ଧାୱନ-ପୃଥ୍ବୀ ପାଳି ଆରମ୍ଭ କରିବେ, ଭାରତୀୟ ଦିନିକିଆ ଦଳର ଶ୍ରୀଲଙ୍କା ଗସ୍ତ

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ସୀମିତ ଓଭର ଦଳରେ ୪ ଜଣ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି। କିନ୍ତୁ ଅଧିନାୟକ ଶିଖର ଧାୱନଙ୍କ ସହିତ ଯୁବ ପ୍ରତିଭା ପୃଥ୍ବୀ ସ’ ପାଳି ଆରମ୍ଭ କରିବେ ବୋଲି ସ୍ପଷ୍ଟ କରିଦିଆଯାଇଛି। ଏହା ଫଳରେ ଦେବଦତ୍ତ ପଡ଼ିକଲ ଓ ଋତୁରାଜ ଗାଏକ୍ବାଡଙ୍କ ସହିତ ପାଳି ଆରମ୍ଭ ଅଭିଜ୍ଞତା ରଖିଥିବା ନୀତୀଶ ରାଣାଙ୍କୁ ଆହୁରି ଆପେକ୍ଷା କରିବାକୁ ପଡ଼ିବ। ଦେବଦତ୍ତ ପଡ଼ିକଲ ଭବିଷ୍ୟତରେ ସମସ୍ତ ଫର୍ମାଟରେ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହେବାର କ୍ଷମତା ରଖିଛନ୍ତି। ସମସ୍ତଙ୍କ ନଜର କିନ୍ତୁ ପୃଥ୍ବୀ ସ’ଙ୍କ ଉପରେ ରହିବ, କାରଣ ଇଂଲଣ୍ଡରେ ଥିବା ଟେଷ୍ଟ୍‌ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶୁବମନ ଗିଲ୍‌ ଆହତ ଥିବାରୁ ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କ ନିକଟରୁ ତାଙ୍କୁ ଡକରା ଆସିପାରେ। ଗତ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ପୃଥ୍ବୀ ସ’ ବାଦ୍ ପଡିଥିଲେ ମଧ୍ୟ ଘରୋଇ କ୍ରିକେଟରେ ଖେଳାଯାଇଥିବା ସୀମିତ ଓଭର ପ୍ରତିଯୋଗିତା ଦୁଇଟିରେ ଚମତ୍କାର ପ୍ରଦର୍ଶନ କରିଥିଲେ।

ଜୁଲାଇ ୧୮ ତାରିଖରୁ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି। ‘ଉଭୟ ପଡିକଲ୍ ଏବଂ ଋତୁରାଜଙ୍କୁ ଅପେକ୍ଷା କରିବାକୁ ପଡ଼ିବ’ ବୋଲି କଲମ୍ବୋରୁ ଦଳର ଜଣେ ଭିତିରି ସୂତ୍ର ପ୍ରକାଶ କରିଛନ୍ତି। ଏମିତି ବି ଧାୱନଙ୍କ ସହ ପାଳି ଆରମ୍ଭ କରିବା‌ ଦୌଡ଼ରେ ଥିବା ଅନ୍ୟ ସମସ୍ତଙ୍କ ତୁଳନାରେ ପୃଥ୍ବୀ ସ’ ସବୁଠୁ ଅଭିଜ୍ଞ। ୨୦୨୦ ଆଇପିଏଲ୍‌ଠାରୁ ଧାୱନ-ପୃଥ୍ବୀ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରଭାବୀ ଢଙ୍ଗରେ ପାଳି ଆରମ୍ଭ କରି ଆସୁଛନ୍ତି। ଚଳିତ ବର୍ଷ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ପୃଥ୍ବୀ ମଧ୍ୟ ଦକ୍ଷ ସଂରକ୍ଷିତ ଓପନର୍‌ ରହିବା ପ୍ରାୟ ନିଶ୍ଚିତ। ‘ରାହୁଲ ସାର୍‌ (ଦ୍ରାବିଡ଼) ଦଳ ସହ ଥିବାରୁ ଡ୍ରେସିଂ ରୁମ୍‌ରେ ଶୃଙ୍ଖଳିତ ପରିବେଶ ରହିବ। ମୁଁ ତାଙ୍କ ସହ ଘଣ୍ଟା ଘଣ୍ଟା ଧରି ଆଲୋଚନା କରିବାର ସ‌ୁଯୋଗ ପାଉଛି। ସୁଯୋଗର ସଦ୍‌ବ୍ୟବହାର କରି ଭାରତୀୟ ଦଳର ନିୟମିତ ସଦସ୍ୟ ହେବାକୁ ମୁଁ ଆଶାବାଦୀ ରହିଛି। ଭାରତୀୟ ଦଳ, ରଣଜୀ ଟ୍ରଫି, କ୍ଲବ୍‌ କି ବିଦ୍ୟାଳୟ ଦଳ ହେଉ ମୁଁ ସବୁବେଳେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଥାଏ ଏବଂ ଦଳକୁ ମୋ’ଠାରୁ ଅଧିକ ଗୁରୁତ୍ବ ଦିଏ’ ବୋଲି ପୃଥ୍ବୀ ସ’ ଶ୍ରୀଲଙ୍କା ଗସ୍ତ ପୂର୍ବରୁ କହିଥିଲେ।

ସମ୍ବନ୍ଧିତ ଖବର