ଧାଓ୍ଵନ-ବିଜୟ ଯୋଡ଼ି ଉପରେ ଝୁଲୁଛି ଖଣ୍ଡା

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଉଭୟ ପାଳିରେ ବିଫଳ ହୋଇଥିବା ଭାରତୀୟ କ୍ରିକେଟ୍‌ ଦଳର ପ୍ରାରମ୍ଭିକ ଯୋଡ଼ି ମୁରଲୀ ବିଜୟ ଏବଂ ଶିଖର ଧାଓ୍ଵନଙ୍କ ଉପରେ ଏବେ ଡେମୋକ୍ଲିସଙ୍କ ଖଣ୍ଡା ଝୁଲୁଛି। ଉଭୟ କେପଟାଉନରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟର ଉଭୟ ପାଳିରେ ଲଜ୍ଜାଜନକ ବ୍ୟାଟିଂ କରିବା ସହ ମାତ୍ର ୧୬ ଏବଂ ୩୦ ରନ୍‌ର ଭାଗୀଦାରି କରି ପାରିଥିଲେ। ଏଣୁ ସେଞ୍ଚରୁଅନରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆ ଯିବାର ଯଥେଷ୍ଟ ଆଶଙ୍କା ରହିଛି।
୨୦୧୩ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ଦୁଇଟି ଟେଷ୍ଟ ଖେଳିଥିଲା। ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମ୍‌ ମ୍ୟାଚକୁ ଅମୀମାଂସିତ ରଖିବା ସହ ଡର୍ବାନର କିଙ୍ଗ୍ସମେଡରେ ୧୦ ଓ୍ଵିକେଟ୍‌ରେ ପରାଜିତ ହୋଇଥିଲା। ଉଭୟ ମ୍ୟାଚ୍‌ରେ ବିଜୟ ଏବଂ ଧାଓ୍ଵନ ପାଳି ଆରମ୍ଭ କରିଥିଲେ। ବିଜୟ ଡର୍ବାନରେ ୯୭ ରନ୍‌ର ଚିତ୍ତାକର୍ଷକ ପାଳି ଖେଳିଥିଲେ। ହେଲେ ଧାଓ୍ଵନ ଉଭୟ ପାଳିରେ ବିଫଳ ହୋଇଥିଲେ। ବିଜୟ ୨୦୧୦-୧୧ ଗସ୍ତରେ ଭାରତ ଖେଳିଥିବା ତିନିଟିରୁ ଗୋଟିଏ ମ୍ୟାଚ୍‌ ଖେଳି ସେମିତି କିଛି ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନଥିଲେ। ବିଜୟ ୧୦ ବର୍ଷ ଧରି ଟେଷ୍ଟ କ୍ରିକେଟ୍‌ ଖେଳି ଆସୁଥିବାରୁ ଏବଂ ତାଙ୍କ କ୍ରିକେଟ୍‌ କୌଶଳ ଧାଓ୍ଵନଙ୍କଠାରୁ ଭଲ ଥିବାରୁ ସେ ସେଞ୍ଚୁରିଅନ ଟେଷ୍ଟ୍‌ରେ ଆଉ ଏକ ସୁଯୋଗ ପାଇ ପାରନ୍ତି। ହେଲେ ଧାଓ୍ଵନଙ୍କ ପାଇଁ ଦଳରେ ତାଙ୍କ ସ୍ଥାନ ବଜାୟ ରଖିବା ସହଜ ହେବନି। ସେଞ୍ଚୁରିଅନ ପିଚ୍‌ରେ କେପଟାଉନ ଭଳି ସୁଇଂ ରହିବ ନାହିଁ ବୋଲି ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଫାନି ଡି’ ଭିଲିୟର୍ସ ଆକଳନ କରିବା ଭାରତୀୟ ଦଳ ପାଇଁ ଆଶ୍ୱସ୍ତକର ଖବର ହୋଇଛି। ତେବେ ଏହି ଷ୍ଟାଡିୟମ୍‌ ପିଚ୍‌ ମଧ୍ୟ ଦ୍ରୁତ ବୋଲରଙ୍କୁ ସୁହାଇବ ବୋଲି ଡି’ଭିଲିୟସ କହିବା ଏଠାରେ ଭାରତୀୟ କ୍ରିକେଟ୍‌ ଦଳ କେପଟାଉନ ଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

ଦୂର ହେଉନି ୨୫ ବର୍ଷର ଦୁର୍ବଳତା

କେପଟାଉନ ଟେଷ୍ଟରେ ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ। ହେଲେ ବ୍ୟାଟ୍ସମ୍ୟାନ୍‌ ପୂରା ନିରାଶ କରିଥିଲେ। ସେମାନେ ପ୍ରଶଂସକଙ୍କ ଆଶା ଆଦୌ ପୂରଣ କରି ପାରି ନଥିଲେ। ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଦକ୍ଷିଣ ଆଫ୍ରିକାରେ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିବାର ଏହା ପ୍ରଥମ ଘଟଣା ନୁହେଁ। ୧୯୯୨-୯୩ରୁ ଚଳିତ ଗସ୍ତ ପର୍ଯ୍ୟନ୍ତ ଭାରତୀୟ ବୋଲର ବହୁ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି। ହେଲେ ବ୍ୟାଟ୍ସମ୍ୟାନ୍‌ ବରାବର ନିରାଶ କରି ଆସୁଛନ୍ତି। ଭାରତ କରିଥିବା ୬ ଦକ୍ଷିଣ ଆଫ୍ରିକା ଗସ୍ତରେ ଯେଉଁ ମ୍ୟାଚ୍‌ ଗୁଡ଼ିକରେ ପରାଜିତ ହୋଇଛି, ସେଥିରେ ବୋଲର ଏବଂ ବ୍ୟାଟ୍ସମ୍ୟାନ୍‌ କରିଥିବା ପ୍ରଦର୍ଶନକୁ ତୁଳନା କଲେ ସବୁ କିଛି ସ୍ପଷ୍ଟ ହୋଇଯାଏ। ଉଚ୍ଚ ନୀଚ୍ଚ ବା ବାଉନ୍ସ ଭରା ପିଚ୍‌ରେ ସଟ୍‌ ଚୟନକୁ ନେଇ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଗତ ୨୫ ବର୍ଷ ହେବ ଦୂର ହୋଇ ନାହିଁ। ଆସନ୍ତୁ ଗତ ଅଧଡଜନ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ କିଭଳି ଥିଲା ତା ଉପରେ ନଜର ପକାଇବା
୧୯୯୨-୯୩: ଏହି ଗସ୍ତରେ ଭାରତୀୟ ଦଳର ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍‌ ମାନେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଆଦୌ ବୁଝି ପାରି ନଥିଲେ। ଫଳରେ ପ୍ରଥମ ଗସ୍ତରେ ହିଁ ୩ ଟିକିଆ ଶୃଙ୍ଖଳାକୁ ଭାରତ ୦-୧ରେ ହାରିଥିଲା। ସଚିନ ତେନ୍ଦୁଲକର, ମହମ୍ମଦ ଆଝାରୁଦ୍ଦିନ ଏବଂ ସଂଜୟ ମଞ୍ଜରେକରଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ନିରାଶ କରିଥିଲେ। ଅଲରାଉଣ୍ଡର କପିଳ ଦେବ ହିଁ ଏକମାତ୍ର ଖେଳାଳି ଭାବେ ଶୃଙ୍ଖଳାରେ ୨୦୦ ରନ୍‌ ଟପିଥିଲେ। ଭାରତର ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାବେ ସେ ୨୦୨ ରନ୍‌ କରିଥିଲେ।

୧୯୯୬-୯୭: ଏହି ଶୃଙ୍ଖଳାକୁ ଦକ୍ଷିଣ ଆଫ୍ରିକା ୨-୦ରେ ଜିତି ନେଇଥିଲା। ଭାରତ ଡର୍ବାନରେ ୩୩୮ ଏବଂ କେପଟାଉନରେ ୨୮୨ ରନ୍‌ ବ୍ୟବଧାନରେ ପରାଜିତ ହୋଇଥିଲା। ଭେଙ୍କଟେଶ ପ୍ରସାଦ ଡର୍ବାନରେ ୧୦ ଓ୍ଵିକେଟ୍‌ ସଫଳତା ପାଇଥିଲେ। ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ପ୍ରଥମ ପାଳିରେ ୧୦୦ ରନ୍‌ ବି ଛୁଇଁ ପାରି ନଥଲା। କେବଳ ୬୬ ରନ୍‌ କରି ପାରିଥିଲା। କେପଟାଉନରେ ସଚିନ ତେନ୍ଦୁଲକର ୧୬୯ ଏବଂ ମହମ୍ମଦ ଆଝାରୁଦ୍ଦିନ ୧୧୫ ରନ୍‌ କରି ସ୍ଥିତି ସମ୍ଭାଳି ନେଇଥିଲେ। ହେଲେ ୩୯୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିବା ପରେ ଭାରତ ମାତ୍ର ୧୪୪ ରନ୍‌ କରି ପାରିଥିଲା। ବ୍ୟାଟ୍ସମ୍ୟାନଙ୍କ ପାଇଁ ଭାରତ ଦୁଇଟି ଯାକ ଟେଷ୍ଟ ହାରିଥିଲା।

୨୦୦୧-୦୨: ଏହି ଶୃଙ୍ଖଳାକୁ ଦକ୍ଷିଣ ଆଫ୍ରିକା ୧-୦ରେ ଜିତିଥିଲା। ବ୍ଲୋମଫଣ୍ଟିନରେ ଭାରତ ପ୍ରଥମ ପରାଜୟ ବରଣ କରିଥିଲା । ପ୍ରଥମ ପାଳିରେ ୩୭୯ ରନ୍‌ କରିବା ପରେ ଦ୍ୱିତୀୟ ପାଳିରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅନ୍ୟନ୍ତ ଦୟନୀୟ ବ୍ୟାଟିଂ କରିଥିଲେ। ସନ୍‌ ପୋଲକ ୫୬ ରନ ଦେଇ ୬ ଓ୍ଵିକେଟ୍‌ ନେବା ପରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ମାତ୍ର ୫୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାହାକୁ ସହଜରେ ହାସଲ କରିନେଇ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଜିତିଥିଲା।

