ଆଦିଲ୍ଲୀ: ୨୦୦୪ରେ ଭାରତୀୟ ଦଳର ବାଂଲାଦେଶ ଗସ୍ତରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଜଣେ ‘ଚାବୁକ ବ୍ୟାଟ୍ସମ୍ୟାନ୍‌’ ଭାବେ ବର୍ଣ୍ଣନା କରିଥିଲେ ସୌରଭ ଗାଙ୍ଗୁଲି। ଭାରତ-ପାକିସ୍ତାନ-କେନିଆ 'ଏ' ଦଳକୁ ନେଇ ଆୟୋଜିତ ଏକ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ସଫଳତାର ସହ ପ୍ରତିନିଧିତ୍ବ କରିବା ପରେ ତାହା ଥିଲା ୱିକେଟ୍‌ରକ୍ଷକ ଧୋନିଙ୍କର ପ୍ରଥମ ଆନ୍ତର୍ଜାତୀୟ ଗସ୍ତ। ଏଭଳି ଏକ ଘଟଣାକୁ ମନେ ପକାଇଛନ୍ତି କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ପୂର୍ବତନ ନିର୍ଦେଶକ ଜୟ ଭଟ୍ଟାଚାର୍ଯ୍ୟ। ତାଙ୍କ କହିବା କଥା ହେଲା ପୂର୍ବତନ ଭାରତୀୟ ଅଧିନାୟକ ତଥା ଏବର ବିସିସିଆଇ ସଭାପତି ଗାଙ୍ଗୁଲି ଯେ ଦକ୍ଷତା ମାପିବାରେ ଜଣେ ମହାନ୍‌ ଏଥିରେ କୌଣସି ପ୍ରମାଣର ଆବଶ୍ୟକ ନଥାଏ। ବୀରେନ୍ଦ୍ର ସେହବାଗ୍‌, ଯୁବରାଜ ସିଂହ, ହରଭଜନ ସିଂହ ଏବଂ ଜାହିର ଖାନ୍‌ଙ୍କ ଭଳି ଯୁବ ଦକ୍ଷତାଙ୍କୁ ତାଙ୍କ ସମର୍ଥନ ଭବିଷ୍ୟତରେ ଭାରତକୁ ମ୍ୟାଚ୍‌ ବିଜେତା ଭେଟି ଦେଇଥିଲା। ଗାଙ୍ଗୁଲି ପରେ ଧୋନିଙ୍କଠାରେ ସେହି ସମାନ ପରିମାଣର ଦକ୍ଷତା ଦେଖିଥିଲେ। ଧୋନି ଯେତେବେଳେ ୨୦୦୪ରେ ପ୍ରଥମେ ଭାରତୀୟ ଦଳକୁ ଆସି‌ଲେ ସେତେବେଳେ ଏହି ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଯେ ଜଣେ ତାରକା କ୍ରିକେଟର୍‌ ହୋଇପାରିବେ ତାହା ଗାଙ୍ଗୁଲି ଭଲଭାବେ ଠଉରାଇ ପାରିଥିଲେ।

