ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି ଭାରତୀୟ କ୍ରିକେଟ୍‌ର ‘କ୍ୟାପ୍‌ଟେନ୍ କୁଲ୍‌’ ଭାବେ ପରିଚିତ। ଏହାର ଯଥାର୍ଥ କାରଣ ହେଲା ନିଜ ଅଧିନାୟକତ୍ବ ଜୀବନରେ ଧୋନିଙ୍କ ମୁହଁରେ କେବେ ବି ଚିନ୍ତା ପ୍ରତିଫଳିତ ହୋଇ ନଥାଏ। ସେ ଏଭଳି କିଛି ନିଷ୍ପତ୍ତି ନିଅନ୍ତି ଯଦ୍ବାରା ପ୍ରଶଂସକ ଆଶ୍ଚର୍ଯ୍ୟ ଚକିତ ହୋଇଯାଆନ୍ତି। ଶେଷରେ କିନ୍ତୁ ଭାରତ ମ୍ୟାଚ୍‌ ଜିତିଯାଏ। ଦଳରେ ପରିବର୍ତନ ପାଇଁ ପ୍ରସ୍ତାବଠାରୁ ଆରମ୍ଭ କରି ବ୍ୟାଟିଂ କ୍ରମରେ ଏପଟ ସେପଟ ଲାଗି ନିଷ୍ପତ୍ତି, ଶେଷ ଓଭରରେ ଅଭିଜ୍ଞ ବୋଲର ବଦଳରେ ଯୁବ ବୋଲରଙ୍କୁ ବଲ୍‌ ପ୍ରଦାନ ଆଦି ଅନେକ ଉଦାହରଣ ରହିଛି ଯାହା ଅପ୍ରତ୍ୟାଶିତ ହେଲେ ବି ସଫଳ ରହିଛି। ଜଣେ ଯୁବ ଅଧିନାୟକ ଭାବେ ଯାହା ତାଙ୍କ ଖ୍ୟାତିରେ ଆଞ୍ଚ ଆଣିବାର ବିପଦ ରଖୁଥିଲା ସେଭଳି ନିଷ୍ପତ୍ତି ନେବାକୁ ସେ କୁଣ୍ଠିତ ହେଉନଥିଲେ। ସମୟକ୍ରମେ ଧୋନି ସବୁକିଛି ପ୍ରମାଣ କରିଦେଇଛନ୍ତି, ସେ କାହିଁକି ‘କ୍ୟାପ୍‌ଟେନ୍ କୁଲ୍‌’। ମଙ୍ଗଳବାର ଧୋନିଙ୍କୁ ୩୯ ବର୍ଷ ପୂରି ୪୦ ଚାଲିଛି। ଏହି ଅବସରରେ ତାଙ୍କର ୫ଟି ସାହସିକ ନିଷ୍ପତ୍ତିର ଅବତାରଣା କରାଯାଉଛି।

