ଧୋନିଙ୍କ କରୋନା ସହାୟତାକୁ ନେଇ ସମାଲୋଚନା

ମୁଁ ଆପଣଙ୍କ ପାଇଁ ଲଜ୍ଜିତ: ସାକ୍ଷୀ ‘ଏ ଅନୁଦାନ କେବଳ ପୁନେ ଦିନ ମଜୁରିଆଙ୍କ ରାସନ ପାଇଁ ଉଦ୍ଦିଷ୍ଟ’

ନୂଆଦିଲ୍ଲୀ: କରୋନା ସହାୟତା ଲାଗି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମାତ୍ର ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିବାରୁ ବିଭିନ୍ନ ବର୍ଗରୁ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି। ଭାରତୀୟ କ୍ରିକେଟ୍‌ ଦଳର ଏହି ସୁପରଷ୍ଟାର୍‌ଙ୍କ ପତ୍ନୀ ସାକ୍ଷୀ କିନ୍ତୁ ଗଣମାଧ୍ୟମକୁ ଗାଳି ଦେବାକୁ ପଛାଇ ନାହାନ୍ତି। ଭୁଲ ଖବର ପ୍ରସାରଣ କରାଯାଉଥିବାରୁ ସାକ୍ଷୀ ଗଣମାଧ୍ୟମକୁ କଡ଼ା ସମାଲୋଚନା କରିଛନ୍ତି। ”ଏଭଳି ଏକ ସମ୍ବେଦନଶୀଳ ସମୟରେ ମୁଁ ସମସ୍ତ ଗଣମାଧ୍ୟମକୁ ଅନୁରୋଧ କରୁଛି ଭୁଲ ଖବରକୁ ପ୍ରସାରିତ କରନ୍ତୁ ନାହିଁ, ମୁଁ ଆଶ୍ଚର୍ଯ୍ୟ ଯେ ଦାୟିତ୍ବସମ୍ପନ୍ନ ସାମ୍ବାଦିକତା କେଉଁଆଡେ ଉଭେଇଗଲା, ମୁଁ ଏଥି ପାଇଁ ଲଜ୍ଜିତ” ବୋଲି ସାଖୀ ଟ୍ବିଟ୍‌ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଧୋନି ପୁନେର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୁକୁଲ ମାଧବ ଫାଉଣ୍ଡେସନ୍‌କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥ ପୁନେର ଦିନମଜୁରିଆଙ୍କ ପାଇଁ ରାସନ୍‌ ଯୋଗାଣ ଲାଗି ଉଦ୍ଦିଷ୍ଟ ରହିଛି। ସାକ୍ଷୀ ସ୍ପଷ୍ଟ ଭାବେ ଧୋନିଙ୍କ କରୋନା ଅନୁଦାନକୁ ନେଇ କହିନଥିଲେ ମଧ୍ୟ ଏଥିପାଇଁ ଉଦ୍ଦିଷ୍ଟ ଥିଲା। କରୋନା ପ୍ରଭାବିତ ଅଞ୍ଚଳ ଲାଗି ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ଗୌତମ ଗମ୍ଭୀର, ଶିଖର ଧାୱନ ଏବଂ ପଠାନ୍ ଭ୍ରାତା (ୟୁସୁଫ୍ ଏବଂ ଇରଫାନ) ନିଜ ନିଜ ଅବଦାନ ରଖିଛନ୍ତି। ସଚିନ ଓ ଗମ୍ଭୀର ୫୦ ଲକ୍ଷ ଲେଖାଏଁ ପ୍ରଦାନ କରିଛନ୍ତି। ଏହି ତୁଳନାରେ ଧୋନିଙ୍କ ରାଶି କମ୍ ଥିବାରୁ ପ୍ରଶଂସକମାନେ ସମାଲୋଚନା କରୁଥିଲେ। କିନ୍ତୁ ସାକ୍ଷୀ ତାହାକୁ ସ୍ପଷ୍ଟ ନ କରି ଗଣମାଧ୍ୟମକୁ ସମାଲୋଚନା କରିଥିଲେ। ସାକ୍ଷୀଙ୍କ କହିବା କଥା ହେଲା ଧୋନି ଅଦ୍ୟାବଧି କରୋନା ସହାୟତା ପ୍ରଦାନ କରିନାହାନ୍ତି। କେବଳ ପୁନେ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଦାନ କରିଛନ୍ତି। ସାକ୍ଷୀଙ୍କ କଥାରୁ ଏହା ମଧ୍ୟ ବିଶ୍ବାସ ଆସୁଛି ଖୁବ୍ ଶୀଘ୍ର ଧୋନି ଅନ୍ୟ କ୍ରିକେଟର୍‌ଙ୍କ ଭଳି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିଙ୍କୁ ସ୍ବତନ୍ତ୍ରଭାବେ ନିଜସ୍ବ ଦାନ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର