କୋହଲି ଗଣିତରେ ଦୁର୍ବଳ, ଧୋନି ସବଳ

ମୁମ୍ବାଇ : ଖେଳ ଓ ପାଠପଢ଼ା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ବହୁତ କଷ୍ଟ। ସେଥିପାଇଁ ସାଧାରଣରେ ବିଶ୍ବାସ ଅଛି ଯେ ଯିଏ ଖେଳରେ ଭଲ କରନ୍ତି, ପାଠରେ ଟିକିଏ ପଛୁଆ ଥାଆନ୍ତି। ଯିଏ ଭଲ ପାଠ ପଢ଼ନ୍ତି, ପ୍ରାୟତଃ ଖେଳରେ ସେତେଟା ଭଲ କରନ୍ତି ନାହିଁ। ଏହି ଧାରାରେ ଅବଶ୍ୟ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳେ। ଦୁନିଆରେ ଏମିତି ବି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ଉଚ୍ଚଶିକ୍ଷିତ। ଭାରତୀୟ କ୍ରୀଡ଼ା ଜଗତ କଥା ବିଚାରକୁ ନେଲେ ମା‌ଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ ଦଶମ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ। ଆଉ ପରୀକ୍ଷା ଦେବା ପରିବର୍ତ୍ତେ କ୍ରିକେଟ୍ ଉପରେ ଅଧିକ ଧ୍ୟାନ ‌‌ଦେବାକୁ ସେ ନିଷ୍ପତ୍ତି ନେଇଥିଲେ। ନିଜ ଏକାଗ୍ରତା ଓ କଠିନ ଅଧ୍ୟବସାୟ ବଳରେ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବି ହୋଇପାରିଥିଲେ। ହେଲେ ରବିଚନ୍ଦ୍ରନ୍ ଅଶ୍ବିନ, ଜଭାଗଲ ଶ୍ରୀନାଥ, ଅନିଲ କୁମ୍ବଲେ, ଭିଭିଏସ୍ ଲକ୍ଷ୍ମଣଙ୍କ ଭଳି ସଫଳ ଓ ପରିଚିତ ଖେଳାଳି କ୍ରିକେଟ୍ ପଡ଼ିଆ ସହ ପାଠପଢ଼ାରେ ମଧ୍ୟ ବେଶ୍ ଭଲ କରୁଥିଲେ। ଶ୍ରୀନାଥ, ଅଶ୍ବିନ ଓ କୁମ୍ବଲେ ଇଞ୍ଜିନିୟର ହୋଇଥିଲା ବେଳେ ଲକ୍ଷ୍ମଣ ଡାକ୍ତରୀ ପଢ଼ୁଥିଲେ। ଏହା ପରେ କ୍ରିକେଟର ହେବାକୁ ନିଷ୍ପତ୍ତି ନେଇ ଏଥିରେ ଅଧିକ ମନୋନିବେଶ କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ୍‌ର ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଓ ବିରାଟ ‌କୋହଲିଙ୍କ କଥା ଯଦି ବିବାରକୁ ନିଆଯାଏ, ତାହାଲେ ନିଜ ଖେଳିବା ଓ ନେତୃତ୍ବ ଶୈଳୀ ଭଳି ଏମାନଙ୍କ ପାଠପଢ଼ାରେ ମଧ୍ୟ ଆକାଶ ପାତାଳର ଫରକ ରହିଛି।

