ସଚିନ-ସେହବାଗଙ୍କୁ କାଟିଲେ ଧାୱନ-ରୋହିତ

ମୋହାଲି ଦିନିକିଆରେ ଭାରତୀୟ ପ୍ରାରମ୍ଭିକ ଯୋଡ଼ି ଶିଖର ଧାୱନ ଓ ରୋହିତ ଶର୍ମା ଏକାଧିକ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବବୃହତ୍ ପ୍ରଥମ ୱିକେଟ୍ ଭାଗୀଦାରି କରିବା ସହ ଉଭୟ ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ଭାରତୀୟ ଯୋଡ଼ି ହେବାର ଗୌରବ ଅର୍ଜନ କରିଥିଲେ। ରବିବାର ୧୯୩ ରନ୍‌ର ଭାଗୀଦାରି କରିଥିବା ରୋହିତ-ଧାୱନ ଏକ ଯୋଡ଼ି ଭାବେ ୪,୫୭୧ ରନ୍ କରିଥିଲେ। ଏହି କ୍ରମରେ ସେମାନେ ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହବାଗଙ୍କୁ ଟପି ଯାଇଥିଲେ। ସଚିନ ଓ ସେହବାଗ ମିଳିତ ଭାବେ ପାଳି ଆରମ୍ଭ କରି ୧୧୪ ପାଳିରୁ ୪୩୮୭ ରନ୍ କରିଥିଲେ। ରୋହିତ-ଧାୱନ କିନ୍ତୁ ୧୦୨ ପାଳିରେ ଏହି ଦୁଇ କିମ୍ବଦନ୍ତୀ ତାରକାଙ୍କୁ ଟପି ଯାଇଛନ୍ତି। ରାହୁଲ ଦ୍ରାବିଡ଼-ସୌରଭ ଗାଙ୍ଗୁଲି (୪୩୩୨, ୮୭ ପାଳି) ଚତୁର୍ଥ ଏବଂ ବିରାଟ କୋହଲି-ରୋହିତ ଶର୍ମା (୪୩୨୮, ୭୨ ପାଳି) ପଞ୍ଚମ ସ୍ଥାନରେ ରହିଛନ୍ତି। ତେବେ ପ୍ରାରମ୍ଭିକ ଯୋଡ଼ି ଭାବେ ସର୍ବାଧିକ ରନ୍ କରିବାର କୀର୍ତ୍ତିମାନ ଏବେ ବି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କ ନାଁରେ ରହିଛି। ସଚିନ-ସୌରଭ ଯୋଡ଼ିଦାର ଭାବେ ୧୭୬ ପାଳିରୁ ୮୨୨୭ ରନ୍ କରି ପ୍ରଥମ ସ୍ଥାନରେ ରହିଛନ୍ତି। ମୋଟ ଉପରେ ରୋହିତ-ଧାୱନ କିନ୍ତୁ ସପ୍ତମ ସ୍ଥାନରେ ରହିଛନ୍ତି। ସଚିନ-ସୌରଭ ଏହି ନିଆରା ତାଲିକାର ପ୍ରଥମ ସ୍ଥାନରେ ଥିଲା ବେଳେ ମାହେଲା ଜୟବର୍ଦ୍ଧନେ-କୁମାର ସାଙ୍ଗାକାରା (୫୯୯୨) ଦ୍ବିତୀୟ, ତିଲକରତ୍ନେ ଦିଲସାନ-କୁମାର ସାଙ୍ଗାକାରା (୫୪୭୫) ତୃତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ପାଳିର ଅଷ୍ଟାଦଶ ଓଭରରେ ରୋହିତ-ଧାୱନ ୧୦୦ ରନ୍ ଟପିଥିଲେ। ଏହା ସେମାନଙ୍କର ପଞ୍ଚଦଶ ଶତକୀୟ ଭାଗୀଦାରି ଥିଲା। ଏହା କରି ସେମାନେ ୱେଷ୍ଟଇଣ୍ଡିଜର ଗର୍ଡନ ଗ୍ରିନିଜ୍ ଏବଂ ଦେସମଣ୍ଡ ହେନ୍ସଙ୍କ ସମକକ୍ଷ ହୋଇଥିଲେ। ସଚିନ-ସୌରଭ କିନ୍ତୁ ୨୧ ଶତକୀୟ ଭାଗୀଦାରି କରି ରୋହିତ ଓ ଧା‌ୱନଙ୍କଠାରୁ ଢେର ଆଗରେ ରହିଛନ୍ତି।

୧୭ ପାଳି ପରେ ଶତକ
ବିଶ୍ବକପ୍‌ର ଠିକ୍ ପୂର୍ବରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କ ଳଗାତାର ବିଫଳତା ଭାରତକୁ ଚିନ୍ତାରେ ପକାଇଥିଲା। ହେଲେ ରବିବାର ମୋହାଲିରେ ନିଜ ଦିନିକିଆ ଜୀବନର ସର୍ବୋଚ୍ଚ ପାଳି ଖେଳି ଧାୱନ ଧମାକାଦାର ଶୈଳୀରେ ଫର୍ମକୁ ଫେରିଛନ୍ତି। ସେ ଅବଶ୍ୟ ୧୭ ପାଳି ପରେ ତିନି ଅଙ୍କ ଛୁଇଁଛନ୍ତି। ରବିବାର ୧୨ ଚୌକା ଏବଂ ଗୋଟିଏ ଛକା ବଳରେ ୧୦୦ ଟପିଥିବା ଧାୱନଙ୍କର ଏହା ଷୋଡ଼ଶ ଦିନିକିଆ ଶତକ ଥିଲା। ୩୩ ବର୍ଷୀୟ ଧାୱନ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଖାତା ଖୋଲି ପାରି ନଥିଲେ। ସେହିଭଳି ଦ୍ବିତୀୟ ଏବଂ ତୃତୀୟ ଦିନିକିଆରେ ଯଥାକ୍ରମେ ୨୧ ଓ ୧ ରନ୍ କରିଥିଲେ। ରବିବାର କିନ୍ତୁ ଖେଳ ଆରମ୍ଭରୁ ସେ ଆତ୍ମବିଶ୍ବାସର ସହ ସଟ୍ ଖେଳିଥିଲେ। ୧୦୫ରୁ ଉର୍ଧ୍ବ ହାରରେ ରନ୍ କରି ଭାରତ ସ୍କୋରକୁ ୧୭ ଓଭରରେ ୧୦୦ ରନ୍ ପାର କରାଇ ଦେଇଥିଲେ। ଶେଷ ଥର ପାଇଁ ଧାୱନ ୨୦୧୮ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଶତକ (୧୧୪) ଅର୍ଜନ କରିଥିଲେ। ସେବେଠାରୁ ସେ ମାତ୍ର ଦୁଇ ଥର ୫୦ ରନ୍ ଟପିଥିଲେ। ନାପିଏରଠାରେ କରିଥିବା ୭୫ ରନ୍ ଏହି ସମୟ ମଧ୍ୟରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ରନ୍ ଥିଲା। ଏକ ଯୋଡ଼ି ଭାବେ ଧାୱନ ଏବଂ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ୧,୦୦୦ ରନ୍ ଟପିଥିଲେ।

ସମ୍ବନ୍ଧିତ ଖବର