୨୦୦୬-୦୭: ୨୦୦୬-୦୭ ଶୃଙ୍ଖଳାକୁ ବି ଦକ୍ଷିଣ ଆଫ୍ରିକା ୨-୧ରେ ଜିତିଥିଲା। ଶୃଙ୍ଖଳାର ପ୍ରଥମ ଟେଷ୍ଟ ଜିତିବା ପରେ ପରବର୍ତୀ ଦୁଇଟି ମୁକାବିଲା ହାରି ଭାରତ ଦକ୍ଷିଣ ଆଫ୍ରିକାରେ ଶୃଙ୍ଖଳା ଜିତିବାର ସୁଯୋଗ ହାତଛଡ଼ା କରିଥିଲା। ଡର୍ବାନ ଟେଷ୍ଟର ଉଭୟ ପାଳିରେ ବ୍ୟାଟିଂ ବିଫଳତା ଭାରତ ପାଇଁ କାଳ ହୋଇଥିଲା। ତେନ୍ଦୁଲକର, ଦ୍ରାବିଡ଼ ଓ ସେହବାଗଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ଥିବା ସତ୍ତ୍ୱେ ଭାରତ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲା। ଓ୍ଵାସିମ ଜାଫରଙ୍କ ଶତକ ସହ ବୋଲରଙ୍କ ଅଗ୍ନିବର୍ଷୀ ବୋଲିଂ ପାଇଁ ଭାରତ ପ୍ରଥମ ପାଳିରେ ଅଗ୍ରଣୀ ଲାଭ କରିଥିଲା। ହେଲେ ଦ୍ୱିତୀୟ ପାଳିରେ ମାତ୍ର ୧୬୯ ରନ୍‌ କରି ମ୍ୟାଚ୍‌ ଏବଂ ଶୃଙ୍ଖଳା ହାତଛଡ଼ା କରିଥିଲା।

୨୦୧୦-୧୧: ଏହି ଶୃଙ୍ଖଳାକୁ ଭାରତ ୧-୧ରେ ଅମୀମାଂସିତ ରଖିଥିଲା। ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ନିଜ ଚମକ ଦେଖାଇଥିଲେ। ଫଳରେ ବିଜୟର ସ୍ୱାଦ ଚାଖିଥିଲେ। ଡର୍ବାନରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ପ୍ରଥମ ଥର ପାଇଁ ଭାରତୀୟ ବୋଲରଙ୍କୁ ନିର୍ଧୁମ ଛେଚିଥିଲେ। ଦକ୍ଷିଣ ଆଫ୍ରିକା ୬୨୦ ରନ୍‌ କରିବା ପରେ ସଚିନ ତେନ୍ଦୁଲକରଙ୍କ ଶତକ ପରେ ମଧ୍ୟ ଭାରତ ଉଭୟ ପାଳି ମିଶାଇ ଏହାର ନିକଟତର ହୋଇ ପାରି ନଥିଲା। ଫଳରେ ଗୋଟିଏ ପାଳି ଓ ୨୫ ରନ୍‌ରେ ମ୍ୟାଚ୍‌ ହାରି ଶୃଙ୍ଖଳା ବିଜୟର ଆଉ ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା।

୨୦୧୩-୧୪: ଡର୍ବାନରେ ପୁଣି ହାରିବା ସହ ଭାରତୀୟ କ୍ରିକେଟ୍‌ ଦଳ ୦-୧ରେ ଶୃଙ୍ଖଳା ହାରିଥିଲା। ଡର୍ବାନ ଟେଷ୍ଟର ଦ୍ୱିତୀୟ ପାଳିରେ ବ୍ୟାଟିଂ ବିଫଳତା ହିଁ ଭାରତ ପରାଜୟ କାରଣ ଥିଲା। ୬ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା ଅଜିଙ୍କ୍ୟ ରାହାଣେ ୯୬ ରନ୍‌ କରିଥିଲେ। ହେଲେ ପୂରା ଦଳ ୨୨୩ ରନ୍‌ରେ ଅଲଆଉଟ୍‌ ହୋଇ ଯାଇଥିଲା। ଫଳରେ ଦକ୍ଷିଣ ଆଫ୍ରିକାକୁ ୫୮ ରନ୍‌ର ସହଜ ଲକ୍ଷ୍ୟ ମିଳିଥିଲା। ଯାହାକୁ ହାସଲ କରି ଘରୋଇ ଦଳ ମ୍ୟାଚ୍‌ ଏବଂ ଶୃଙ୍ଖଳା ଜିତି ନେଇଥିଲା।

ସମ୍ବନ୍ଧିତ ଖବର