ବରଫ ସଫାକଲେ ଧୋନି-ସାକ୍ଷୀ

ଡେରାଡୁନ: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରେଇ ରହିଥିବା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସଂପ୍ରତି ପରିବାର ସହ ଉତ୍ତରାଖଣ୍ଡର ଲୋକପ୍ରିୟ ଶୈଳନିବାସ ମସୁରୀରେ ଛୁଟି କଟାଉଛନ୍ତି। ଏହି ଅବସରରେ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀ ସେଠାରେ ବରଫ ସଫା କରୁଥିବା ଦେଖିବାକୁ ମିଳିଛି। ଧୋନି-ସାକ୍ଷୀ ସେମାନେ ରହୁଥିବା ହୋଟେଲର ବାଲକୋନିରେ ଜମି ରହିଥିବା ବରଫକୁ ସଫା କରୁଥିବା ଫଟୋ ସାକ୍ଷୀ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଧୋନି ଗତ ସପ୍ତହରେ ଝିଅ ଜିଭା ପାଇଁ ବରଫ ମଣିଷ ଗଢ଼ୁଥିବାର ଫଟୋ ମଧ୍ୟ ବେଶ୍ ଚର୍ଚିତ ହୋଇଥିଲା। ଧୋନି ଓ ତାଙ୍କ ଫଟୋ ସହ ସାକ୍ଷୀ ମଧ୍ୟ ନିଜ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଉଠାଇଥିବା ଫଟୋକୁ ପ୍ରକାଶ କରିଛନ୍ତି। ମସୁରୀରେ ସଂପ୍ରତି କାଠୁଆ ଜାଡ଼ ହେଉଥିଲା ବେଳେ ନିୟମିତ ତୁଷାର ପାତ ହେଉଛି। ଯାହାର ଖୁବ୍ ମଜା ଯାତ୍ରୀ ଉଠାଉଛନ୍ତି।

ଭାରତକୁ ଦୁଇ ଥର ବିଶ୍ବକପ୍ ବିଜୟୀ କରାଇଥିବା ବହୁ ଲୋକପ୍ରିୟ କ୍ରିକେଟ୍ ତାରକା ମହେନ୍ଦ୍ର ସିଂହ ଧୋନି ଖୁବଶୀଘ୍ର ଏକଦିବସୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିପାରନ୍ତି। ତେବେ ଆସନ୍ତା ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କଲେ ତାଙ୍କୁ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ବିଚାରକୁ ନିଆଯାଇପାରେ। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଗୁରୁବାର ଏହି ସଙ୍କେତ ଦେଇଥିଲେ।

ସମ୍ବନ୍ଧିତ ଖବର