ଧୋନି ଦଶମ ଓ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବହୁତ ଭଲ ନହେଲେ ମଧ୍ୟ ପାଖାପାଖି ୬୦ ପ୍ରତିଶତ ନମ୍ବର ରଖୁଥିଲେ। ମାହିଙ୍କର ଗଣିତ ଭଲ ହେଉଥିଲା। କୋହଲି କିନ୍ତୁ ଗଣିତଠାରୁ ଦୂରେଇ ରହୁଥିଲେ। ଗଣିତ କଥା ପଡ଼ିଲେ ସେ ପୂରା ଡରି ଯାଉଥିଲେ। ୨୦୧୮ ମସିହାରେ ଧୋନି ଯେତେବେଳେ ନିଜ ପୂର୍ବତନ ସାଥୀ ବୀରେନ୍ଦ୍ର ସେହବାଗଙ୍କ ବିଦ୍ୟାଳୟକୁ ଅତିଥି ଭାବେ ଯାଇଥିଲେ, ସେତେବେଳେ କହିଥିଲେ ଯେ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ମୁଁ ଯଥାକ୍ରମେ ୬୬ ଓ ୫୬ ପ୍ରତିଶତ ନମ୍ବର ରଖିଥିଲି। ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ମୋର ପସନ୍ଦର ବିଷୟ ଥିଲା। ମୁଁ ଏଥିରେ ବହୁତ ଭଲ କରୁଥିଲି। କ୍ରିକେଟ୍ ଖେଳିବା ପରେ ଏଥିରୁ ଟିକିଏ ଧ୍ୟାନ ହଟିଯାଇଥିଲା। ଧୋନି କିନ୍ତୁ ଗୋଟିଏ ବିଷୟରେ ଦୁର୍ବଳ ଥିଲେ। ତାଙ୍କର ଭୂଗୋଳ ଜମା ହେଉ ନଥିଲା। ଭୁଗୋଳ ପଢ଼ିବାକୁ ସେ ଭଲ ପାଉ ନଥିଲେ। ଏକଥା‌ ବି ସେ ସେହବାଗଙ୍କ ବିଦ୍ୟାଳୟକୁ ଯାଇଥିଲା ବେଳେ କହିଥିଲେ।

ଅନ୍ୟପକ୍ଷରେ କୋହଲି ଦେଇଥିବା ଏକ ସାକ୍ଷାତକାର ଅବସରରେ ଗଣିତରେ ସେ କେତେ ଦୁର୍ବଳ ଥିଲେ, ତାହା ପ୍ରକାଶ କରିଥିଲେ। ଅବଶ୍ୟ ପରୀକ୍ଷାରେ ସେ କେତେ ନମ୍ବର ରଖୁଥିଲେ, ତାହା ଜଣାଇ ନଥିଲେ। କୋହଲି କହିଥିଲେ ଯେ ଗଣିତ ପରୀକ୍ଷାରେ ଆମ ପାଖରେ ସର୍ବାଧିକ ୧୦୦ ନମ୍ବର ରଖିବାର ସୁଯୋଗ ରହୁଥିଲା। ମୁଁ ଏଥିରେ ଏତେ ଭଲ ଥିଲି ଯେ ମୋର କେବଳ ୩ ନମ୍ବର ରହୁଥିଲା। ମୁଁ ବି ବୁଝି ପାରୁନି ଯେ ଜଣକୁ ଗଣିତ ପଢ଼ିବା କଣ ଦରକାର। ଏହା ପଛରେ ଥିବା ଜଟିଳତାକୁ ମୁଁ ବୁଝି ପାରେନି। ମୁଁ ମୋ ଜୀବନରେ ସେହି ଫର୍ମୁଲାଗୁଡ଼ିକୁ କେବେ ବି ଉପଯୋଗ କରିନି। ତଥାପି ମୁଁ କଷ୍ଟେମଷ୍ଟେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯିବାକୁ ଚାହୁଁଥିଲି। କାରଣ ଏହା ରାଜ୍ୟ ସ୍ତରୀୟ ପରୀକ୍ଷା ଥିଲା ଏବଂ ଏହା ପରେ ଆପଣ ଗଣିତ ପଢ଼ିବେ କି ନାହିଁ, ସେ ବିକଳ୍ପ ରହୁଥିଲା। ମୁଁ ଆପଣ ମାନଙ୍କୁ ସତ କଥା କହୁଛି, ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଲାଗି ମୁଁ ଯେତିକି କଷ୍ଟ କରିଛି, କ୍ରିକେଟ୍ ପଡ଼ିଆରେ କେବେ ବି ସେତିକି ପରିଶ୍ରମ କରିନି ବୋଲି କୋହଲି କହିଥିଲେ।

ସମ୍ବନ୍ଧିତ ଖବର