ଧାୱନ ଧମାକାରେ ଚେନ୍ନାଇ ଚିତ୍

ସାରଜା: ‘କ୍ୟାଚ୍ ଖସିଲା, ମ୍ୟାଚ୍ ବି ଗଲା’। ଆଇପିଏଲ୍‌ର ପୂର୍ବ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଏକଥା ପୂରା ଲାଗୁ ହେଉଛି। ଶନିବାର ଏହି ଦଳ ଆଶ୍ଚର୍ଯ୍ୟଜନକ ଭାବେ ତିନିଟି ସହଜ କ୍ୟାଚ୍ ହାତଛଡ଼ା କରିବା ସହ ଚାରିଟି ଜୀବନ ଦାନ ଦେଇଥିଲା ବିସ୍ଫୋରକ ଶିଖର ଧାୱନଙ୍କୁ। ଏହାର ସଂପୂର୍ଣ୍ଣ ଫାଇଦା ଉଠାଇ ଗବ୍ବର (ସାଙ୍ଗ ସାଥୀ ମହଲରେ ଧାୱନ ଗବ୍ବର ଭାବେ ପରିଚିତ) ସାରଜା ପଡ଼ିଆରେ ଗୁରୁ ଗର୍ଜନ କରିଥିଲେ। ୧୪ ଚୌକା ଓ ଗୋଟିଏ ଛକା ବଳରେ ପ୍ରଥମ ଟି-୨୦ ଶତକ ପୂରଣ କରି ନେଇଥିଲେ। ଆ‌ଉ ତାଙ୍କ ଭାଗ୍ୟଶାଳୀ ହେଲେ ଧୂଆଁଧାର ଶତକ ବଳରେ ଚେନ୍ନାଇକୁ ୫ ୱିକେଟ୍‌ରେ ଚିତ୍ କରି ପୁଣି ଥରେ ପଏଣ୍ଟ୍‌ ତାଲିକାର ଏକ ନମ୍ବର ସ୍ଥାନ ଅଧିକାର କରି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ।

ଧାୱନଙ୍କ ଶତକ ଦିଲ୍ଲୀ ପଶ୍ଚାତଧାବନର ମେରୁଦଣ୍ଡ ଥିଲା। ହେଲେ ଶେଷ ଓଭରରେ ତିନିଟି ଛକା ମାରି ଅଲରାଉଣ୍ଡର ଅକ୍ଷର ପଟେଲ ଦିଲ୍ଲୀର ଉତ୍କଣ୍ଠାପୂର୍ଣ୍ଣ ବିଜୟରେ ମୁଣ୍ଡି ମାରିଥିଲେ। ରବୀନ୍ଦ୍ର ଜାଦେଜାଙ୍କ ଶେଷ ଓଭରରୁ ବିଜୟ ପାଇଁ ଦିଲ୍ଲୀକୁ ୧୭ ରନ୍‌ର ଦରକାର ଥିଲା। ଅକ୍ଷର ଦ୍ବିତୀୟ, ତୃତୀୟ ଓ ପଞ୍ଚମ ବଲ୍‌କୁ ଛକା ମରି ଗୋଟିଏ ବଲ୍ ପୂର୍ବରୁ ଦିଲ୍ଲୀକୁ ସପ୍ତମ ବିଜୟ ଉପହାର ଦେଇଥିଲେ। ସେହିଭଳି ଚଳିତ ଋତୁରେ ଚେନ୍ନାଇ ବିପକ୍ଷରେ ଦିଲ୍ଲୀ ଦ୍ବିତୀୟ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଚମକହୀନ ଚେନ୍ନାଇ ଷଷ୍ଠ ପରାଜୟ ବରଣ କରିଥିଲା। ୧୮୦ ରନ୍‌ର ଲକ୍ଷ୍ୟ ନେଇ ଖେଳିଥିବା ଦିଲ୍ଲୀ ଖାତା ଖୋଲିବା ପୂର୍ବରୁ ପୃଥ୍ବୀ ସ’ଙ୍କୁ ହରାଇଥିଲା। ଅଜିଙ୍କ୍ୟ ରାହାଣେ ବି ପୁନର୍ବାର ନିରାଶ କରିଥିଲେ। ଅଧିନାୟକ ଶ୍ରେୟସ୍ ଆୟର (୨୩) ଓ ମାର୍କସ ଷ୍ଟୋଇନିସ୍ (୨୪) ଭଲ ଆରମ୍ଭକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ଆଲେକ୍ସ କେରି (୪) କମାଲ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ତେବେ ଧାୱନଙ୍କ ଧମାକାଦାର ଶତକ ଏବଂ ଅକ୍ଷରଙ୍କ ୫ ବଲ୍ ୨୧* ଦିଲ୍ଲୀ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇଥିଲା। ଧାୱନ ତାଙ୍କ ଶତକୀୟ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ପୁରସ୍କାର ଲାଭ କରିଥିଲେ।

ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ଚେନ୍ନାଇ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ୧୩ ବଲ୍ ୩୩* ରନ୍ (୪ ଛକା) ପାଇଁ ନିର୍ଧାରିତ ୨୦ ଓଭରରେ ୧୭୯/୪ର ଆହ୍ବାନପୂର୍ଣ୍ଣ ସ୍କୋର କରି ନେଇଥିଲା। ଜାଦେଜାଙ୍କ ସହ ଅନ୍ୟତମ ମଧ୍ୟକ୍ରମ ତାରକା ଅମ୍ବାତି ରାୟୁଡୁ (୪୫* ରନ୍, ୨୫ ବଲ୍, ୧ ଚୌକା, ୪ ଛକା) ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଉଭୟ ଅବିଭାଜିତ ପଞ୍ଚମ ୱିକେଟ୍‌ରେ ମାତ୍ର ୨୧ ବଲ୍‌ରୁ ୫୦ ରନ୍ ଯୋଡ଼ିଥିଲେ। ଏହି ଦୁଇ ଜଣଙ୍କ ଉଗ୍ରରୂପ ପାଇଁ ହିଁ ଚେନ୍ନାଇ ଶେଷ ୫ ଓଭରରୁ ୬୭ ରନ୍ ସଂଗ୍ରହ କରି ନେଇଥିଲା। ଚେନ୍ନାଇର ପାଳି ଆରମ୍ଭ କିନ୍ତୁ ସେତେଟା ଉତ୍ସାହଜନକ ନଥିଲା। ମ୍ୟାଚ୍‌ର ତୃତୀୟ ବଲ୍‌ରେ ସାମ କରନ୍ ଖାତା ଖୋଲିବା ପୂର୍ବରୁ ତୁଷାର ଦେଶପାଣ୍ଡେଙ୍କ ଶିକାର ହୋଇଥିଲେ। ଏହା ପରେ ଅବଶ୍ୟ ଅର୍ଧଶତକ ହାସଲକାରୀ ଫାଫ୍ ଡୁ’ ପ୍ଲେସିସ୍ (୫୮ ରନ୍, ୪୭ ବଲ୍, ୬ ଚୌକା, ୨ ଛକା) ଅଭିଜ୍ଞ ସେନ୍ ୱାଟସନ୍ (୩୬ ରନ୍, ୨୮ ବଲ୍, ୬ ଚୌକା)ଙ୍କ ସହ ଦ୍ବିତୀୟ ୱିକେଟ୍‌ରେ ୮୭ ରନ୍ ଯୋଡ଼ି ସ୍ଥିତି‌ ସୁଧାରି ନେଇଥିଲେ। ଚଳିତ ଋତୁରେ ଡୁ’ ପ୍ଲେସିସ୍‌ଙ୍କର ଏହା ଚତୁର୍ଥ ଅର୍ଧଶତକ ଥିଲା। ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୩) ପୁଣି ବିଫଳ ହୋଇଥିଲେ। ତେବେ ରାୟୁଡୁ-ଜାଦେଜା ନିଜ ଧୂଆଁଧାର ବ୍ୟାଟିଂ ବଳରେ ଏହି କ୍ଷତିର ଭରଣା କରି ନେଇଥି‌ଲେ।

ସର୍ବାଧିକ ପାଳି, ପ୍ରଥମ ଶତକ
ଆଇପିଏଲ୍‌ରେ ପ୍ରଥମ ଶତକ ହାସଲ ବେଳକୁ ଶିଖର ଧାୱନ ସର୍ବାଧିକ ୧୬୭ ପାଳି ଖେଳିଛନ୍ତି। ପୂର୍ବରୁ ବିରାଟ କୋହଲି ନିଜ ପ୍ରଥମ ଆଇପିଏଲ୍‌ ଶତକ ବେଳକୁ ୧୨୦ ପାଳି ଖେଳି ଶୀର୍ଷରେ ଥିଲେ। ଏବେ ତାଙ୍କ ତଳକୁ ରହିଛନ୍ତି ଅମ୍ବାତି ରାୟୁଡୁ (୧୧୯) ଏବଂ ସୁରେଶ ରାଇନା (୮୮)।

ସମ୍ବନ୍ଧିତ ଖବର