ପୋଲାର୍ଡଙ୍କ ସହ ମସ୍ତି କଲେ ଧାୱ‌ନ, ମୟଙ୍କ

ପୋର୍ଟ ଅଫ୍‌ ସ୍ପେନ୍‌: ସଂପ୍ରତି ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତରେ ଥିବା ଭାରତୀୟ ଦଳ ବୁଧବାର ପୋର୍ଟ ଅଫ୍‌ ସ୍ପେନ୍‌ରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌ ଖେଳିବ। ଏହା ପୂର୍ବରୁ ଫୁର୍ତ୍ତି ରହିବା ଲାଗି କିଛି ଭାରତୀୟ ଖେଳାଳି ୱେଷ୍ଟ୍‌ଇଣ୍ଡିଜ୍‌ ଖେଳାଳିଙ୍କ ସହ ମିଶି ପୋର୍ଟ ଅଫ୍‌ ସ୍ପେନ୍‌ରେ ମଉଜ ମସ୍ତିରେ ମାତିଥିଲେ। ଭାରତୀୟ କ୍ରିକେଟର୍‌ ଶିଖର ଧାୱନ୍‌, ନଭଦୀପ ସାଇନି, ଶ୍ରେୟସ ଆୟର, ଖଲିଲ ଅହମ୍ମଦ, ରିଦ୍ଧିମାନ ସାହା, ମୟଙ୍କ ଅଗ୍ରୱାଲ ଏଥିରେ ସାମିଲ ଥିଲେ। ‌ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବାରୁ ପୋଲାର୍ଡଙ୍କ ସମ୍ପର୍କ ଅଧିକାଂଶ ଭାରତୀୟ ଖେଳାଳିଙ୍କ ସହ ରହିଛି। ଫଳରେ ସେ ହିଁ ଏମାନଙ୍କ ସହ ଏହି ମଉଜ ମସ୍ତିରେ ସାମିଲ ଥିଲେ। ପୋଲାର୍ଡ ଏମାନଙ୍କୁ ଧରି ବୋଟିଂ କରିଥିବାର ଏକ ଭିଡିଓ ଧା‌ୱନ୍‌ ତାଙ୍କ ଟ୍ବିଟର୍‌ ପୃ‌ଷ୍ଠାରେ ଛାଡ଼ିଥିଲେ। ଏହି ମସ୍ତି ବେଳର ଆଉ କିଛି ଭିଡିଓ ମଧ୍ୟ ଧାୱନ୍‌ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ଛାଡ଼ିଥିଲେ। ଏକ ଭିଡିଓରେ ସେ ଖଲିଲଙ୍କୁ କୁଣ୍ଢାଇ ଇଦ୍‌ର ଶୁଭକାମନା ଜଣାଇଥିବାର ଦୃଶ୍ୟ ରହିଥିଲା। ଅନ୍ୟ ଏକ ଭିଡିଓରେ ଖଲିଲ ସୁପର ହିଟ୍‌ ବଲିଉଡ୍‌ ସିନେମା ‘ଗଲି ବୟ’ର ଗୀତ ‘ଆପ୍‌ନା ଟାଇମ୍‌ ଆଗେୟା’ର ତା‌ଳେତାଳେ ନାଚିବାର ଦୃଶ୍ୟ ଥିଲା। ଏହି କିଛି ସମୟର ମସ୍ତି ପରେ ଖେଳାଳିମାନେ ୧୪ ତାରିଖ ମ୍ୟାଚ୍‌ ଲାଗି ଅଭ୍ୟାସ କରିଥିଲେ।

ସମ୍ବନ୍ଧିତ ଖବର