ଧାୱନ ବାହିନୀର‌ ଜୋରଦାର ଅଭ୍ୟାସ, ପାଣ୍ଡ୍ୟା, ଧାୱନ, ଈଶାନ ମାରିଲେ ଛକା

କଲମ୍ବୋ: ସଂଶୋଧିତ ଖେଳସୂଚୀ ଘୋଷଣା ପରେ ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ସୀମିତ ଓଭର କ୍ରିକେଟ୍ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଶିଖର ଧାୱନଙ୍କ ଦଳ ଜୁଲାଇ ୧୮ ତାରିଖରୁ ୩ ଲେଖାଏଁ ଦିନିକିଆ ଏବଂ ‌ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବ। ୧୩ ତାରିଖରୁ ଆରମ୍ଭ‌ ହେବାକୁ ଥିବା ଏହି ଶୃଙ୍ଖଳା ଦ୍ବୟ କୋଭିଡ୍‌ ପରିସ୍ଥିତି କାରଣରୁ ୫ ଦିନ ବିଳମ୍ବରେ ଖେଳାଯିବାକୁ ଧାର୍ଯ୍ୟ ହୋଇଛି। ସୋମବାର ବିସିସିଆଇ ଖେଳାଳିଙ୍କ ତାଲିମର ଝଲକ ଟ୍ବିଟ୍‌ କରିଥିଲା। ବ୍ୟାଟିଂ,‌ ବୋଲିଂ, ଫିଲ୍ଡଡିଂ ଠିକଣା ପଥରେ ରହିଛି ବୋଲି ବିସିସିଆଇ ଦର୍ଶାଇଛି। ସୂଚନାଯୋଗ୍ୟ, ଦିନିକିଆ ମ୍ୟାଚ୍‌ ତିନିଟି ଜୁଲାଇ ୧୮, ୨୦, ୨୩ରେ ଏବଂ ‌ଟ୍ବେଣ୍ଟି-୨୦ ମ୍ୟାଚ୍‌ଗୁଡ଼ିକ ଜୁଲାଇ ୨୫, ୨୭, ୨୯ରେ ଖେଳାଯିବ ବୋଲି ପୁନଃନିର୍ଧାରିତ କାର୍ଯ୍ୟସୂଚୀରୁ ସ୍ପଷ୍ଟ ହୋଇଛି। ବିରାଟ କୋହଲିଙ୍କ ଦଳ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ଟେଷ୍ଟ୍‌ ‌ଶୃଙ୍ଖଳା ଖେଳିବାକୁ ବ୍ରିଟେନ୍‌‌ରେ ଥିବାରୁ ଶିଖର ଧାୱନଙ୍କ ନେତୃତ୍ବରେ ସୀମିତ ଓଭର ଦଳ ଶ୍ରୀଲଙ୍କା ଗସ୍ତ କରିଛି। ରାହୁଲ ଦ୍ରାବିଡ଼ ପ୍ରଶିକ୍ଷକ ଏବଂ ଭୁବନେଶ୍ବର କୁମାର ଉପଅଧିନାୟକ ଭୂମିକାରେ ରହିବେ।

ଅନ୍ୟପକ୍ଷରେ ଶ୍ରୀଲଙ୍କା କ୍ରିକେଟର୍‌ ମାନେ ରବିବାର ସଂଧ୍ୟାରେ ସଙ୍ଗରୋଧରୁ ମୁକ୍ତ ହୋଇଛନ୍ତି। ସମସ୍ତଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌ ନେଭେଟିଭ୍ ଆସିବାରୁ ଖେଳାଳିମାନେ ଶିବିରରେ ସାମିଲ ହୋଇଛନ୍ତି। ତେବେ ବର୍ତମାନ ପାଇଁ କେବଳ ଖେଳାଳିମାନେ ସଙ୍ଗରୋଧରୁ ମୁକ୍ତ ହୋଇଛନ୍ତି। ପ୍ରଶିକ୍ଷକ ଏବଂ ଅନ୍ୟମାନଙ୍କୁ ବୁଧବାର ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବାକୁ ପଡ଼ିବ। ‌ଖେଳାଳିମାନେ ମଙ୍ଗଳବାରଠାରୁ ଅଭ୍ୟାସ ଆରମ୍ଭ କରିବା ସମ୍ଭାବନା ରହିଛି। ଶ୍ରୀଲଙ୍କା ଦଳ ଖେତରମା ଷ୍ଟାଡିୟମ୍‌ରେ ଏବଂ ଭାରତୀୟ ଖେଳାଳି ସିଂହଳିଜ ସ୍ପୋର୍ଟସ କ୍ଲବ୍ (ଏସଏସସି) ପରିସରରେ ଅଭ୍ୟାସ କରିବେ।

ପାଣ୍ଡ୍ୟା, ଧାୱନ, ଈଶାନ ମାରିଲେ ଛକା
ଭାରତୀୟ ଖେଳାଳିମା‌ନେ ସୋମବାର ଅଭ୍ୟାସ କରିବା ଅବସରରେ ଅଧିନାୟକ ଶିଖର ଧାୱନଙ୍କ ସହିତ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ଏବଂ ଯୁବ ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ୍‌ ଈଶାନ କିଶାନ ଭଲ ଟଚ୍‌ରେ ଥିବାର ପ୍ରମାଣ ଦେଇଛନ୍ତି। ଏହି ତି‌ନି ଜଣ ଲମ୍ବା ଲମ୍ବା ଛକା ମାରି ବଲ୍‌କୁ ପଡ଼ିଆ ବାହାରକୁ ପକାଇଥିଲେ। ନେଟ୍ସରେ ମଧ୍ୟ ଭୁବନେଶ୍ବର କୁମାର, ଚେତନ ସାକାରିଆ, ୟୁଝବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ବୋଲିଂ କରିଥିଲେ।

ସମ୍ବନ୍ଧିତ ଖବର