Advertisment

ଆଉ ଧୋନିଙ୍କୁ କାହିଁକି ଗାଙ୍ଗୁଲି ଚାବୁକ ବ୍ୟାଟ୍‌ସମ୍ୟାନ୍‌ ଭାବେ ବର୍ଣ୍ଣନା କରିଥିଲେ ତାହା ମଧ୍ୟ ଦର୍ଶାଇଛନ୍ତି ଜୟ ଭଟ୍ଟାଚାର୍ଯ୍ୟ। ମୋର ମନେ ଅଛି, ୨୦୦୪ରେ ବାଂଲାଦେଶ ଅଭିମୁଖେ ଭାରତୀୟ ଦଳ ବିମାନ ଯାତ୍ରା କରୁଥିଲା ବେଳେ ଗାଙ୍ଗୁଲି ମୋତେ କହିଲେ, ''ଆମ ପାଖରେ ଏହି ନୂଆ ଚାବୁକ ବ୍ୟାଟ୍‌ସମ୍ୟାନ୍‌ ଅଛନ୍ତି। ତାଙ୍କ କହିବା ଅନୁଯାୟୀ 'ଚାବୁକ'ର ଅର୍ଥ ହେଲା ଯେଉଁଥିରେ ଅମାନିଆଙ୍କୁ ପିଟାଯାଏ। ତୁମେ ତାଙ୍କୁ ଦେଖିଛ। ଧୋନି ଜଣେ ତାରକା ହେବାକୁ ଯାଉଛନ୍ତି ବୋଲି ଗାଙ୍ଗୁଲି କହିଥିବା କଥା ଗୌରବ କାପୁରଙ୍କ ଦ୍ବାରା ଆୟୋଜିତ ୨୨ ୟାର୍ନସ ପୋଡ୍‌କାଷ୍ଟ ଅଫ୍‌ ଓକ୍‌ଟ୍ରି ସ୍ପୋର୍ଟସରେ ଭଟ୍ଟାଚାର୍ଯ୍ୟ କହିଛନ୍ତି। ଯାହାକୁ କି ସେ ସ୍ପୋଟିଫି ଏବଂ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଥିଲେ। ଗୋଟିଏ କଥା ହେଲା ତୁମକୁ ଥରେ ଦେଖିବା ପରେ ଗାଙ୍ଗୁଲି ତୁମଠାରେ ଥିବା ଦକ୍ଷତାକୁ ଦେଖିପାରନ୍ତି। ଆଉ ଦକ୍ଷତା ଥିଲେ ତୁମକୁ ସେ ସମର୍ଥନ ଦିଅନ୍ତି। ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ତୁମେ ରନ୍‌ କରିବନି କି ୱିକେଟ୍‌ ନେଇପାରିବନି। ପୂରା ବିଫଳ ହେବ। ତାହାଲେ ତାଙ୍କ ସମର୍ଥନ ରହିବନି। କାରଣ ପ୍ରଥମ ଦିନରୁ ସେ ଯେଉଁମାନଙ୍କଠାରେ କିଛି ଦକ୍ଷତା ଥିବାର ଅନୁଭବ କରିଥିଲେ ସେସମସ୍ତେ ପରେ ପରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଗାଙ୍ଗୁଲିଙ୍କ ସମର୍ଥନ ମଧ୍ୟ ପାଇଛନ୍ତି ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି।

publive-image

ବାଂଲାଦେଶରେ ଧୋନିଙ୍କ ପଦାର୍ପଣ ଶୃଙ୍ଖଳା ଗାଙ୍ଗୁଲିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା। ତାହା ଅବଶ୍ୟ ସ୍ମରଣୀୟ ନଥିଲା। ପ୍ରଥମ ଦିନିକିଆ (ଚିଟ୍ଟାଗଙ୍ଗ)ରେ ସେ ଗୋଟିଏ ବଲ୍‌ ସାମ୍‌ନା କରିଥିଲା ବେଳେ ଶୂନରେ ରନ୍‌ ଆଉଟ୍‌ ହୋଇଥିଲେ। ଏହାର ପରବର୍ତୀ ଦୁଇଟି ଦିନିକିଆରେ ଯଥାକ୍ରମେ ୧୨ (୧୧ ବଲ୍‌) ଏବଂ ୭* (୨ ବଲ୍‌) ସ୍କୋର୍‌ କରିଥିଲେ। ତେବେ ଧୋନି ଯେତେବେଳେ ୩ ନମ୍ବରରେ ବ୍ୟାଟିଂ ପାଇଁ ପଦୋନ୍ନତି ପାଇଲେ ସେତେବେଳଠୁ ତାଙ୍କ କ୍ୟାରିୟର ଗ୍ରାଫ୍‌ ଉପରମୁହାଁ ହୋଇଚାଲିଥିଲା। ଗାଙ୍ଗୁଲି ହିଁ ତାଙ୍କୁ ଏହି କ୍ରମରେ ବ୍ୟାଟିଂ ସୁଯୋଗ ଦେଇଥିଲେ। ବିଶାଖାପାଟଣାରେ ପାକିସ୍ତାନ ବିପକ୍ଷ ଏକ ଦିନିକିଆରେ ୩ ନମ୍ବରରେ ବ୍ୟାଟିଂ କରି ଧୋନି ୧୪୮ ରନ୍‌ର ସ୍କୋର କରିଥିଲେ। ଆଉ ତା'ପରଠୁ ଏହି ରାଞ୍ଚି କ୍ରିକେଟର୍‌ ପଛକୁ ଫେରିଚାହିଁନାହାନ୍ତି। ସେହି ଧୋନି ଭାରତ ପକ୍ଷରୁ ୯୦ ଟେଷ୍ଟ୍‌, ୩୪୮ ଦିନିକିଆ ଏବଂ ୯୮ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ପ୍ରତିନିଧିତ୍ବ କରିଛନ୍ତି। ସେଥିରେ ଯଥାକ୍ରମେ ୪୮୭୬, ୧୦,୭୭୩ ଓ ୧୬୧୭ ରନ୍‌ ନିଜ ଖାତାରେ ରଖିଛନ୍ତି। ପୁଣି ତାଙ୍କ ନେତୃତ୍ବରେ ଭାରତ ତିନିଟି ଆଇସିସି ଟ୍ରଫି ମଧ୍ୟ କରାୟତ୍ତ କରିଛି। ସେଥିରେ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌, ୨୦୧୫ ଦିନିକିଆ ବିଶ୍ବକପ୍‌ ଏବଂ ୨୦୧୩ ଚାମ୍ପିଅନ୍‌ସ ଟ୍ରଫି ଅନ୍ତର୍ଭୁକ୍ତ।

ଧୋନିଙ୍କ ବିଷୟରେ ବର୍ଣ୍ଣନା କରିବା ପରେ ସେହବାଗ୍‌ ଓ ଯୁବରାଜଙ୍କୁ ଗାଙ୍ଗୁଲି କିପରି ମାନସିକ ଭାବେ ପ୍ରଭାବିତ କରୁଥିଲେ ସେନେଇ ମଧ୍ୟ ଭଟ୍ଟାଚାର୍ଯ୍ୟ କହିଛନ୍ତି। ସେହବାଗ୍‌ଙ୍କୁ ମଧ୍ୟକ୍ରମରୁ ଆଣି ପାଳି ଆରମ୍ଭ କରିବା ସୁଯୋଗ ଦେବା ଏବଂ ଯୁବିଙ୍କ ଉପରେ ପୂରା ବିଶ୍ବାସ ରଖିବା ଜରିଆରେ ଯୁବ ଦକ୍ଷ ଖେଳାଳିଙ୍କ ଉପରେ ଗାଙ୍ଗୁଲିଙ୍କ ନଜରକୁ ବର୍ଣ୍ଣନା କରିଛନ୍ତି ଭଟ୍ଟାଚାର୍ଯ୍ୟ। ସେହବାଗ୍‌ଙ୍କ ପ୍ରତି ସମର୍ଥନ ରହିଥିବାରୁ ଗାଙ୍ଗୁଲି ତାଙ୍କୁ ସିଧାସଳଖ କହିଥିଲେ, ତୁମେ ଯଦି ଭାରତ ପାଇଁ ଖେଳିବାକୁ ଚାହୁଁଛ ତାହାଲେ ପାଳି ଆରମ୍ଭ କରିବାକୁ ପଡ଼ିବ। କାରଣ ମଧ୍ୟକ୍ରମ (ମୁଁ, ସଚିନ୍, ଦ୍ରାବିଡ୍‌ ଓ ଲକ୍ଷ୍ମଣଙ୍କ ପାଇଁ) ଜାମ୍‌ ରହିଛି। ତୁମେ କେଉଁଠି ସ୍ଥାନ ପାଇବ ବୋଲି ସେହବାଗ୍‌ଙ୍କୁ ପଚାରିଥିଲେ ଗାଙ୍ଗୁଲି। ସେହିପରି ମଧ୍ୟକ୍ରମ ଜାମ୍‌ ରହିଥିବାରୁ ଯୁବରାଜ କିଛି ବର୍ଷ ଧରି ସୁଯୋଗ ପାଇପାରୁନଥିଲେ। ତାଙ୍କୁ ବି ଦଳର ଜଣେ ସ୍ଥାୟୀ ସଦସ୍ୟ ବନାଇ ଦେଇଥିଲେ ଗାଙ୍ଗୁଲି ବୋଲି କହିଛନ୍ତି ଭଟ୍ଟାଚାର୍ଯ୍ୟ।