ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଧଳାବଲ୍ କ୍ରିକେଟ୍ର ଅନ୍ୟତମ ସଫଳ ଓପନର୍ ଶିଖର ଧାୱନଙ୍କ ନୂଆ ଆତ୍ମଜୀବନୀ ‘ଦ ୱାନ୍’ ଏବେ ବଜାରକୁ ଆସିଛି। ଦିଲ୍ଲୀରେ ବାଲ୍ୟଜୀବନଠାରୁ ଆରମ୍ଭ କରି ଭାରତୀୟ ଦଳର ଜର୍ସି ପରିଧାନ ପର୍ଯ୍ୟନ୍ତ ଧାୱନଙ୍କ କ୍ରିକେଟ୍ ଯାତ୍ରାର ଅନେକ ରୋଚକ କଥା ଏଥିରେ ସ୍ଥାନ ପାଇଛି। ନିଜ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ଏହି ପୁସ୍ତକର ଲୋକାର୍ପଣ କରି ଧାୱନ ଲେଖିଛନ୍ତି ‘‘ମୋ ବହି କେବଳ ଶତକ ଓ ଟ୍ରଫିର କାହାଣୀ କହିବ ନାହିଁ। ଆପଣମାନେ ଦେଖି ନଥିବା ମୋ ଜୀବନର ପ୍ରତିଟି ପର୍ଯ୍ୟାୟକୁ ବର୍ଣ୍ଣନା କରିଛି। ମୋର ସବୁ ସ୍ମୃତି ଓ ଅଭୁଲା ମୁହୂର୍ତକୁ ବି ସ୍ଥାନ ମିଳିଛି। ସଂଶୟ, ଆହତଜନିତ କଠୋର ସମୟ ଆଦିର ଟିକିନିଖି କଥା ବି ରହିଛି।
ମୁଁ ଆଜି ଯେଉଁଠି ପହଞ୍ଚିପାରିଛି ସେସବୁର ବିସ୍ତୃତ ତଥ୍ୟ ବି ଏଥିରେ ଉପସ୍ଥାପିତ ହୋଇଛି’’। ସୂଚନାଯୋଗ୍ୟ, ଧାୱନ ଭାରତ ପାଇଁ ୧୬୭ ଦିନିକିଆ ଖେଳି ୧୭ ଶତକ ସହ ୪୪.୧ ହାରରେ ୬,୭୯୩ ରନ୍ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଶତକୀୟ ପାଳି ସହ ଟେଷ୍ଟ୍ କ୍ରିକେଟ୍କୁ ଆସିଥିବା ଧାୱନ ୩୪ ମ୍ୟାଚ୍ରୁ ୪୦.୬ ହାରରେ ୭ ଶତକ ସହ ୨,୩୧୫ ରନ୍ କରିଥିଲେ। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ବି ୬୮ ମ୍ୟାଚ୍ରୁ ୨୭.୯ ହାରରେ ୧୧ ଅର୍ଦ୍ଧଶତକ ସହ ୧,୭୫୯ ରନ୍ କରିଥିଲେ। ୧୨୨ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ବି ୨୫ ଶତକ ସହ ୪୪.୨୬ ହାରରେ ୮,୪୯୯ ରନ୍ ସଂଗ୍ରହ କରିଥିଲେ। ୨୦୧୩ ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜୟରେ ସେ ଥିଲେ ଅନ୍ୟତମ କର୍ଣ୍ଣଧାର।