Advertisment

୨୦୦୭ ଟି-୨୦ ବିଶ୍ବକପ୍‌ ଫାଇନାଲ୍‌
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ ରୋମାଞ୍ଚକ ଥିଲା। ୧୭ତମ ଓଭରରେ ହରଭଜନ ସିଂହଙ୍କୁ ୩ ଛକା ମାରି ମିସ୍‌ବା ଉଲ୍‌ ହକ୍ ମ୍ୟାଚ୍‌କୁ ପାକିସ୍ତାନ ସପକ୍ଷରେ ରଖିଥିଲେ। ତଥାପି ଶେଷ ଓଭରରୁ ୧୩ ରନ୍ ଆବଶ୍ୟକ ହେଉଥିବା ବେଳେ ପାକିସ୍ତାନ ହାତରେ ଥିଲା ମାତ୍ର ଗୋଟିଏ ୱିକେଟ୍‌। ହରଭଜନଙ୍କ ଗୋଟିଏ ଓଭର ବାକି ଥିଲା, ଧୋନି କିନ୍ତୁ ମଧ୍ୟମଗତି ବୋଲର ଯୋଗୀନ୍ଦର ଶର୍ମାଙ୍କୁ ବଲ୍ ବଢ଼ାଇ ଦେଇଥିଲେ। ପ୍ରଥମ ବଲ୍‌କୁ ୱାଇଡ୍ ପକାଇ ଯୋଗୀନ୍ଦର ବି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଥିଲେ। ପ୍ରଥମ ବୈଧ ବଲ୍‌ ଡଟ୍‌ ଯାଇଥିଲା ସତ, ପରବର୍ତୀ ବଲ୍‌କୁ ମିସବା କିନ୍ତୁ ସିଧା ଛକା ମାରିଥିଲେ। ଏହା ପରେ ମିସବା ସର୍ଟ ଫାଇନ୍ ଲେଗ୍ ଉପରେ ପ୍ୟାଡଲ୍ ସଟ୍‌ ଖେଳିବାକୁ ଯାଇ ଶ୍ରୀଶାନ୍ତଙ୍କ ହାତରେ ଧରାପଡ଼ିଯାଇଥିଲେ। ସେ ସମୟରେ ଭାଷ୍ୟକାର ଥିବା ରବି ଶାସ୍ତ୍ରୀ କହିଥିଲେ, ‘ବଲ୍‌ ଏବେ ଶୂନ୍ୟରେ...ଶ୍ରୀଶାନ୍ତ‌ ନେଇଗଲେ କ୍ୟାଚ୍‌...ଭାରତ ବିଶ୍ବକପ୍‌ ଜିତିଗଲା’। ଏଥିସହ ବିଶ୍ବବ୍ୟାପୀ ଭାରତୀୟ ପ୍ରଶଂସକମାନେ ଉଲ୍ଲସିତ ହୋଇ ଉଠିଥିଲେ। ଧୋନିଙ୍କ ଅଧିନାୟକତ୍ବ ଏଭଳି ଭାବେ ଆରମ୍ଭ‌ ହୋଇଥିଲା।

publive-image Gulf News

୨୦୦୮ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା
ଜଣେ ଯୁବ ଅଧିନାୟକ ଭାବେ ବଡ଼ ନିଷ୍ପତ୍ତି ନେବା ଏତେ ସହଜ ନଥାଏ। ୧୯୯୭ ମସିହାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଲାଗି ଷ୍ଟିଭ୍ ୱ’ ଯେତେବେଳେ ସେନ୍ ୱର୍ନଙ୍କୁ ବାଦ୍ ଦେଇଥିଲେ ବିବାଦ ସୃଷ୍ଟି ହୋଇଥିଲା। ଅନୁରୂପ ଭାବେ ୨୦୦୮ ଅଷ୍ଟ୍ରେଲିଆ ଗସ୍ତରେ ଶ୍ରୀଲଙ୍କାକୁ ମିଶାଇ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଲାଗି ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ଼ଙ୍କୁ ବାଦ ଦେବାର ସାହାସ ଦେଖାଇଥିଲେ ଧୋନି। ଏହି ଦୁଇ ପୂର୍ବତନ ଅଧିନାୟକ ୫୦ ଓଭରିଆ କ୍ରିକେଟ୍‌ରେ ମିଳିତ ଭାବେ ପ୍ରାୟ ୨୩,୦୦୦ ରନ୍ କରିଥିଲେ। କ୍ଷେତ୍ରରକ୍ଷଣ ଦକ୍ଷତାକୁ ଗୁରୁତ୍ବ ପ୍ରଦାନ ଏବଂ ବିଦେଶ ଗସ୍ତରେ ଯୁବ କ୍ଷେତ୍ରରକ୍ଷକଙ୍କୁ ସାମିଲ କରିବା କାରଣରୁ ପରିବର୍ତନ କରାଗଲା ବୋଲି କହିଥିଲେ ତତ୍‌କାଳୀନ ବିସିସିଆଇ ସମ୍ପାଦକ ନିରଂଜନ ସାହା। ଏହା ପରଠାରୁ ଭାରତର କ୍ଷେତ୍ରରକ୍ଷଣ କ୍ଷମତା ବ୍ୟାଟିଂ ଓ ବୋଲିଂ ଅନୁକୂଳ ରହିଆସିଛି। କ୍ରୀଡ଼ା ସଂସ୍କୃତିରେ ପରିବର୍ତନ କାରଣରୁ ଭାରତ ମଧ୍ୟ ଏବେ ଅନ୍ୟତମ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଶକ୍ତି ଭାବେ ଉଭା ହୋଇଛି। ଏଠାରେ ଭୁଲିଯିବା ଉଚିତ୍ ନୁହେଁ ଯେ ଧୋନିଙ୍କ ଦଳ ମଧ୍ୟ ସେହି ଗସ୍ତରେ ଭାରତକୁ ଅଷ୍ଟ୍ରେଲିଆ ମାଟିରେ ସର୍ବପ୍ରଥମ ଥର ପାଇଁ ତ୍ରିରାଷ୍ଟ୍ରୀୟ ମୁକୁଟ ବିଜେତା କରାଇଥିଲେ।

୨୦୧୧ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌
ଯୁବରାଜ ସିଂହ ୨୦୧୧ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପ୍ରତିଯୋଗିତା ସାରା ବ୍ୟାଟ୍‌ ଓ ବଲ୍‌ରେ କମାଲ ଦେଖାଇଥିଲେ। ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ଭାରତ ୨୭୫ ରନ୍‌କୁ ପଶ୍ଚାତଧାବନ କରିଥିବା ବେଳେ ସଚିନ ଓ‌ ସେହବାଗଙ୍କୁ ସଅଳ ହରାଇ ଦେଇଥିଲା। ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ପାଳିକୁ ସଜାଡ଼ି ନେଇଥିଲେ। ଭାରତକୁ ୧୬୧ ରନ୍ ଆବଶ୍ୟକ ଥିବା ବେଳେ କୋହଲି ଆଉଟ୍ ହୋଇଯାଇଥିଲେ। ଏହି ସମୟରେ ଫର୍ମରେ ଥିବା ଯୁବରାଜ ସିଂହଙ୍କୁ ପଠାଇବା ପରିବର୍ତେ ଧୋନି ନିଜେ ବ୍ୟାଟିଂ କରିବାକୁ ଆସି ଲସିଥ ମାଲିଙ୍ଗା ଓ ସେମାନଙ୍କ ବାହିନୀକୁ ମୁକାବିଲା କରିଥିଲେ। ଧୋନିଙ୍କ ଏହି ଚାଲ ବି କାମ ଦେଇଥିଲା। ୭୯ ବଲ୍‌ରୁ ସେ ଅପରାଜିତ ୯୧ ରନ୍ ସଂଗ୍ରହ କରି ଭାରତକୁ ଦୀର୍ଘ ୨୮ ବର୍ଷ ପରେ ଦ୍ବିତୀୟ ଥର ବିଶ୍ବକପ୍‌ ମୁକୁଟ ଦେଇଥିଲେ।

୨୦୧୨ ସିବି ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା
ମହେନ୍ଦ୍ର ସିଂହ ଧୋନି ସବୁବେଳେ ଦଳରେ ଉନ୍ନତ କ୍ଷେତ୍ରରକ୍ଷକଙ୍କୁ ନେବାର ଆଭିମୁଖ୍ୟ ରଖିଥା’ନ୍ତି। ୨୦୧୨ ମସିହାରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ନେଇ ଅଷ୍ଟ୍ରେଲିଆରେ ଅନୁଷ୍ଠିତ କମନୱେଲ୍‌ଥ ବ୍ୟାଙ୍କ୍‌ ସିରିଜ୍‌ରେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ ଏବଂ ଗୌତମ ଗମ୍ଭୀରଙ୍କୁ ରୋଟେଟ୍‌ କରି ଖେଳାଇବା ଲାଗି ନିଷ୍ପତ୍ତି ନେଇଥିଲେ। ଏହାକୁ ବଡ଼ ଖେଳାଳି ଓ ପ୍ରଶଂସକମାନେ ଗ୍ରହଣ କରିପାରିନଥିଲେ। ଏହ‌ି ୩ ଜଣ ଏକାଠି ଖେଳିପାରିନଥିଲେ। ଭାରତ ‌ଏଥର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନଥିଲା, କିନ୍ତୁ ଶୀର୍ଷକ୍ରମଙ୍କ ବିଫଳତା ଭିତରେ ପ୍ରାରମ୍ଭିକ ଯୋଡ଼ିଙ୍କ ଦୁର୍ବଳ ପ୍ରଦର୍ଶନ ନଜରକୁ ଆସିପାରିନଥିଲା।

୨୦୧୩ ଆଇସିସି ଚାମ୍ପିଅନ୍ସ ଟ୍ରଫି
ଭାରତର ଶୀର୍ଷକ୍ରମ ବ୍ୟାଟିଂକୁ ସଜାଡ଼ିବାରେ‌ ଧୋନି ବି ସାହସିକତା ଦେଖାଇଥିଲେ। ୨୦୦୭ ମସିହାଠାରୁ ରୋହିତ ଶର୍ମା ଭାରତୀୟ ଦଳର ଅଂଶବିଶେଷ ଥିଲେ ମଧ୍ୟ ସ୍ଥିର ପ୍ରଦର୍ଶନ ଦେଇପାରୁନଥିଲେ। ୨୦୧୧ ମସିହାରେ ଧୋନି ତାଙ୍କୁ ପ୍ରଥମେ ପାଳି ଆରମ୍ଭ କରିବାର ସ‌ୁ‌ଯୋଗ ଦେଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ଶୃଙ୍ଖଳାରେ ମାତ୍ର ୨୯ ରନ୍ କରିବାରୁ ସେ ସୁଯୋଗ ହାତଛଡ଼ା କରିଥିଲେ। ପୁଣି ଥରେ ୨୦୧୩ରେ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ଏହି ସୁଯୋଗ ମିଳିଥିଲା। ମୋହାଲିରେ ୮୩ ରନ୍ କରିବା ପରଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ଶିଖର ଧାୱନ ମଧ୍ୟ ଶେଷ ଥର ପାଇଁ ୨୦୧୧ରେ ଖେଳିଥିଲେ। ସେହି ବର୍ଷ ଆଇପିଏଲ୍‌ରେ ଭଲ ରନ୍ କରିଥିଲେ ମଧ୍ୟ ଅନ୍ତର୍ଜାତୀୟ ପ୍ରଭାବ ଛାଡ଼ିବାର ଭରସା ଦେଇନଥିଲେ। ଇଂଲଣ୍ଡରେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରୋହିତ ଶର୍ମା ଓ ଶିଖର ଧାୱନ ପାଳି ଆରମ୍ଭ କରିବା ଫଳପ୍ରଦ ରହିଥିଲା। ଭାରତର ଶୀର୍ଷକ୍ରମ ସୁଧୁରିଯାଇଥିଲା। ଏମାନେ କ୍ରମେ ଏବେ ବିଶ୍ବର ଅନ୍ୟତମ ବିସ୍ଫୋରକ ପ୍ରାରମ୍ଭିକ ଯୋଡ଼ିର ମାନ୍ୟତା ପାଇଛନ୍ତି। ଭାରତ ବି ସେଥର ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଥିଲା। ତ‌ିନିଟି ଦ୍ବିଶତକ ମଧ୍ୟ ରୋହିତଙ୍କ ଭାଗ୍ୟରେ ବଡ଼ ପରିବର୍ତନ ଆଣିଥିଲା। ଧୋନି ବି ପ୍ରଥମ ଅଧିନାୟକ ଭାବେ ଟି-୨୦ ବିଶ୍ବକପ୍‌, ୫୦ ଓଭରିଆ ବିଶ୍ବକପ୍‌ ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ।