୫୦୦୦ରୁ ୧୦ ରନ୍ ଦୂରରେ ଧାୱନ

ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ତ୍ରୟୋଦଶ ଭାରତୀୟ କ୍ରିକେଟର ଭାବେ ୫୦୦୦ ରନ୍ ପୂରଣ କରିବାରୁ ୧୦ ରନ୍ ଦୂରରେ ରହିଛନ୍ତି। ନାପିଏରରେ ଏହି ରନ୍ ସଂଗ୍ରହ କରି ପାରିଲେ ୫୦୦୦ ରନ୍ ମାଇଲଖୁଣ୍ଟ ଛୁଇଁବାରେ ସେ ବ୍ରାଏନ ଲାରା (୧୧୮ ପାଳି)ଙ୍କ ସହ ଯୁଗ୍ମ ଚତୁର୍ଥ ଦ୍ରୁତତମ ହେବେ। ସେହିଭଳି ରବୀନ୍ଦ୍ର ଜାଦେଜା ଦିନିକିଆରେ ୨,୦୦୦ ରନ୍ ହାସଲ କରିବାରୁ ସେହି ୧୦ ରନ୍ ପଛରେ ରହିଛନ୍ତି। ଦିନିକିଆରେ ୨୦୦୦ ରନ୍ କରିବା ସହ ୧୫୦ରୁ ଅଧିକ ୱିକେଟ୍ ନେବାରେ କପିଳ ଦେବ ଏବଂ ସଚିନ ତେନ୍ଦୁଲକରଙ୍କ ପରେ ସେ ତୃତୀୟ ଭାରତୀୟ ଖେଳାଳି ହେବେ। ମୋଟ ଉପରେ ୨୬ତମ ଖେଳାଳି ଭା‌ବେ ସେ ଏହି ଯୁଗଳ କୀର୍ତ୍ତିମାନର ଅଧିକାରୀ ହେବେ। ମହମ୍ମଦ ସାମି ଆଉ ଗୋଟିଏ ୱିକେଟ୍ କରାୟତ କଲେ ଦିନିକିଆରେ ୧୦୦ ୱିକେଟ୍ ପୂରଣ କରିବେ। ସଂପ୍ରତି ସେ ୫୫ ଦିନିକିଆ ଖେଳି ୯୯ ୱିକେଟ୍ ନେଇଛନ୍ତି।

ସେହବାଗ ୬, କୋହଲି ୫
ଅଷ୍ଟ୍ରେଲିଆରେ ଏକାଧିକ କୀର୍ତ୍ତିମାନ କରିଥିବା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଚାହିଁଲେ ନ୍ୟୁଜିଲାଣ୍ଡରେ ଆଉ କେତେକ ନୂଆ ସଫଳତାର ଅଧିକାରୀ ହୋଇ ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ହାସଲ କରିବାରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସେହବାଗଙ୍କୁ ଟପି ଯାଇ ପାରିବେ। ସଂପ୍ରତି ସେହବାଗ ଓ ରିକି ପଣ୍ଟିଂ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ଦିନିକିଆ ଶତକ ହାସଲ କରିବାରେ ଯୁଗ୍ମ ପ୍ରଥମ ସ୍ଥାନରେ ରହିଛନ୍ତି। ଉଭୟ କିୱି ଦଳ ବିପକ୍ଷରେ ୬ଟି ଲେଖାଏଁ ଶତକ ଅଜର୍ନ କରିଛନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲି ୫ ଶତକ ହାସଲ କରିଛନ୍ତି। ଚଳିତ ଗସ୍ତରେ ଆଉ ଗୋଟିଏ ଶତକ ହାସଲ କରିପାରିଲେ ସେ ସେହବାଗଙ୍କ ସମକକ୍ଷ ହେବେ। କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ୧୯ ପାଳି ଖେଳି ୧୧୫୪ ରନ୍ କରିଛନ୍ତି। ଯାହା ସେହବାଗଙ୍କ ରନ୍‌ଠାରୁ ମାତ୍ର ୩ ରନ୍ କମ୍। ସେହବାଗ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୩ ପାଳି ଖେଳି ୧୧୫୭ ରନ୍ କରିଛନ୍ତି। କୋହଲିଙ୍କ ଛଡ଼ା ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନଥ ଜୟସୂରିୟା ଓ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ଲେଖାଏଁ ଶତକ କରିଛନ୍ତି।

ସମ୍ବନ୍ଧିତ ଖବର