ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ବୁଧବ‌ାର ପୂର୍ବତନ ଭାରତୀୟ ଓପନର୍‌ ଶିଖର ଧାୱନଙ୍କୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଲାଗି ଆମ୍ବାସାଡର ଭାବେ ନିଯୁକ୍ତି କରିଛି। ଏହି ୮ ଦଳୀୟ ପ୍ରତିଯୋଗିତା ପାକିସ୍ତାନ ଓ ଦୁବାଇରେ ଚଳିତ ମାସ ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ହାଇବ୍ରିଡ୍‌ ମଡେଲ୍‌ରେ ଖେଳାଯିବ। ଧାୱନଙ୍କ ସହ ୨୦୧୭ ଚାମ୍ପିଅନ୍ସ ଟ୍ରଫି ବିଜେତା ପାକିସ୍ତାନ ଦଳର ଅଧିନାୟକ ସର୍ଫରାଜ ଅହମଦ, ପୂର୍ବତନ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ସେନ୍‌ ୱାଟ୍‌ସନ୍‌ ଓ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ୍‌ ସାଉଦିଙ୍କୁ ମଧ୍ୟ ଆଇସିସି ଆମ୍ବାସାଡର ଭାବେ ନିଯୁକ୍ତି କରିଛି।

Advertisment

ଆମ୍ବାସାଡରମାନେ ମ୍ୟାଚ୍‌ ବେଳେ ଉପସ୍ଥିତ ରହିବା ସହ ଅତିଥି ସ୍ତମ୍ବ ଲେଖିବେ ଏବଂ ପ୍ରତିଯୋଗିତା ବିଷୟରେ ସେମାନଙ୍କ ମତାମତ ‌ଦେବେ। ନିଯୁକ୍ତି ପରେ ଧାୱନ କହିଛନ୍ତି ‌ଯେ ଚାମ୍ପିଅନ୍ସ ଟ୍ରଫି ସହ ଯୋଡ଼ି ହେବା ଏବଂ ଆଗାମୀ ସଂସ୍କରଣର ଆମ୍ବାସାଡର ଭାବେ ସମ୍ମାନ ପାଇବା ସହ ଉପଭୋଗ କରିବାର ସୁଯୋଗ ମିଳିଥିବାରୁ ବହୁତ ଖୁସି। ୨୦୧୩ ସଂସ୍କରଣରେ ଧାୱାନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କ ନାଁରେ ମଧ୍ୟ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ଶତକ ଅର୍ଜନ କରିବାର ରେକର୍ଡ ରହିଛି। ୨ ସଂସ୍କରଣରେ ଖେଳି ୭୦୧ ରନ୍‌ କରିବା ସହ ଚାମ୍ପିଅନ୍ସ ଟ୍ରଫିରେ ଭାରତର ଅଗ୍ରଣୀ ସ୍କୋରର୍‌ ଅଛନ୍ତି। ଏଥିସହ ଏହି ପ୍ରତିଯୋଗିତାରେ ଲଗାତାର ଗୋଲ୍‌ଡେନ୍‌ ବ୍ୟାଟ୍‌ ପାଇବାରେ ଧାୱନ ହେଉଛନ୍ତି ଏକମାତ୍ର ଖେଳାଳି।