତ ଭଳି ଭାରତୀୟ ଖେଳାଳିମାନଙ୍କୁ ଶ୍ରୀଲଙ୍କା ପହଞ୍ଚିବା ପରେ ମଧ୍ୟ କରୋନା ନିୟମ ମୁତାବକ କିଛି ଦିନ ସଂଗରୋଧରେ ରହିବାକୁ ପଡ଼ିବ। ଅବଶ୍ୟ ସେତେବେଳେ ଶ୍ରୀଲଙ୍କାରେ ଲାଗୁ ହୋଇଥିବା ପ୍ରୋଟୋକଲ୍‌କୁ ବିଚାର କରି ଯାହା କରାଯିବ। କିନ୍ତୁ ଏବର ସ୍ଥିତି ଅନୁଯାୟୀ ଭ୍ରମଣକାରୀମାନଙ୍କୁ ଶ୍ରୀଲଙ୍କାରେ ପାଦ ଦେବାବେଳେ କରୋନା ନେଗେଟିଭ୍‌ ଦେଖାଇବାକୁ ପଡ଼ିବ। ପୁଣି ଶ୍ରୀଲଙ୍କାରେ ହୋଟେଲ ରହଣୀର ଗୋଟିଏ ଦିନ ପରେ ମଧ୍ୟ ରିପୋର୍ଟ ନେଗେଟିଭ୍‌ ଦର୍ଶାଇବାକୁ ପଡ଼ିବ। ଯଦି ଖେଳାଳିମାନେ ପୂରା କରୋନା ଟିକା ନେଇସାରିଥିବେ ତାହାଲେ ମାତ୍ର ଗୋଟିଏ ଦିନ ସଂଗରୋଧରେ ରହିବାର ମାର୍ଗଦର୍ଶିକା ରହିଛି। ଏହା ଅବଶ୍ୟ ଜୁନ୍‌ ୩୦ ତାରିଖ ପରେ ବଦଳିପାରେ ବୋଲି ଶ୍ରୀଲଙ୍କା ବୋର୍ଡ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର