ଧାଓ୍ଵନ୍‌ଙ୍କ କୀର୍ତିମାନ: ପ୍ରଥମ ଦିବସ ମଧ୍ୟାହ୍ନ ବିରତି ପୂର୍ବରୁ ଶତକ ଜମାଇବାରେ ପ୍ରଥମ ଭାରତୀୟ

ବେଙ୍ଗାଲୁରୁ: ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଶିଖର ଧାଓ୍ଵନ୍‌ ଗୁରୁବାର ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଏକ କୀର୍ତିମାନ ପ୍ରତିଷ୍ଠା କରିଛନ୍ତିି। ଟେଷ୍ଟ ଇତିହାସରେ ପ୍ରଥମ ଦିବସ ମଧ୍ୟାହ୍ନ ବିରତି ପୂର୍ବରୁ ଶତକ ପୂରଣ କରିବାରେ ସେ ପ୍ରଥମ ଭାରତୀୟ ମଧ୍ୟ ହେଲେ। ଏହା ପୂର୍ବରୁ ବୀରେନ୍ଦ୍ର ସେହବାଗ୍‌ (୨୦୦୬ ଜୁନ୍‌ ମାସରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ସେଣ୍ଟ୍‌ ଲୁସିଆ ଟେଷ୍ଟରେ) ପ୍ରଥମ ଦିବସ ମଧ୍ୟାହ୍ନ ବିରତି ପୂର୍ବରୁ ୯୯ (୭୫ ବଲ୍‌ରୁ) ରନ୍‌ରେ ହିଁ ଅଟକି ଯାଇଥିଲେ। ତେବେ ଏଭଳି କୀର୍ତିମାନ ପାଇବାରେ ଧାଓ୍ଵନ୍‌ ବିଶ୍ୱର ଷଷ୍ଠ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। ଶେଷ ବ୍ୟାଟ୍‌ସମ୍ୟାନ୍‌ ଭାବେ ଗତବର୍ଷ ପାକିସ୍ତାନ ବିପକ୍ଷ ସିଡ୍‌ନି ଟେଷ୍ଟରେ ଅଟ୍ରେଲିଆର ଡେଭିଡ୍‌ ଓ୍ଵର୍ନର ଏଭଳି କୀର୍ତିମାନ ପାଇଥିଲେ। କେବଳ ଓ୍ଵର୍ନର ନୁହନ୍ତି, ଅଷ୍ଟ୍ରେଲିଆର ୪ ଜଣ ହିଁ ଏଭଳି ଏଲିଟ୍‌ ଗ୍ରୁପ୍‌ (ପ୍ରଥମ ଦିବସ ମଧ୍ୟାହ୍ନ ବିରତି ପୂର୍ବରୁ ଶତକ ହାସଲ କରିବା)ରେ ସାମିଲ ଅଛନ୍ତି। ୧୯୦୨ ମସିହାରେ ଅଷ୍ଟ୍ରେଲିଆର ଭିକ୍ଟର ଟ୍ରମ୍ପର୍‌ (୧୦୩*) ଇଂଲଣ୍ଡ ବିପକ୍ଷ ମାଞ୍ଚେଷ୍ଟର ଟେଷ୍ଟରେ, ୧୯୨୧ରେ ଅଷ୍ଟ୍ରେଲିଆର ଚାର୍ଲି ମାକାର୍ଟନି (୧୧୨*) ଇଂଲଣ୍ଡ ବିପକ୍ଷ ଲିଡ୍‌ସ ଟେଷ୍ଟରେ, ୧୯୩୦ରେ ଅଷ୍ଟ୍ରେଲିଆର ଡନ୍‌ ବ୍ରାଡ୍‌ମ୍ୟାନ୍‌ (୧୦୫*) ଇଂଲଣ୍ଡ ବିପକ୍ଷ ଲିଡ୍‌ସ ଟେଷ୍ଟରେ ଏହି କୀର୍ତିମାନ କରିଥିଲା ବେଳେ ୧୯୭୬ରେ ପାକିସ୍ତାନର ମଜିଦ୍‌ ଖାନ୍‌ (୧୦୮*) ନ୍ୟୁଜିଲାଣ୍ଡ୍‌ ବିପକ୍ଷ କରାଚି ଟେଷ୍ଟରେ ହିଁ କୀର୍ତିମାନ ପୃଷ୍ଠାରେ ନିଜ ନାମକୁ ଯୋଡ଼ିଥିଲେ। ଧାଓ୍ଵନ୍‌ ଗୁରୁବାର ଆଫ୍‌ଗାନିସ୍ତାନ ବିପକ୍ଷ ଐତିହାସିକ ଟେଷ୍ଟର ପ୍ରଥମ ଦିବସ ମଧ୍ୟାହ୍ନ ବିରତି ବେଳକୁ ଅପରାଜିତ ୧୦୪ ରନ୍‌ କରି ବିଶ୍ୱ କ୍ରିକେଟ୍‌ରେ ଏଭଳି ସଫଳତା ସାଉଁଟିବାରେ ନିଜ ନାମକୁ ଯୋଡ଼ିଥିଲେ। ଏଥି ସହିତ ଧାଓ୍ଵନ୍‌ ନିଜର ସପ୍ତମ ଟେଷ୍ଟ ଶତକ ମଧ୍ୟ ପୂରଣ କରିନେଇଥିଲେ। ୮୭ ବଲ୍‌ରୁ ଶତକ ଜମାଇଥିବା ଧାଓ୍ଵନ୍‌ ୯୬ ବଲ୍‌ରୁ ୧୦୭ ରନ୍‌ କରି ପାଭିଲିୟନ୍‌ ଫେରିଯାଇଥିଲେ। ହେଲେ ଆଉଟ୍‌ ହେବା ପୂର୍ବରୁ ସେ ତାଙ୍କ କୀର୍ତିମାନଭରା ପାଳିରେ ୧୯ ଚୌକା ଓ ୩ ଛକା ମାରିଥିଲେ। ଧାଓ୍ଵନ୍‌ ବିଶେଷକରି ଆଫ୍‌ଗାନିସ୍ତାନର ଦୁଇ ଚର୍ଚ୍ଚିତ ସ୍ପିନର ରସିଦ୍‌ ଖାନ୍‌ ଓ ମୁଜିବୁର୍‌ ରହମନ୍‌ଙ୍କୁ ନିସ୍ତୁକ ଛେଚିଥିଲେ। ଅବଶ୍ୟ ଧାଓ୍ଵନ୍‌ଙ୍କ ପୂର୍ବରୁ ପ୍ରଥମ ଭାରତୀୟ ଭାବେ କୌଣସି ଟେଷ୍ଟର ଗୋଟିଏ ଦିନର ଗୋଟିଏ ସେସନ୍‌ରେ ଶତକ ଜମାଇବାର କୀର୍ତିମାନ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟାଙ୍କ ନାମରେ ରହିଛି। ପାଣ୍ଡ୍ୟା ଗତବର୍ଷ ଶ୍ରୀଲଙ୍କା ବିପକ୍ଷ ପାଲେକେଲ ଟେଷ୍ଟର ପ୍ରଥମ ଦିବସ ଶେଷରେ ମାତ୍ର ୧ ରନ୍‌ରେ ଅପରାଜିତ ଥିଲା ବେଳେ ଦ୍ୱିତୀୟ ଦିବସ ମଧ୍ୟାହ୍ନ ବିରତି ପୂର୍ବରୁ ୧୦୮ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର