ଧଳାବଲ୍ରେ ନ୍ୟୁଜିଲାଣ୍ଡ ଖେଳାଳିମାନେ ପୁଣି ଥରେ ସେମାନଙ୍କ ଲଢ଼ୁଆ ପ୍ରବୃତ୍ତିର ପ୍ରମାଣ ଦେଲେ। ହେଲେ ଭାରତ ଆଉ ଟିକେ ଭଲ କରି ମଙ୍ଗଳବାର ଟେ୍ଵଣ୍ଟି-୨୦କୁ ଜିତିନେଲା। ୮ ଓଭରିଆ ମ୍ୟାଚ୍ ହୋଇଥିଲେ ମଧ୍ୟ ତିରୁବନ୍ତପୁରମ୍ ଟେ୍ଵଣ୍ଟି-୨୦ ବେଶ୍ ରୋମାଞ୍ଚଭରା ଥିଲା। ତା’ ସହ ଦୁଇ ସପ୍ତାହ ଧରି ଚାଲିଥିବା ଉତ୍କଣ୍ଠାପୂର୍ଣ୍ଣ ଏବଂ ଚମକପ୍ରଦ କ୍ରିକେଟ୍ ଲଢ଼େଇର ସୁଖଦ ଅବସାନ ଘଟିଥିଲା। ଏତେ ବର୍ଷା ହେବା ପରେ ମଧ୍ୟ କେରଳରେ ମ୍ୟାଚ୍ ହେବାର ଶ୍ରେୟ ପଡ଼ିଆ କର୍ମଚାରୀଙ୍କୁ ଯାଏ। ଦର୍ଶକଙ୍କ ଧୈର୍ଯ୍ୟକୁ ମଧ୍ୟ ପ୍ରଶଂସା କରିବାକୁ ପଡ଼ିବ। ନୁଆଦିଲ୍ଲୀରେ ହାରିବା ପରେ ରାଜକୋଟରେ ସଫଳ ପ୍ରତ୍ୟାବର୍ତନ ନ୍ୟୁଜିଲାଣ୍ଡର ବିଜୟ ଭୋକକୁ ଦର୍ଶାଇଥିଲା। ସେମାନଙ୍କ ଶରୀର ଭାଷା ବେଶ୍ ସକାରାତ୍ମକ ଥିଲା। କଲିନ ମୁନ୍ରୋଙ୍କ ଆକ୍ରମଣ ପରେ ବୋଲିଂରେ ଟ୍ରେଣ୍ଟ ବୋଲ୍ଟ ଏବଂ କ୍ଷେତ୍ରରକ୍ଷଣରେ ସମଗ୍ର କିଓ୍ଵି ଦଳ ଭାରତକୁ ଅଣନିଶ୍ୱାସୀ କରିଦେଇଥିଲେ। ମୁନ୍ରୋ ତାଙ୍କ ପଦୋନ୍ନତିର ସମ୍ମାନ ରଖିଥିଲେ। ପୂରା ୨୦ ଓଭର ବ୍ୟାଟିଂ କରିବା ସହ ସେ ଏକ ସ୍ମରଣୀୟ ଶତକ ହାସଲ କଲେ। ଟ୍ରେଣ୍ଟ ବୋଲ୍ଟଙ୍କ ପ୍ରାରମ୍ଭିକ ଝଟ୍କା ଶୀର୍ଷକ୍ରମ ଉପରେ ମାତ୍ରାଧିକ ନିର୍ଭରଶୀଳ ଭାରତୀୟ କ୍ରିକେଟ୍ ଦଳକୁ ପୂରା ଦୋହଲାଇଦେଲା। ଶୃଙ୍ଖଳା ନିର୍ଣ୍ଣାୟକରେ କିନ୍ତୁ ଭାରତ ଆଦୌ ଧୈର୍ଯ୍ୟ ହରା ହୋଇ ନଥିଲା। କାନପୁରରେ ଖେଳିଥିବା ଶେଷ ଦିନିକିଆରେ ମଧ୍ୟ ସେମାନେ ଏହା କରି ଦେଖାଇଥିଲେ। ସମ୍ଭବତଃ ଚାପକୁ କେମିତି ପରିଚାଳନା କରାଯାଏ ଭାରତୀୟ କ୍ରିକେଟ୍ ଦଳ ତାହା ଶିଖି ଗଲାଣି। ଯାହା ସବୁ ଫର୍ମାଟରେ ଏକ ନମ୍ବର ଦଳ ହେବାର ସଂକେତ। ଯସପ୍ରୀତ ବୁମରାଙ୍କ ବୋଲିଂ ଦେଖିଲା ଭଳି ଥିଲା। ଟେ୍ଵଣ୍ଟି-୨୦ର ଶ୍ରେଷ୍ଠ ବୋଲର ଭାବେ ସେ ବୋଲିଂ କରିଥିଲେ। ଭୁବନେଶ୍ୱର ମଧ୍ୟ ନିଜ ଅଭିଜ୍ଞତାକୁ ଠିକ୍ ଭାବରେ ଉପଯୋଗ କରୁଛନ୍ତି। ହେଲେ ଜଣେ ଭାରତୀୟ ବୋଲର ଯିଏ ମୋ ମନ ଜିତି ନେଇଛନ୍ତି, ସେ ହେଲେ ୟୁଜବେନ୍ଦ୍ର ଚହଲ। ମଙ୍ଗଳବାର ଚହଲ ପୂରା ଲୟରେ ଥିଲେ। ଅଫ୍ଷ୍ଟମ୍ପ୍ ବାହାରେ ରହୁଥିବା ତାଙ୍କ ବଲ୍କୁ ଖେଳିବାକୁ ନ୍ୟୁଜିଲାଣ୍ଡ ଖେଳାଳି ବହୁ କଷ୍ଟ କରିଥିଲେ। ସେମାନେ ଆଦୌ ବଡ଼ ସଟ୍ ଖେଳି ପାରି ନଥିଲେ। ବିରାଟ କୋହଲି ମଧ୍ୟ ଠିକ୍ ସ୍ଥାନରେ କ୍ଷେତ୍ରରକ୍ଷକ ରଖି ତାଙ୍କୁ ଭଲ ସମର୍ଥନ ଦେଇଥିଲେ। ତଥାପି ଟେ୍ଵଣ୍ଟି-୨୦ରେ ଭାରତକୁ ନିଜ ଆଭିମୁଖ୍ୟରେ ପରିବର୍ତନ ଆଣିବାକୁ ହେବ। ଶୀର୍ଷକ୍ରମ ଉପରେ ମାତ୍ରାଧିକ ନିର୍ଭରଶୀଳ ହେବାର ଅଭ୍ୟାସ ଛାଡ଼ିବାକୁ ପଡ଼ିବ। ଦଳରେ ଧୋନିଙ୍କ ଭୂମିକାକୁ ବି ସ୍ପଷ୍ଟଭାବେ ନିର୍ଧାରଣ କରିବାକୁ ହେବ। ଜଣେ ମାର୍ଗଦର୍ଶକ ଏବଂ ଦକ୍ଷ ଓ୍ଵିକେଟ୍ ରକ୍ଷକ ଭାବେ କୋହଲିଙ୍କ ପାଇଁ ଅବଶ୍ୟ ତାଙ୍କ ମୂଲ୍ୟ ବହୁ ଅଧିକ। କିନ୍ତୁ ମୁଁ ଭାବୁଛି ଭାରତ ଧୋନିଙ୍କୁ ଦଳରେ ରଖିଲେ ତାଙ୍କୁ ଚତୁର୍ଥ ସ୍ଥାନରେ ପଠାଇବା ହିଁ ସବୁଠାରୁ ଭଲ ନିଷ୍ପତ୍ତି ହେବ। କାରଣ ସେତେବେଳେ ସେ ନିଜ କଳା କୌଶଳକୁ ଶାଣିତ କରିବା ଲାଗି ପର୍ଯ୍ୟାପ୍ତ ସୁଯୋଗ ପାଇବେ। ୮ ଓଭରିଆ ମ୍ୟାଚ୍ରେ ତାଙ୍କୁ ସପ୍ତମ ସ୍ଥାନରେ ବ୍ୟାଟିଂ କରୁଥିବାର ଦେଖିବା ଦୁଃଖ ଦାୟକ। ଅନ୍ତତଃ ମୁଁ ଏହା ହିଁ କହି ପାରିବି। (ଗେମପ୍ଲାନ୍)
ଧୋନି ସପ୍ତମରେ ବ୍ୟାଟିଂ କରିବା ଦୁଃଖଦାୟକ
ଭିଭିଏସ୍ ଲକ୍ଷ୍ମଣ
/sambad/media/post_attachments/wp-content/uploads/2017/10/MS-Dhoni-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)